ଭୁବନେଶ୍ୱର: ଉପନିର୍ବାଚନରେ ବିଜୁ ଜନତା ଦଳର ପରାଜୟ ପରେ ଆଜି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ପରାଜୟର କାରଣ ଖୋଜିଛନ୍ତି। ନବୀନ ନିବାସରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ନୂଆପଡ଼ା ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ ଏବଂ ପରାଜିତ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇଥିଲେ। ସମୀକ୍ଷା ସମୟରେ ନବୀନ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀଙ୍କୁ ସାହସ ବାନ୍ଧିବାକୁ କହିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନର ସରକାରଙ୍କୁ ଭୟ କରିବାର ଆବଶ୍ୟକତା ନାହିଁ। ତୃଣମୂଳ ସ୍ତରରୁ ସଂଗଠନକୁ ଆହୁରି ସୁଦୃଢ଼ କରିବାକୁ ପଡ଼ିବ। ଜନସାଧାରଣଙ୍କ ସମସ୍ୟାକୁ ନେଇ ସରକାରଙ୍କ ବିରୋଧରେ ଲଢ଼େଇ ଜାରି ରଖିବାକୁ ହେବ।
ସମୀକ୍ଷା ପରେ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ନେହାଙ୍ଗିନୀ ଛୁରିଆ ଶାସକ ବିଜେପି ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁଯାୟୀ,”ବିଜେପି ପ୍ରଶାସନର ସହାୟତାରେ ବୁଥ୍ ରିଗିଂ କରି ଏହି ବିଜୟ ହାସଲ କରିଛି। ବର୍ତ୍ତମାନ ପ୍ରଶାସନ ବିଜେପିର ହାତବାରିସି ସାଜିଛି। ବିଜେଡିର ଅଭିଯୋଗ ଶୁଣାଯାଉ ନାହିଁ।”ଏଥିସହିତ ସେ ଚାଷୀଙ୍କ ସମସ୍ୟା ଉଠାଇ କହିଛନ୍ତି ଯେ ରାଜ୍ୟରେ ଧାନ କିଣାବିକାରେ ଅବ୍ୟବସ୍ଥା ଦେଖାଦେଇଛି। ସରକାରଙ୍କ କଥା ଓ କାମ ମଧ୍ୟରେ କୌଣସି ସମାନତା ନାହିଁ।
ପରାଜୟ ସତ୍ତ୍ୱେ ବିଜେଡି ନେତୃବୃନ୍ଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ନୂଆପଡ଼ାର ୬ଟି ଜିଲ୍ଲା ପରିଷଦ ଆସନରୁ ୫ଟି ଏବେ ମଧ୍ୟ ବିଜେଡି ଦଖଲରେ ଅଛି। ଆଗାମୀ ପଞ୍ଚାୟତ ନିର୍ବାଚନ ବାଲାଟ ପେପରରେ ହେବାକୁ ଥିବାରୁ, ସେତେବେଳେ ଜନସାଧାରଣ ବିଜେପିକୁ ଉଚିତ୍ ଜବାବ ଦେବେ ବୋଲି ଦଳ ଆଶା ରଖିଛି।

















