ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ନିକଟରେ ଏକ ଭୟଙ୍କର ବିସ୍ଫୋରଣ ଘଟଣା ଘଟିଛି। ଏହି ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ଘଟିସାରିଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିପାରେ। ତେବେ ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି। ମେଟ୍ରୋ ଷ୍ଟେଶନ ନିକଟରେ ହୋଇଥିବା ବିସ୍ଫୋରଣ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ଆଶଙ୍କା କରାଯାଉଛି। ପ୍ରାରମ୍ଭିକ ତଦନ୍ତ ପରେ, ଦିଲ୍ଲୀ ପୋଲିସ ନିଶ୍ଚିତ କରିଛି ଯେ ଏହା ଏକ ସାଧାରଣ ଦୁର୍ଘଟଣା ନୁହେଁ ବରଂ ଏକ ଯୋଜନାବଦ୍ଧ ବିସ୍ଫୋରଣ ଥିଲା। ଫରେନସିକ ଦଳ ଘଟଣାସ୍ଥଳରୁ ବିସ୍ଫୋରକ ସାମଗ୍ରୀ, ତାର ଏବଂ ବ୍ୟାଟେରୀ ଖଣ୍ଡ ଜବତ କରିଛି, ଯାହା ବିସ୍ଫୋରଣକୁ ମାନୁଆଲ ଭାବରେ କରାଯାଇଥିବା ସନ୍ଦେହକୁ ଦୃଢ଼ କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ବିସ୍ଫୋରଣ ପରେ ତୁରନ୍ତ କାର୍ରେ ନିଆଁ ଲାଗି ଯାଇଥିଲା, ଯାହା ନିକଟରେ ଥିବା ତିନୋଟି ଗାଡ଼ିକୁ ଗ୍ରାସ କରିଥିଲା। ସମଗ୍ର ଅଞ୍ଚଳକୁ ସିଲ କରାଯାଇଛି ଏବଂ NIA ଏବଂ ସ୍ପେଶାଲ ସେଲ୍ର ଦଳଗୁଡ଼ିକ ତଦନ୍ତ ଆରମ୍ଭ କରିଛନ୍ତି।
ଦିଲ୍ଲୀରେ ଘଟିଥିବା ବିସ୍ଫୋରଣ ଘଟଣା ପରେ ବିସ୍ଫୋରଣ ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକମାନଙ୍କ ପରିବାର ପାଇଁ ସମବେଦନା ଜଣାଇଛନ୍ତି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ପରିସ୍ଥିତି ଉପରେ ନଜର ରଖିବା ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ କଥା ହୋଇଛି ବୋଲି ମୋଦୀ ଟୁଇଟ୍ କରିଛନ୍ତି।
ବିସ୍ଫୋରଣ ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ସ୍ଥିତି ଉପରେ ନଜର ରଖିବା ପାଇଁ ସେ ଗୃହମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ଗୃହମନ୍ତ୍ରୀ ଶାହ ଇଣ୍ଟଲିଜିଏନ୍ସ ବ୍ୟୁରୋ (ଆଇବି)ର ମୁଖ୍ୟଙ୍କ ସହିତ କଥା ହୋଇଛନ୍ତି। ଏହି ବିସ୍ଫୋରଣ ଘଟଣାରେ ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ଜଣାପଡ଼ିଥିବା ବେଳେ ଅନ୍ୟ ୨୪ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
















