ବାରଣାସୀ,: ବାରାଣସୀରେ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ଯାହାକି ଠିକ୍ ଅଭିନେତ୍ରୀ ସୋନମ୍ କପୁରଙ୍କ ଚଳଚ୍ଚିତ୍ର ‘ଡଲି କି ଡୋଲି’ର କାହାଣୀକୁ ମନେ ପକାଇ ଦେଇଛି। ଜଣେ ବୋହୂ 10ଟି ବିବାହ କରି ସ୍ବାମୀ ଘରୁ ଲୁଟି ନେଇଛି ଟଙ୍କା, ସୁନା । ତେବେ ବାରଣାସୀରେ ଏପରି ମିଛ ବିବାହ କରି ବିବାହର ପ୍ରଥମ ରାତିରେ ଘରୁ ନଗଦ ଟଙ୍କା ଏବଂ ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିବା ଅଭିଯୋଗ ପରେ ପୋଲିସ ଲୁଟେରା ନୂଆ ବୋହୁକୁ ଗିରଫ କରିଛି ।
ଘଟଣା ଅନୁସାରେ ଗତ ସପ୍ତାହରେ ବାରଣାସୀର ଏକ ମଧ୍ୟବିତ୍ତ ପରିବାରର ପୁଅ ସହ ଏହି ଠକ ବୋହୁ ରାଣୀର ବିବାହ ହୋଇଥିଲା। ବିବାହ ସମୟରେ ବୋହୂ ପକ୍ଷରୁ ସେମାନେ ନିଜକୁ ଏକ ସମ୍ଭ୍ରାନ୍ତ ପରିବାର ବୋଲି ପରିଚୟ ଦେଇଥିଲେ। କିନ୍ତୁ ବିବାହର ପରଦିନ ସକାଳେ ଯେତେବେଳେ ବରଘର ଲୋକେ ଉଠିଲେ, ବୋହୂକୁ ଘରେ ଦେଖିବାକୁ ମିଳିଲା ନାହିଁ। ଏହା ସହ ଘରେ ଥିବା ସମସ୍ତ ଗହଣା ଏବଂ ନଗଦ ଟଙ୍କା ମଧ୍ୟ ଗାଏବ ହୋଇଯାଇଥିଲା।
ଘର ଲୋକେ ସୋନଭଦ୍ରା ଥାନାରେ ମାମଲା ଦାୟର କଲେ । ପୋଲିସ ଏକ ଟିମ ଗଠନ କରିବା ପରେ ତଦନ୍ତ ଆରମ୍ଭ କରି ଏହି ଗ୍ୟାଙ୍ଗର ଠିକଣା ପାଇଥିଲା । ବୋହୁ ରାଣୀକୁ ଗିରଫ କରିବା ପରେ ସେ ଏପରି 10ଜଣଙ୍କୁ ବାହା ହୋଇଥିବା ଜଣାପଡ଼ିଛି । ତା ନିକଟରୁ ଅନେକ ସୁନା ଗହଣା ସହ ଟଙ୍କା ଜବତ ହୋଇଛି । ଏଥିରେ ତାର ସ୍ବାମୀ ରବି ରଞ୍ଜନ ମୁଖ୍ୟ ସହଯୋଗୀ ଥିବା ପୋଲିସ କହିଛି । ଗ୍ୟାଙ୍ଗରେ ଅନେକ ସଦସ୍ୟ ଅଛନ୍ତି ଯେଉଁମାନେ ବୋହୂର ସମ୍ପର୍କୀୟ ଭାବେ ପରିଚୟ ଦେଉଥିଲେ । ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି । ଅନେକଙ୍କ ଫୋନ୍ ନମ୍ବର ବନ୍ଦ ରହିଛି । ସୋନଭଦ୍ରା ଏସପି କହିଛନ୍ତି ଏହି ଗ୍ୟାଙ୍ଗର ଜଣେ ସଦସ୍ୟ କୃଷ୍ଣାନନ୍ଦଙ୍କୁ ୟୁପି-ଝାରଖଣ୍ଡ ସୀମାରୁ ଗିରଫ କରାଯାଇଛି । ଯିଏ ବାହାର ରାଜ୍ୟରେ ନିଜ ଗ୍ୟାଙ୍ଗ ସକ୍ରିୟ ରଖିଛି । ତଦନ୍ତ ପରେ ଅନ୍ୟ ସଦସ୍ୟଙ୍କୁ ଗିରଫ କରାଯିବ କହିଛି ପାଲିସ । ଏହି ଘଟଣାଟି ଚଳଚ୍ଚିତ୍ରର ଦୃଶ୍ୟ ପରି ଲାଗୁଥିଲେ ମଧ୍ୟ, ଏହା ଏକ ଗମ୍ଭୀର ଅପରାଧ। ପୋଲିସ ଠକ ବୋହୁ ଏବଂ ତା’ର ସହଯୋଗୀମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିବା ପରେ ତାଙ୍କୁ ଗିରଫ କରାଯାଇଥିଲା ।
















