ପୂର୍ବତନ AIADMK ମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ ସି.ଭି. ଶନମୁଗମଙ୍କ ମହିଳା ବିରୋଧୀ ବିବୃତ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏକ ଭାଷଣରେ ସେ ମହିଳାମାନଙ୍କୁ ସରକାରୀ ମାଗଣା ସାମଗ୍ରୀ ସହିତ ତୁଳନା କରିଥିଲେ। ସେ କହୁ କହୁ କହିଦେଇଥିଲେ ଯେ ଡିଏକେ ସରକାର ସବୁ ଏବେ ମାଗଣା ଦେବାକୁ ଘୋଷଣା କରୁଛନ୍ତି । ଶନମୁଗମ କହିଥିଲେ, “ନିର୍ବାଚନ ପାଇଁ ଡିଏମକେ ସରକାର ଅନେକ ଘୋଷଣା କରିବେ । ସେମାନେ ମାଗଣାରେ ମିକ୍ସର ଗ୍ରାଇଣ୍ଡର, ଛେଳି ଏବଂ ଗାଈ ଦେବେ, ଏବଂ ସେମାନେ ସମସ୍ତଙ୍କୁ ମାଗଣାରେ ପତ୍ନୀ ମଧ୍ୟ ଦେବାକୁ ଘୋଷଣା କରିପାରନ୍ତି।” ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଭୋଟ ପାଇବାକୁ ଏପରି ପ୍ରତିଶ୍ରୁତି ଦେଇପାରନ୍ତି।
ଏହାକୁ ନେଇ ଡିଏମକେ ଘୋର ପ୍ରତିବାଦ କରିଛି । ଡିଏମକେ ମନ୍ତ୍ରୀ ଥିରୁମିଗୁ ଗୀତା ଜୀବନ, ଶନମୁଗମଙ୍କୁ ଟାର୍ଗେଟ କରିଛନ୍ତି । ସେ ରାଜ୍ୟର ମହିଳାମାନଙ୍କୁ ଅପମାନିତ କରିଥିବା ଅଭିଯୋଗ ଆଣିଛନ୍ତି । କହିଛନ୍ତି ଯେ AIADMK ନେତାମାନଙ୍କର ମହିଳାଙ୍କ ପ୍ରତି ବିକୃତ ମାନସିକତା ଏବଂ ଘୃଣା ରହିଛି । ସେ କହିଛନ୍ତି ଯେ ଡିଏମକେ ମହିଳା ସଶକ୍ତିକରଣ ପାଇଁ ଅନେକ ଯୋଜନା ଆରମ୍ଭ କରିଛି । ଏହା ଏଆଇଏଡିଏମକେ ଦେହରେ ଯାଉନାହିଁ । ରାଜ୍ୟରେ ମହିଳା ବିକାଶ ପାଇଁ ଭିଡିଆଲ ପାୟାନମ୍, କଲାଇଗନାର ମହିଳା ଅଧିକାର ଯୋଜନା, ପୁଧୁମାଇ ପେନ୍ ଯୋଜନା, କର୍ମଜୀବୀ ମହିଳାଙ୍କ ପାଇଁ ଥୋଝି ଛାତ୍ରାବାସ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଋଣ ସୀମା ବୃଦ୍ଧି ଏବଂ ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଭଳି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଅଛି । ଜୟଲଳିତା ଜୀବିତ ଥିବା ସମୟରେ ତାଙ୍କ ନେତା ଏପରି କହିଥାନ୍ତେ କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଡିଏମକେ କହିଛି ଯେ ଷ୍ଟାଲିନଙ୍କ ନେତୃତ୍ୱରେ, ତାମିଲନାଡୁ ବିକାଶ କରୁଛି । ମହିଳାଙ୍କ ଆର୍ଥିକ ସ୍ୱାଧୀନତା, ଶିକ୍ଷାରେ ଅଂଶଗ୍ରହଣ ଏବଂ ନିଯୁକ୍ତି ସୁଯୋଗକୁ ଉନ୍ନତ କରିଛି। ଏଆଇଏଡିଏମକେ ଏହା ସହ୍ୟ କରିପାରୁନାହିଁ । ଯାହା ଶନମୁଗମଙ୍କ ବକ୍ତବ୍ୟରୁ ଜଣାପଡୁଛି ।