ଚୀନରେ ପହଞ୍ଚିଲେ ଟ୍ରମ୍ପ, ଏୟାରପୋର୍ଟରେ ସ୍ୱାଗତ କରିବାକୁ ଆସିଲେନି ସି ଜିନପିଙ୍ଗ

by newsroom MAY-14-2026 3:21 AM IST in ଦେଶ ବିଦେଶ

ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦିନିଆ ଚୀନ ଗସ୍ତରେ ଯାଇ ବେଜିଂରେ ପହଞ୍ଚିଛନ୍ତି। କିନ୍ତୁ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ହେଲା, ଟ୍ରମ୍ପଙ୍କୁ ସ୍ୱାଗତ କରିବାକୁ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଏୟାରପୋର୍ଟକୁ ଆସିନଥିଲେ। ଟ୍ରମ୍ପ ଓ ତାଙ୍କ ଟିମଙ୍କୁ ବେଜିଂରେ ଚୀନର ଉପରାଷ୍ଟ୍ରପତି ହାନ ଝେଙ୍ଗ ସ୍ୱାଗତ କରିଥିଲେ। ଏହାକୁ ଚୀନର ପକ୍ଷରୁ ଏକ କୂଟନୀତିକ ସଙ୍କେତ ଭାବେ ଦେଖାଯାଉଛି।

ଏୟାରପୋର୍ଟରେ ଭବ୍ୟ ସ୍ୱାଗତ
ଟ୍ରମ୍ପ ଏୟାର ଫୋର୍ସ ଓନ୍ ବିମାନରେ ଚୀନ ପହଞ୍ଚିଥିଲେ। ତାଙ୍କ ସ୍ୱାଗତ ପାଇଁ ବେଜିଂ ଏୟାରପୋର୍ଟରେ ୩୦୦ ଯୁବକ-ଯୁବତୀଙ୍କୁ ନିଯୁକ୍ତ କରାଯାଇଥିଲା। ସେମାନେ ସଫେଦ ଓ ନୀଳ ପୋଷାକ ପିନ୍ଧିଥିଲେ। ଏହାସହ ତାଙ୍କୁ ସ୍ୱାଗତ ପାଇଁ ଏକ ବ୍ୟାଣ୍ଡ ପାର୍ଟି ମଧ୍ୟ ଉପସ୍ଥିତ ଥିଲା। ଏହି ସମୟରେ ଚୀନରେ ଅମେରିକୀୟ ରାଜଦୂତ ଡେଭିଡ ପର୍ଡ୍ୟୁ, ଅମେରିକାରେ ଚୀନ ରାଜଦୂତ ଶି ଫେଙ୍ଗ ଓ ଚୀନ ବିଦେଶ ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ଥିଲେ।

ଏହା ପ୍ରଥମ ଘଟଣା
ଦ୍ୱିତୀୟଥର ରାଷ୍ଟ୍ରପତି ହେବା ପରେ ଟ୍ରମ୍ପ ଏପର୍ଯ୍ୟନ୍ତ United Arab Emirates, Israel, Saudi Arabia ଓ Qatar ଭଳି ଦେଶକୁ ଯାଇଛନ୍ତି। ସେଠାରେ ତାଙ୍କୁ ସେହି ଦେଶର ରାଷ୍ଟ୍ରପ୍ରମୁଖ ସ୍ୱାଗତ କରିଥିଲେ। କିନ୍ତୁ ଚୀନରେ ପ୍ରଥମଥର ପାଇଁ ଏମିତି ହେଲା ଯେ, ଅମେରିକୀୟ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ଦେଶର ରାଷ୍ଟ୍ରପ୍ରମୁଖ ଆସିନଥିଲେ।

୨୦୦୯ରେ ଓବାମାଙ୍କୁ ସ୍ୱାଗତ କରିଥିଲେ ଜିନପିଙ୍ଗ
୨୦୦୯ ମସିହାରେ ଯେତେବେଳେ ଅମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଚୀନ ଯାଇଥିଲେ, ସେତେବେଳେ ଉପରାଷ୍ଟ୍ରପତି ଥିବା ସି ଜିନପିଙ୍ଗ ନିଜେ ଏୟାରପୋର୍ଟକୁ ଯାଇ ସ୍ୱାଗତ କରିଥିଲେ।

ଏହି ସବୁ ମୁଦ୍ଦାରେ ହେବ ଆଲୋଚନା
ଟ୍ରମ୍ପ ଓ ଚୀନ ନେତୃତ୍ୱଙ୍କ ମଧ୍ୟରେ ବ୍ୟାପାର, ଟାରିଫ, ପ୍ରଯୁକ୍ତି, AI, ତାଇୱାନ, ଅମେରିକୀୟ ଅସ୍ତ୍ର ବିକ୍ରି, ଇରାନ, ପଶ୍ଚିମ ଏସିଆର ସୁରକ୍ଷା ପରିସ୍ଥିତି ଓ ଦୁର୍ଲଭ ଖଣିଜ ସପ୍ଲାଇ ଚେନ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।

ଟ୍ରମ୍ପଙ୍କ ସହ ଗଲେ ବଡ଼ କମ୍ପାନୀର CEO
ଟ୍ରମ୍ପଙ୍କ ସହ ୧୭ଟି ବଡ଼ କମ୍ପାନୀର CEO ମଧ୍ୟ ଚୀନ ଯାଇଛନ୍ତି। ସେମାନଙ୍କ ମଧ୍ୟରେ Elon Musk, Tim Cook, Larry Fink, David Solomon ଓ ଅନ୍ୟାନ୍ୟ ବଡ଼ କମ୍ପାନୀର ମୁଖ୍ୟମାନେ ଅଛନ୍ତି।