ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଓଡ଼ିଶା ପୁଲିସ ସବ୍ ଇନ୍ସପେକ୍ଟର (SI) ନିଯୁକ୍ତି ସ୍କାମ୍ ର ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଶଙ୍କର ପୃଷ୍ଟିଙ୍କୁ ଶେଷରେ କ୍ରାଇମବ୍ରାଞ୍ଚ ଗିରଫ କରିବାରେ ସଫଳ ହୋଇଛି। ଗଞ୍ଜାମ ଜିଲ୍ଲାର ଏହି ମୁଖ୍ୟ ଅଭିଯୁକ୍ତଙ୍କୁ ନେପାଳ ସୀମାନ୍ତ ଅଞ୍ଚଳରୁ କାବୁ କରାଯାଇଛି। ମାମଲା ପଦାକୁ ଆସିବା ପରେ ଶଙ୍କର ଫେରାର ହୋଇଯାଇଥିଲେ।
ଗାଜିଆବାଦରେ ଥିବା ତାଙ୍କ ଘରେ କ୍ରାଇମବ୍ରାଞ୍ଚ୍ ଚଢ଼ଉ କରିବା ପରେ ସେ ସେଠାରୁ ନେପାଳ ପଳାଇଥିଲେ। ନିକଟରେ ସେ ନେପାଳରୁ ଉତ୍ତରାଖଣ୍ଡର ଚମ୍ପାବତକୁ ଆସି ଜାମିନ ପାଇଁ ଜଣେ ଓକିଲଙ୍କ ସହ ଯୋଗାଯୋଗରେ ଥିଲେ। ଶଙ୍କର ଓ ତାଙ୍କ ପତ୍ନୀଙ୍କ ଆଗୁଆ ଜାମିନ ଆବେଦନକୁ ପୂର୍ବରୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଥିଲେ।
ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (OPRB) ଦ୍ବାରା ପରିଚାଳିତ ଏହି SI ନିଯୁକ୍ତି କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ୧୨୪ ଜଣଙ୍କୁ ଗିରଫ କରିସାରିଲାଣି। ପରୀକ୍ଷାର୍ଥୀଙ୍କୁ ଜାମିନି ମିଳିଛି । ମୁଖ୍ୟ ଅଭିଯୁକ୍ତର ଗିରଫଦାରୀ ପରେ ଏହି ମାମଲାରେ ଆହୁରି ଅନେକ ଗୁମର ଖୋଲିବାର ସମ୍ଭାବନା ରହିଛି।
ଗିରଫ ସମୟରେ ଶଙ୍କର ନିକଟରୁ ଦୁଇଟି ମୋବାଇଲ୍ ଫୋନ ଓ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଏହା ସହିତ ଗାଜିଆବାଦସ୍ଥିତ ତାଙ୍କ ଘରୁ ଗୋଟିଏ ଫର୍ଚୁନର୍ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି। ଅନ୍ୟ ଏକ କ୍ରାଇମବ୍ରାଞ୍ଚ ଟିମ୍ ଗାଜିଆବାଦରେ ତାଙ୍କ ପତ୍ନୀ ଓ ପିଲାମାନଙ୍କୁ ଜେରା କରୁଥିବା ବେଳେ ଗିରଫ ଅଭିଯୁକ୍ତ ଶଙ୍କର ପୃଷ୍ଟିଙ୍କୁ ନେଇ ଟିମ୍ ଓଡ଼ିଶା ଅଭିମୁଖେ ଆସି ଭୁବନେଶ୍ବରରେ ପହଁଚିଛି । ଭୁବନେଶ୍ୱରରେ ପହଞ୍ଚିବା ପରେ ଗିରଫ ଶଙ୍କର ପୃଷ୍ଟିର ବଡ଼ ଖୁଲାସା କରିଛି। ପୂର୍ବ ସରକାରରେ SI ପରୀକ୍ଷାରେ ହଜାରେ କୋଟିର ଡିଲ୍ ହୋଇଥିବା ସେ ଦାବି କରିଛି । ଯାହାକୁ ନେଇ ରାଜନୀତି ଜୋରଧରିଛି ।




















