ଭୁବନେଶ୍ୱର, – ପୁରୀ ଜିଲ୍ଲାର ଗୋପ ବ୍ଲକର ୩୧ ପଞ୍ଚାୟତ ଓ କୋଣାର୍କ ବିଜ୍ଞାପିତ ଅଞ୍ଚକକୁ ଏକତ୍ର କରି, “ପଦ୍ମକ୍ଷେତ୍ର ବିଧାନସଭା ନିର୍ବାଚନମଣ୍ଡଳୀ” ଭାବରେ ଘୋଷଣା କରିବା ପ୍ରସ୍ତାବ ରଖିଛନ୍ତି ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ପ୍ରସାନ୍ତ ସ୍ୱାଇଁ (ଲୁଲୁ)।
୧୦ ଏପ୍ରିଲ ୨୦୨୫ ରେ ସେ ମୁଖ୍ୟ ନିର୍ବାଚନ କମିଶନ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି, ଗୋପ ଓ କୋଣାର୍କର ସାଂସ୍କୃତିକ କ୍ଷେତ୍ର, ପ୍ରାକୃତିକ ସମ୍ପଦ, ପର୍ଯ୍ୟଟନ ସମ୍ଭାବନା ଓ ସାହିତ୍ୟ-ସଂସ୍କୃତିକ ପରମ୍ପରାକୁ ଉଦ୍ଧୃତ କରିଥିଲେ। ସେଥିରେ କୁହାଯାଇଥିଲା ଯେ, ଭବିଷ୍ୟତରେ ବିଧାନସଭା ଆସନ ବୃଦ୍ଧି କିମ୍ବା ଡିଲିମିଟେସନ ହେଲେ, ପ୍ରଥମ ପ୍ରାଥମ୍ୟରେ ଗୋପ-କୋଣାର୍କକୁ ସ୍ୱତନ୍ତ୍ର ଆସନ କରାଯିବା ଉଚିତ।
ଏହି ପ୍ରସ୍ତାବକୁ ଗ୍ରହଣ କରି ନିର୍ବାଚନ କମିଶନ (ଭାରତ) ୧୫ ଏପ୍ରିଲ ୨୦୨୫ ରେ ପତ୍ର (ନଂ. ୫୦୨୧୨) ଜାରି କରିଥିଲେ। ପରେ ୯ ମେ ୨୦୨୫ ରେ ଓଡ଼ିଶାର ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ “ପ୍ରସ୍ତାବ କୁ ଗ୍ରହଣ କରିଛନ୍ତି, ସମୟ ସୁଯୋଗରେ ପ୍ରୟୋଜନୀୟ ପଦକ୍ଷେପ ଗ୍ରହଣ କରାଯିବ” ବୋଲି ଅଧିକୃତ ପ୍ରତିକ୍ରିୟା ଦିଆଯାଇଛି ।
ସ୍ଥାନୀୟ ଲୋକମାନେ ଏହି ପ୍ରସ୍ତାବକୁ ସ୍ୱାଗତ କରି, “ପଦ୍ମକ୍ଷେତ୍ର ନାମରେ ସ୍ୱତନ୍ତ୍ର ବିଧାନସଭା ଆସନ ହେଲେ, ଗୋପ ଓ କୋଣାର୍କର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ । ଏହା ଅଞ୍ଚଳର ପରିଚୟକୁ ସୁଦୃଢ଼ କରିବ,” ବୋଲି ମତ ପ୍ରକାଶ କରିଛନ୍ତି।
“ପଦ୍ମକ୍ଷେତ୍ର” ନାମର ସାର୍ଥକତା କେତେ ବୋଲି ପ୍ରଶ୍ନ ର ପ୍ରତିକ୍ରିୟା ରେ ଶ୍ରୀ ସ୍ୱାଇଁ ପଦ୍ମ ର ପୌରାଣିକ ଅର୍ଥ ପ୍ରଜ୍ଞା, ଶୁଭ ଓ ପବିତ୍ରତାର ପ୍ରତୀକ ଓ କ୍ଷେତ୍ର ମାନେ ପବିତ୍ର ଭୂମି ଏହି ଦୁଇଟି ମିଶି “ପଦ୍ମକ୍ଷେତ୍ର” ରଖିବା ସହ ଭୌଗୋଳିକ ସମ୍ପର୍କ ଅନୁଯାୟୀ କୋଣାର୍କ ସୂର୍ଯ୍ୟମନ୍ଦିର ମଧ୍ୟରେ ପଦ୍ମାକାର ଶିଳ୍ପରେ ସୂର୍ଯ୍ୟଙ୍କ ସଂସ୍କାର, ଗୋପର ପୁରାତନ ମଠ ଓ ଦେଉଳମାନେ “ପଦ୍ମ” ସଙ୍କେତକୁ ଧାରଣ କରିଛି, ଏଥିସହ ଏହାର ସାହିତ୍ୟ-ସଂସ୍କୃତି ବିଷୟରେ ଭକ୍ତ ବଳରାମ ଦାସଙ୍କ ରଚନାରେ “ପଦ୍ମକ୍ଷେତ୍ର” ପୁରୀ-କୋଣାର୍କର ପବିତ୍ରତାକୁ ସ୍ଥାନ ପାଇଛି ଏବଂ ଆଧୁନିକ ଅର୍ଥ: ଗୋପ-କୋଣାର୍କକୁ ଏକତ୍ର କରି “ପଦ୍ମକ୍ଷେତ୍ର” ନାମରେ ସ୍ୱତନ୍ତ୍ର ବିଧାନସଭା ଆସନ ହେବା, ଅଞ୍ଚଳର ଆତ୍ମସମ୍ମାନ ଓ ପରିଚୟକୁ ଅଧିକ ସୁଦୃଢ଼ କରିବ ବୋଲି ଦୃଢତାର ସହ ମତ ଦେଇଛନ୍ତି।