ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ରାଜନୈତିକ କାରଣ ରହିଛି । ଏହା କହିଛି ପୋଲିସ । ତଦନ୍ତ ବେଳେ ବ୍ରହ୍ମପୁର ପୋଲିସ ବିଜେଡିର ନେତାମାନେ ଏହି ହତ୍ୟାକାଣ୍ଡ ଭିଆଇବାରେ ସହଯୋଗ କରିଥିଲ ବୋଲି ପୋଲିସ ଜାଣିପାରିଛି । ଗଞ୍ଜାମ ଜିଲା ବିଜେଡି ସଭାପତି ତଥା ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା(୫୧) ସମେତ ମୋଟ୍ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହି ୧୨ ଜଣଙ୍କ ମଧ୍ୟରେ ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁ(୪୯) ଏବଂ ବର୍ତ୍ତମାନର ୪୧ ନମ୍ବର ଓ୍ବାର୍ଡ କର୍ପୋରେଟର ମଳୟ ବିଷୋୟୀ(୫୮), ବିଜେଡି ନେତା ମଦନ ଦଳାଇ(୫୦), ବନ୍ଥପଲିର ଛାତ୍ରନେତା ଯୋଗୀ ରାଉତ(୨୫) ରହିଛନ୍ତି। ସେହିପରି ଅନ୍ୟ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଚାନ୍ଦପୁରର ରାଜେନ୍ଦ୍ର ସାହୁ(୨୩) ଓ ବନ୍ଥାପଲିର କାଳୁଚରଣ ଭୂୟାଁ(୩୯), ଚିଣ୍ଟୁ ପ୍ରଧାନ(୨୫), ହିଞ୍ଜିଳିକାଟୁର ବିପିନ ସ୍ବାଇଁ (୩୫), ପ୍ରିୟାପୁର ଖଦାଳ ସାହିର ସୀମାଞ୍ଚଳ ନାୟକ(୩୦), ବିହାର ରାଜ୍ୟର ସିସିପାଲ କୁମାର ପାଶଓ୍ବାନ(୨୫) ଓ କୁନ୍ଦନ କୁମାର(୨୨) । ଏହା ଏକ ରାଜନୈତିକ ଓ ବ୍ୟବସାୟିକ ଶତ୍ରୁତା ଥିଲା ବୋଲି ବ୍ରହ୍ମପୁର ଏସ୍ପି ଡା ସର୍ବନା ବିବେକ ଏମ୍ ସୂଚନା ଦେଇଛନ୍ତି । ବିକ୍ରମ ଓ ପିଣ୍ଟୁ ଦାସ ମିଳିତ ଭାବେ ଏହି ଷଡ଼ଯନ୍ତ୍ର କରିଥିବା ବେଳେ ଅନ୍ୟମାନେ ଏହାକୁ କାର୍ଯ୍ୟକାରୀ କରାଇଥିଲେ। ମୋଟ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିବା ବେଳେ ସୁଟରମାନେ ଆଗୁଆ ୧୦ ଲକ୍ଷ ନେଇଥିଲେ। ପୋଲିସ ଅଭିଯୁକ୍ତଙ୍କଠାରୁ ୨ ଟି ବନ୍ଧୁକ, ଏକାଧିକ ମୋବାଇଲ ଜବତ କରିଛି । ଏହି ମାମଲାରେ ଅଭିଯୁକ୍ତ ଥିବା ସୁଦର୍ଶନ ଜେନା କୁରୁପତି ଭୂୟାଁ ଓ ଉମା ବିଷୋୟୀ ଏବେ ମଧ୍ୟ ଫେରାର ଅଛନ୍ତି ବୋଲି ଏସ୍ପି କହିଛନ୍ତି।