ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କୁ ପ୍ରଯୁକ୍ତି କ୍ଷେତ୍ରରେ ଆଗୁଆ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏକ ବଡ଼ ପଦକ୍ଷେପ ନେଇଛି। ୨୦୨୬-୨୭ ଶିକ୍ଷାବର୍ଷରୁ ସାରା ଦେଶରେ ତୃତୀୟ ଶ୍ରେଣୀରୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରାଯିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି। ୨୦୨୬-୨୭ ଶିକ୍ଷାବର୍ଷ ଆରମ୍ଭରୁ AI ଶିକ୍ଷାକୁ ଏକ ମୌଳିକ ସାର୍ବଜନୀନ ଦକ୍ଷତା ଭାବରେ ସ୍କୁଲରେ ଲାଗୁ କରିବାକୁ ଶିକ୍ଷା ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ନୂତନ ପାଠ୍ୟକ୍ରମ ପାଇଁ ଆବଶ୍ୟକୀୟ ପାଠ୍ୟ ଉପକରଣ, ହ୍ୟାଣ୍ଡବୁକ୍ ଏବଂ ଡିଜିଟାଲ୍ ସମ୍ବଳ ପ୍ରସ୍ତୁତି ଶେଷ ହେବ। CBSE ପକ୍ଷରୁ IIT ମାଡ୍ରାସର ପ୍ରଫେସର କାର୍ତ୍ତିକ ରମଣଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଏହି କମିଟି AI ଓ କମ୍ପ୍ୟୁଟେସନାଲ୍ ଥିଙ୍କିଙ୍ଗ୍ (CT) ଉପରେ ପାଠ୍ୟକ୍ରମ ବିକାଶ କରିବ। ବିଭାଗୀୟ ସଚିବ ସଞ୍ଜୟ କୁମାର କହିଛନ୍ତି ଯେ ପ୍ରତି ପିଲାର ସ୍ୱତନ୍ତ୍ର ସମ୍ଭାବନାକୁ ବିକଶିତ କରିବା ଏବଂ ପିଲାମାନଙ୍କୁ ପ୍ରଯୁକ୍ତି ବିଷୟରେ ଅବଗତ କରାଇ ଅଭିନବ ଚିନ୍ତାଧାରା ସୃଷ୍ଟି କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି। AIର ବ୍ୟବହାର ଦ୍ୱାରା ପିଲାମାନେ ବ୍ୟାକରଣଗତ ତ୍ରୁଟି ସଂଶୋଧନ, ଜଟିଳ ଗଣିତର ସମାଧାନ, ନୂଆ ଅନୁଚ୍ଛେଦ ଲେଖିବା ଏବଂ ବିଭିନ୍ନ ଡିଜିଟାଲ୍ କାର୍ଯ୍ୟରେ ସହାୟତା ପାଇପାରିବେ। ଏହି ସମ୍ପୂର୍ଣ୍ଣ ପାଠ୍ୟକ୍ରମ ଜାତୀୟ ପାଠ୍ୟକ୍ରମ ଫ୍ରେମ୍ୱର୍କ ଫର୍ ସ୍କୁଲ୍ ଶିକ୍ଷା (NCFSE) ୨୦୨୩ ଅଧୀନରେ ପ୍ରସ୍ତୁତ ହେଉଛି।










 
			
 
                                 
 
							







