ଆଜି ଶେଷ ଦିନ ପ୍ରଚାର ଥିବାରୁ ସବୁ ଦଳ ଓ ପ୍ରାର୍ଥୀମାନେ ଆଜି ଜୋରଦାର ପ୍ରଚାର କରିବେ। ଦିନ ୪ଟାରୁ ଲାଗୁ ହେବ ସାଇଲେନ୍ସ ପିରିୟଡ୍ । ମତଦାନ ପୂର୍ବର ୪୮ ଘଣ୍ଟା ପୂର୍ବ ସମୟ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଯାହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପ୍ରଶାସନକୁ କୁହାଯାଇଛି। ମତଦାନର ୪୮ ଘଣ୍ଟା ପୂର୍ବର ଅବଧି ଅର୍ଥାତ ନୀରବ ଅବଧି, କୌଣସି ରାଜନୈତିକ ପ୍ରଲୋଭନ କିମ୍ବା ପ୍ରଚାର ଦ୍ୱାରା ପ୍ରଭାବିତ ନ ହୋଇ, ଭୋଟରମାନଙ୍କୁ ସେମାନଙ୍କ ମତଦାନର ନିରପେକ୍ଷ ନିଷ୍ପତ୍ତି ନିର୍ଣ୍ଣୟ କରିବା ପାଇଁ ଯୋଗାଇ ଦିଆଯାଇଥାଏ।
ଦ୍ବିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ାରେ ନିର୍ବାଚନ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ, ୨୪ ବର୍ଷ ଧରି ବିଜେଡି ଶାସନରେ ରହିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନାବେଡ଼ାକୁ ଆସିଥିଲେ କି? ହେଲେ ଓଡ଼ିଶାରେ ବିଜେପି ସରକାର ହେବାପରେ ସୁନାବେଡ଼ା ଅଞ୍ଚଳରେ ବସବାସ କରୁଥିବା ଚକୋଟିଆ ଭୁଞ୍ଜିଆ ସଂପ୍ରଦାୟର ସମସ୍ୟା ବୁଝିବାକୁ ଏଠାକୁ ଟାଣିହୋଇ ଆସିଲି। ଏହି ଅଞ୍ଚଳର ବିକାଶକୁ ଆଗକୁ ନେବା ପାଇଁ ଏହି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଭୋଟ ଦେବାକୁ ସେ ଅନୁରୋଧ କରିଥିଲେ।



















