ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ସନ୍ଧ୍ୟା ୫ଟାରେ ଶେଷ ହୋଇଛି। ମତଦାନ ପାଇଁ ନିର୍ଦ୍ଧାରିତ ସମୟ ଶେଷ ହୋଇଥିଲେ ମଧ୍ୟ କିଛି ସ୍ଥାନରେ ବୁଥ୍ ପରିସର ଭିତରେ ଥିବା ମତଦାତା ଭୋଟ୍ ଦେଉଛନ୍ତି। ସନ୍ଧ୍ୟା ୭ଟା ପୂର୍ବରୁ ଶେଷ ହୋଇଯିବାର ଆଶା କରାଯାଉଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ, ନୂଆପଡ଼ା ଉପନିର୍ବାଚନ ମଣ୍ଡଳୀରେ ଥିବା ମାଓ ଅଧ୍ୟୁଷିତ ଅଞ୍ଚଳରେ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ସରିଛି। ଆଜି ନୂଆପଡା ବିଧାନସଭା ଉପନିର୍ବାଚନରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୭୨.୩୧% ମତଦାନ ହୋଇଛିl ରିପୋର୍ଟ ଲେଖାଯିବା ବେଳକୁ ମଧ୍ୟ ଭୋଟିଂ ଚାଲିଛିl କିନ୍ତୁ ସବୁ ବୁଥ୍ର ଗେଟ୍ ବନ୍ଦ କରାଯାଇଛି। ଅର୍ଥାତ ମତଦାନ କେନ୍ଦ୍ର ପରିସରରେ ଥିବା ମତଦାତା ମତଦାନ କରିପାରିବେ।




















