କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ଭାରତର କୃଷି କ୍ଷେତ୍ର ଉଲ୍ଲେଖନୀୟ ସଫଳତା ହାସଲ କରୁଛି । ବିଶ୍ୱର ଖାଦ୍ୟ ବାସ୍କେଟ୍ ହେବା ପଥରେ ଆଗକୁ ବଢ଼ୁଛି। ଦେଶର ବିକାଶ ଯାତ୍ରା ନୂତନ ଶିଖରରେ ପହଞ୍ଚିଛି, ଏବଂ ଏବେ ଭାରତର ପ୍ରଗତି ପୂର୍ବ ସରକାରଗୁଡ଼ିକ ବିପକ୍ଷରେ ନୁହେଁ ବରଂ ବିଶ୍ୱ ମାନଦଣ୍ଡ ଅନୁସାରେ ମାପ କରାଯିବ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା, କୃଷକଙ୍କ ଆୟ ବୃଦ୍ଧି କରିବା ଏବଂ ପୁଷ୍ଟିକର ଶସ୍ୟକୁ ପ୍ରୋତ୍ସାହିତ କରିବା କେନ୍ଦ୍ର ସରକାରଙ୍କ ପ୍ରମୁଖ ପ୍ରାଥମିକତା ରହିଛି। ୨୦୧୪ ମସିହାରୁ, ଭାରତରେ ଖାଦ୍ୟ ଶସ୍ୟ ଉତ୍ପାଦନ ୪୦% ବୃଦ୍ଧି ପାଇଛି, ଗହମ, ଚାଉଳ, ମକା, ଚିନାବାଦାମ ଏବଂ ସୋୟାବିନରେ ରେକର୍ଡ ଉତ୍ପାଦନ ହୋଇଛି। “ଆଜି, ଭାରତ ଗହମ ଏବଂ ଚାଉଳରେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ, ଏବଂ ଆମେ ୪ କୋଟି ଟନରୁ ଅଧିକ କୃଷି ଉତ୍ପାଦ ରପ୍ତାନି କରିଛୁ। ତଥାପି, ଡାଲି କ୍ଷେତ୍ରରେ, ଆମକୁ ଏବେ ବି ଉତ୍ପାଦନ ବୃଦ୍ଧି କରିବାର ଆବଶ୍ୟକତା ରହିଛି,” ବୋଲି ସେ ଉଲ୍ଲେଖ କରିଛନ୍ତି।
ଡାଲି କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ଆବଶ୍ୟକତା ଉପରେ ଆଲୋକପାତ କରି ଶ୍ରୀ ଚୌହାନ କହିଛନ୍ତି ଯେ ଭାରତ ଡାଲିର ସର୍ବବୃହତ ଉତ୍ପାଦକ ଏବଂ ଗ୍ରାହକ ହୋଇଥିଲେ ମଧ୍ୟ, ଏହା ସର୍ବବୃହତ ଆମଦାନୀକାରୀ ହୋଇ ରହିଛି। ତେଣୁ, ସରକାର ଉତ୍ପାଦନ, ଉତ୍ପାଦକତା ଏବଂ ଚାଷ କ୍ଷେତ୍ରକୁ ବୃଦ୍ଧି କରିବା ପାଇଁ ଡାଲି ଆତ୍ମନିର୍ଭରଶୀଳତା ମିଶନ ଆରମ୍ଭ କରିଛନ୍ତି। ଲକ୍ଷ୍ୟ ହେଉଛି ୨୦୩୦-୩୧ ସୁଦ୍ଧା ମୋଟ ଡାଲି ଚାଷ କ୍ଷେତ୍ରକୁ ୨୭.୫ ନିୟୁତ ହେକ୍ଟରରୁ ୩୧ ନିୟୁତ ହେକ୍ଟରକୁ ବିସ୍ତାର କରିବା ଏବଂ ୨୪.୨ ନିୟୁତ ଟନରୁ ୩୫ ନିୟୁତ ଟନକୁ ଉତ୍ପାଦନ ବୃଦ୍ଧି କରିବା। ଉତ୍ପାଦକତା ପ୍ରତି ହେକ୍ଟର ୮୮୦ କିଲୋଗ୍ରାମରୁ ୧୧୩୦ କିଲୋଗ୍ରାମକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ୧୦,୦୦୦ ଏଫପିଓ ସହିତ ୫୦ ଲକ୍ଷରୁ ଅଧିକ ଚାଷୀ ଜଡ଼ିତ ରହିଛନ୍ତି, ଯେଉଁଥିରେ ୧,୧୦୦ ‘କୋଟିପତି ଏଫପିଓ’ ଅନ୍ତର୍ଭୁକ୍ତ ଯାହାର ବାର୍ଷିକ କାରବାର ଟ.୧ କୋଟିରୁ ଅଧିକ। ପ୍ରାକୃତିକ କୃଷି ମିଶନ ଅଧୀନରେ ଜୈବିକ କୃଷି ପାଇଁ ୧ ଲକ୍ଷରୁ ଅଧିକ ଚାଷୀ ଅଛନ୍ତି । ୧୦,୦୦୦ ନୂତନ ପ୍ରାଇମେରି ଏଗ୍ରିକଲ୍ଚରାଲ୍ କ୍ରେଡିଟ୍ ସୋସାଇଟି (ପିଏସିଏସ୍)କୁ କମ୍ପ୍ୟୁଟରୀକରଣ ମାଧ୍ୟମରେ ଇ-ଏସିଏସ୍ ରେ, ରୂପାନ୍ତରିତ କରାଯାଇଛି। ଏଗୁଡ଼ିକ ସାଧାରଣ ସେବା କେନ୍ଦ୍ର (ସିଏସସି), ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର (ପିଏମକେଏସକେ) ଏବଂ ସାର ଖୁଚୁରା ଦୋକାନ ଭାବରେ କାର୍ଯ୍ୟ କରୁଛି। ୧୦,୦୦୦ ସ୍ଥାନରେ ଦୁଗ୍ଧ ଏବଂ ମତ୍ସ୍ୟଚାଷ ସମବାୟ ପାଇଁ ନୂତନ ବହୁମୁଖୀ ପିଏସିଏସ୍ ପ୍ରତିଷ୍ଠା। ସାରା ଭାରତରେ ୪,୨୭୫ ଗ୍ରାମୀଣ ବହୁମୁଖୀ ଏଆଇ ଟେକ୍ନିସିଆନ୍ (ମୈତ୍ରୀ) ପ୍ରମାଣିତ।