ସ୍ବର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ ବିଜେଡିକୁ ଟାର୍ଗେଟ୍ କରିଛନ୍ତି। କହିଳେ- ମୋ ସ୍ୱାମୀଙ୍କୁ ପଚାରିଲନି । ରାଜେନ୍ଦ୍ର ଢୋଲକିଆ ୨୪ ବର୍ଷ ଧରି ବିଜେଡି ପାଇଁ ନିଷ୍ଠାରେ କାମ କରିଥିଲେ। କିନ୍ତୁ ଦଳ ସେମାନଙ୍କୁ ଉଚିତ ସମ୍ମାନ ଦେଇନଥିଲା। ଏପରିକି ତାଙ୍କୁ ଶେଷ ସମୟରେ କେହି ପଚାରିନଥିଲେ ବୋଲି ରାଜ ଢ଼ୋଲକିଆଙ୍କ ପତ୍ନୀ କହିଛନ୍ତି । ସେ ବିଜେଡିର ନିର୍ବାଚନୀ ପ୍ରଚାରରେ ପରିବାରର ନାମ ବ୍ୟବହାର କରିବାକୁ ନେଇ ବିରୋଧ କରିଛନ୍ତି। ଜୟ ଟଙ୍କା ନେଇ ଅନ୍ୟ ଦଳକୁ ଯିବାର ମିଥ୍ୟା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ନୂଆପଡ଼ାର ବିକାଶ ପାଇଁ ସେ ବିଜେପିରେ ଯୋଗଦାନ ଦେଉଛନ୍ତି।
ସେ ଆହୁରି କହିଛନ୍ତି, ସ୍ବାସ୍ଥ୍ୟ ଖରାପ ଥିଲା ବେଳେ ବିଜେଡି ନେତାମାନେ ପଚାରିଲେନି। ଫୋନ କଲେନି କି ହସ୍ପିଟାଲ ଚିକିତ୍ସା ନେଇ ବୁଝିଲେନି। ଅସୁସ୍ଥତା ବେଳେ ନିଜ ଦଳର ସପୋର୍ଟ ଆତ୍ମବଳ ବଢ଼ାଏ, କିନ୍ତୁ କଲେନି। ବିଜେଡିର ଅଣଦେଖା ବେମାରୀର ଅନ୍ୟତମ କାରଣ ବୋଲି ଢୋଲକିଆଙ୍କ ପତ୍ନୀ କହିଛନ୍ତି। ସେ ଆହୁରି କହିଛନ୍ତି, ଏହି ଲୋକ ଆମ ପରିବାର ଉପରେ ଟିପ୍ପଣୀ କରୁଛନ୍ତି। ବିଜେଡିର ପ୍ରଚାରରେ ଆମ ପରିବାର ନାଁ ନେବାକୁ ବିରୋଧ କରୁଛୁ। ଟଙ୍କା ନେଇ ଅନ୍ୟଦଳକୁ ଯିବା ଆରୋପ ମିଥ୍ୟା, ବିକାଶ ପାଇଁ ମିଶିଛୁ। ଉତ୍ତରାଧିକାରୀ କିଏ ହେବ ପରିବାର ନିଷ୍ପତ୍ତି ନେବ, କୌଣସି ଦଳ ନୁହେଁ।









			
                                
							






