ନୂଆପଡ଼ା ଉପନିର୍ବାଚନରେ ଭାଜପା ବାଜିମାତ୍ କରିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡ଼ା ବିଜୟକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନୂଆପଡ଼ା ବିଜୟ ଓଡ଼ିଶା ରାଜନୀତିରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ସରକାରଙ୍କ ନୀତି, ଜନକଲ୍ୟାଣ କାର୍ଯ୍ୟକ୍ରମ ପ୍ରତି ଲୋକଙ୍କ ଆସ୍ଥାକୁ ପ୍ରମାଣିତ କରୁଛି। ବିରୋଧୀଙ୍କ ଅପପ୍ରଚାର, ମିଥ୍ୟା ପ୍ରତିଶ୍ରୁତିକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି। ବିକାଶକୁ ସମର୍ଥନ କରି ଲୋକେ ଭାଜପାକୁ ସ୍ପଷ୍ଟ ଜନାଦେଶ ଦେଇଛନ୍ତି। ଦେଶରେ ମୋଦିଙ୍କ ନେତୃତ୍ୱ ବିକାଶର ଏକମାତ୍ରା ପରିଭାଷା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୋଦିଙ୍କ ମାର୍ଗଦର୍ଶନରେ ରାଜ୍ୟର ବିକାଶ ପାଇଁ ଭାଜପା ଦିନରାତି କାମ କରିଚାଲିଛି। ନୂଆପଡ଼ାବାସୀଙ୍କ ସମର୍ଥନ ଦଳକୁ ନୂଆ ପ୍ରେରଣା ଏବଂ ଶକ୍ତି ଦେଇଛି। ନୂଆପଡ଼ାର ବିକାଶ ପାଇଁ ଦଳ ସଂପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖମନ୍ତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରକାଶ କରିଛନ୍ତି।
ସୂଚନା ଯୋଗ୍ୟ ନୂଆପଡ଼ା ଉପନିର୍ବାଚନ ଭୋଟ ଗଣତି ଶୁକ୍ରବାର ଶେଷ ହୋଇ ଫଳଫଳ ପ୍ରକାଶ ପାଇଛି। ଅନ୍ତିମ ତଥା ୨୯ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ୧୨୩୮୬୯ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଘାସିରାମ ମାଝୀଙ୍କୁ ୪୦ ହଜାର ୧୨୧ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୩୮ ହଜାର ୪୦୮ ଖଣ୍ଡ ଭୋଟ ମିଳିଛି।
ଓଡ଼ିଶା ବିଧାନସଭା ନିର୍ବାଚନ-୨୦୧୪ରେ ନୂଆପଡ଼ା ଆସନରେ ଭାରତୀୟ ଜନତା ପାର୍ଟି ପ୍ରଥମ ଥର ପଦ୍ମ ଫୁଟାଇଥିଲା। ସେହି ସମୟରେ ବିଜେପିର ପ୍ରାର୍ଥୀ ବସନ୍ତ ପଣ୍ଡା ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ତାଙ୍କୁ ୫୫,୨୫୨ ଖଣ୍ଡ ଭୋଟ୍ ମିଳିଥିଲା। ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କୁ ୪୬,୨୦୭ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବସନ୍ତ ପଣ୍ଡା ୯,୬୧୦ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଏହି ଆସନରେ କଂଗ୍ରେସର ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୨୦,୩୩୦ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ। ସେହି ସମୟରେ ରାଜେନ୍ଦ୍ର ଢୋଲକିଆଙ୍କୁ ୬୫,୬୪୭ ଖଣ୍ଡ ଭୋଟ୍ ମିଳିଥିଲା। ୨୦୨୪ ନିର୍ବାଚନରେ ବିଜେଡି ସରକାରର ବିପର୍ଯ୍ୟୟ ଘଟିଥିଲା। କିନ୍ତୁ ରାଜେନ୍ଦ୍ର ଢୋଲକିଆ ପୁଣି ଥରେ ନୂଆପଡ଼ାରେ ବିଜୟୀ ହୋଇଥିଲେ। ସେ ୬୧,୮୨୨ ଖଣ୍ଡ ଭୋଟ୍ ପାଇ କଂଗ୍ରେସର ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୧୦,୮୮୧ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ। ଗତ ନିର୍ବାଚନରେ ବିଜେପି ଏଠାରେ ତୃତୀୟ ସ୍ଥାନରେ ଥିଲା।

















