ମେକ୍ସିକୋ ସିଟି: ଉତ୍ତର-ପଶ୍ଚିମ ମେକ୍ସିକୋରେ ପାଳିତ ହେଉଥିବା ପିତୃପୁରୁଷଙ୍କ ପାଇଁ ଉତ୍ସବ ଶେଷରେ ଗଭୀର ଦୁଃଖ ଆଣିଛି । କିଛି ପରିବାର ନିଜ ପୂର୍ବପୁରୁଷଙ୍କ ପାଇଁ ଉତ୍ସବ ପାଳୁଥିବା ବେଳେ ଡିସକାଉଣ୍ଟ ଷ୍ଟୋର୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି।ମୃତକଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ରହିଛନ୍ତି । ‘ଡେ ଅଫ୍ ଦ ଡେଡ୍’ (Day of the Dead) ଉତ୍ସବ ବେଳେ ଏହି ଦୁର୍ଘଟଣା ଘଟିଛି । ପରିବାରବର୍ଗ ମୃତ ପ୍ରିୟଜନମାନଙ୍କୁ ସ୍ମରଣ କରି ହସଖୁସିରେ ଉତ୍ସବ ପାଳନ କରୁଥିବା ବେଳେ କୈାଣସି କାରଣରୁ ନିଆଁ ଲାଗି ଭୟଙ୍କର ବେଗରେ ବ୍ୟାପିଥିଲା । ସୋନୋରା ରାଜ୍ୟର ଗଭର୍ଣ୍ଣର ଆଲଫୋନ୍ସୋ ଡୁରାଜୋ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ସେ ଏହି ଦୁର୍ଘଟଣାର କାରଣ ସ୍ପଷ୍ଟ କରିବା ପାଇଁ ଏକ ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଶିଶୁମାନେ ସାମିଲ ଅଛନ୍ତି। ରାଷ୍ଟ୍ରପତି କ୍ଲାଉଡିଆ ଶେନବମ୍ ସୋସିଆଲ ମିଡିଆରେ ପୋଷ୍ଟ କରି ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, “ଯେଉଁମାନେ ଜୀବନ ହରାଇଛନ୍ତି ସେମାନଙ୍କ ପରିବାର ଓ ପ୍ରିୟଜନଙ୍କ ପ୍ରତି ମୋର ହୃଦୟରୁ ସମବେଦନା।” ଆହତଙ୍କ ପରିବାରବର୍ଗ ଓ ଆହତମାନଙ୍କୁ ସହାୟତା କରିବା ପାଇଁ ସେ ସହାୟତା ଟିମ୍ ପଠାଇଥିଲେ ।
ସୋନୋରା ରେଡ୍ କ୍ରସ୍ ପକ୍ଷରୁ ସୂଚନା ଦିଆଯାଇଛି ଯେ, ତାଙ୍କର ୪୦ ଜଣ କର୍ମଚାରୀ ଏବଂ ୧୦ଟି ଆମ୍ବୁଲାନ୍ସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ
ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। କିଛି ଗଣମାଧ୍ୟମ ରିପୋର୍ଟରେ ଏହାର କାରଣ ବିଦ୍ୟୁତ୍ ତ୍ରୁଟି (Electrical Failure) ହୋଇଥାଇପାରେ ବୋଲି ଅନୁମାନ କରାଯାଇଛି। ସହରର ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ‘Waldo’s’ ନାମକ ଲୋକପ୍ରିୟ ଡିସକାଉଣ୍ଟ ଚେନ୍ର ଏହି ଷ୍ଟୋର୍ଟି କୌଣସି ଆକ୍ରମଣର ଶିକାର ହୋଇନାହିଁ। ସହରର ଅଗ୍ନିଶମ ମୁଖ୍ୟ କହିଛନ୍ତି ଯେ ସେଠାରେ କୌଣସି ବିସ୍ଫୋରଣ ହୋଇଥିଲା କି ନାହିଁ, ତାହାର ତଦନ୍ତ ଚାଲିଛି।



















