ସମ୍ବଲପୁର ଜିଲ୍ଲା ଏବଂ ବରଗଡ଼ରେ ଚାଷୀଙ୍କ ଅସନ୍ତୋଷ ଉଗ୍ର ହେବାରେ ଲାଗିଛି । ଧାନ ସଂଗ୍ରହ ବିଳମ୍ବ ସହ ଟୋକନ୍ ବିତରଣରେ ଅବହେଳା ପାଇଁ ଚାଷୀମାନେ ବଡ଼ ଆନ୍ଦୋଳନ ପାଇଁ ଚେତାବନୀ ଦେଲେଣି । ଓଡ଼ିଶାର ଶସ୍ୟଭଣ୍ଡାର କୁହାଯାଉଥିବା ବରଗଡ଼ ଜିଲ୍ଲାରେ ଏଥର ପ୍ରଥମ ଥର ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଏତେ ବିଳମ୍ବରେ ଆରମ୍ଭ ହେଉଛି। ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଶୁକ୍ରବାର ଠାରୁ ଧାନ କିଣା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ମାତ୍ର, ଆଜି ପର୍ଯ୍ୟନ୍ତ ଚାଷୀମାନଙ୍କୁ ଧାନ ବିକ୍ରି ଟୋକନ୍ ମିଳିପାରି ନଥିବାରୁ ସରକାରୀ କଳର ଅବହେଳା ଓ ଅପାରଗତା ପଦାରେ ପଡ଼ିଛି।
କୃଷକ ସଂଗଠନର ଚେତାବନୀ
ଏହି ବିଳମ୍ବ ଏବଂ ଅବ୍ୟବସ୍ଥା ଯୋଗୁଁ ଜିଲ୍ଲାରେ ଚାଷୀ ଅସନ୍ତୋଷ ପୁଣି ଥରେ ତେଜି ଉଠିଛି। ଗୁରୁବାର ଦିନ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଚାଷୀନେତା ଅକ୍ଷୟ କୁମାର ମଧ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଗତ ବର୍ଷ ଭଳି ଏବର୍ଷ ଯଦି ସରକାର ଚାଷୀଙ୍କ ସମସ୍ୟା ସମାଧାନ ନକରନ୍ତି ତେବେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ସେ କହିଛନ୍ତି ।
ଚାଷୀଙ୍କ କଣ ରହିଛି ମୁଖ୍ୟ ଦାବି
ଚାଷୀମାନେ ସ୍ମାରକପତ୍ରରେ ଧାନ ବିକ୍ରି ପଞ୍ଜୀକରଣରୁ ବାଦ୍ ପଡ଼ିଥିବା ଚାଷୀଙ୍କୁ ତୁରନ୍ତ ପଞ୍ଜୀକୃତ କରିବାକୁ ଦାବି କରିଛନ୍ତି । ତୁରନ୍ତ ଧାନ କ୍ରୟ ବ୍ୟବସ୍ଥାରେ ଥିବା ସମସ୍ୟା ସମାଧାନ କରିବାକୁ ଦାବି କରାଯାଇଛି।
ଚାଷୀନେତା ଦେଲେ ଆନ୍ଦୋଳନ ଧମକ
ଚାଷୀମାନଙ୍କ ଦୀର୍ଘ ଦିନର ଦାବି ପୂରଣ କରିବାକୁ ଅଡ଼ି ବସିଛନ୍ତି । ସେମାନଙ୍କ ଦାବି ପୂରଣ ନହେଲେ କୌଣସି ମୁହୂର୍ତ୍ତରେ ବଡ଼ ଧରଣର ଆନ୍ଦୋଳନକୁ ଓହ୍ଲାଇବାକୁ ଚାଷୀ ସଂଗଠନ ଚେତାବନୀ ଦେଇଛି। ସଂଯୁକ୍ତ କୃଷକ ସଂଗଠନ ସରକାରଙ୍କ ଧାନ ସଂଗ୍ରହ ନୀତିର ତ୍ରୁଟି ଉପରେ ଆଲୋକପାତ କରିଛନ୍ତି । ଧାନ ସଂଗ୍ରହ ନୀତି ଅନୁଯାୟୀ, ଖରିଫ ଧାନ କ୍ରୟ ନଭେମ୍ବର ୧ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବା କଥା । ଏହାକୁ ଜାଣିଶୁଣି ବିଳମ୍ବ କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ପ୍ରକୃତ ଚାଷୀମାନେ ଧାନ ବିକ୍ରି ପଞ୍ଜୀକରଣରୁ ବାଦ୍ ପଡ଼ୁଛନ୍ତି। ରାସାୟନିକ ସାର ଓ ଉନ୍ନତ ବିହନ ଯୋଗୁଁ ଉତ୍ପାଦନ ବଢ଼ିଥିଲେ ମଧ୍ୟ, ସରକାର ଜଳସେଚିତ ଅଞ୍ଚଳରେ ଏକର ପିଛା ୧୯ କ୍ୱିଣ୍ଟାଲ୍ ଏବଂ ଅଣଜଳସେଚିତ ଅଞ୍ଚଳରେ ୧୩ କ୍ୱିଣ୍ଟାଲ୍ ଧାନ କିଣିବାରେ ସୀମିତ ରହିଛନ୍ତି, ଫଳରେ ଚାଷୀଙ୍କ ବଳକା ଧାନ ବିକ୍ରି ହୋଇପାରୁ ନାହିଁ।
ମଣ୍ଡିରେ ଲାଗିରହିଛି ଅନିଶ୍ଚିତତା
ଗୋଟିଏ ପଟେ ମଣ୍ଡି ଖୋଲିବା ବିଳମ୍ବ ହେଉଥିବାବେଳେ, ଅନ୍ୟ ପଟେ ଟୋକନ୍ ନ ମିଳିବାରୁ ଆରମ୍ଭରୁ ହିଁ ଅଡୁଆ ସ୍ଥିତି ସୃଷ୍ଟି ହୋଇଛି। ଗତବର୍ଷ ଚାଷୀମାନେ ଏଭଳି ସମସ୍ୟାରେ ପଡ଼ିଥିଲେ । ଚାଷୀମାନେ ଅଭାବୀ ଧାନ ବିକ୍ରି କରିଥିଲେ । କଟନି ଛଟନି ଅଭିଯୋଗ ହୋଇଥିଲା । କେହି ଶୁଣିନଥିଲେ । ମିଲର ମାନେ ବସ୍ତାରେ 5 କିଲୋ କଟନି କରିଥିବା ଚାଷୀ ଅଭିଯୋଗ କରିଥିଲେ । ବାଧ୍ୟ ହୋଇ ଚାଷୀମାନେ ବିଭିନ୍ନ ମଣ୍ଡିରେ ହଜାର ହଜାର ବସ୍ତା ଧାନ ବିକ୍ରି ପାଇଁ ଆଗୁଆ ରଖି ସାରିଲେଣି। କିନ୍ତୁ ଟୋକନ୍ ନ ମିଳିବା ଯୋଗୁଁ ଏହି ଧାନ କେବେ ଉଠିବ ଏବଂ କେବେ ଚାଷୀ ଟଙ୍କା ପାଇବେ, ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି।


















