ଓଡ଼ିଶା ପାଇଁ ଏବେ ଆଳୁ ସମସ୍ୟାର ସମାଧାନ ହେବାକୁ ଯାଉଛି। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ସରକାରର ପତନ ପରେ ଓଡ଼ିଶାକୁ ଆଳୁ ପଠାଇବା ଉପରେ ଲାଗିଥିବା କଟକଣା ହଟିବା ନେଇ ଆଶା ସଂଚାର ହୋଇଛି। ଏହାଫଳରେ ଓଡ଼ିଶା ବଜାରରେ ଆଳୁ ଅଭାବ ଦୂର ହେବା ସହ ଗ୍ରାହକଙ୍କ ମଧ୍ୟରେ ଥିବା ଅସନ୍ତୋଷ ହ୍ରାସ ପାଇବ।
କ’ଣ ଥିଲା ପୁରା ବିବାଦ?
- ସରକାର ବଦଳିବା ପରେ ବଦଳିଥିଲା ଆଭିମୁଖ୍ୟ: ପୂର୍ବରୁ ଓଡ଼ିଶାରେ ବିଜେଡି ସରକାର ଥିବା ବେଳେ ମମତା ବାନାର୍ଜୀ ଓ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବାରୁ ଆଳୁ ଯୋଗାଣ ସ୍ବାଭାବିକ ଥିଲା। ମାତ୍ର ଓଡ଼ିଶାରେ ବିଜେପି ସରକାର ଆସିବା ପରେ ମମତାଙ୍କ ଆଭିମୁଖ୍ୟ ବଦଳି ଯାଇଥିଲା।
- ସୀମାରେ ପଲିଟିକ୍ସ: ଓଡ଼ିଶାକୁ ଆଳୁ ନପଠାଇବା ପାଇଁ ପଶ୍ଚିମବଙ୍ଗ ସରକାର ବ୍ୟବସାୟୀଙ୍କୁ ତାଗିଦ୍ କରିବା ସହ ସୀମାରେ ଟ୍ରକ୍ ଗୁଡ଼ିକୁ ଅଟକାଇ ‘ଆଳୁ ପଲିଟିକ୍ସ’ କରୁଥିବା ଅଭିଯୋଗ ହୋଇଥିଲା।
- ବ୍ୟବସାୟୀଙ୍କ ଅସନ୍ତୋଷ: ଗତ ୨୦୨୪ ଡିସେମ୍ବରରେ ପଶ୍ଚିମବଙ୍ଗର ଆଳୁ ବ୍ୟବସାୟୀ ଏବଂ ଶୀତଳ ଭଣ୍ଡାର ସଂଘ ଏହି କଟକଣା ବିରୋଧରେ ପ୍ରତିବାଦ ମଧ୍ୟ କରିଥିଲେ।
ଏବେ କ’ଣ ହେବ ?
ପଶ୍ଚିମବଙ୍ଗରେ ମମତା ସରକାର ଭୁଶୁଡ଼ିବା ପରେ ବ୍ୟବସାୟୀଙ୍କ ଉପରୁ ବିକ୍ରିବଟା କଟକଣା ହଟିଯାଇଛି। ଏବେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ସ୍ୱାଭାବିକ ଭାବେ ଆଳୁ ଆସିବ, ଯାହାଦ୍ୱାରା ଦରଦାମ ନିୟନ୍ତ୍ରଣରେ ରହିବ ବୋଲି ଆଶା କରାଯାଉଛି। ମମତାଙ୍କ ପରାଜୟ ଓଡ଼ିଶାର ରୋଷେଇ ଘର ପାଇଁ ଏକ ବଡ଼ ଆଶ୍ୱସ୍ତି ସାବ୍ୟସ୍ତ ହୋଇଛି।











