ନୀରଜ ସିଂହ । ଏହି ନାମକୁ ନେଇ ବିହାର ରାଜନୀତିରେ ଜୋରଦାର ଚର୍ଚା । କାରଣ ଦିନେ ସେ କାମ କରିବା ପାଇଁ ଗୋଟିଏ ସହରରୁ ଅନ୍ୟ ସହରକୁ ବୁଲୁଥିଲେ । ଏପରିକି ସିକ୍ୟୁରିଟି ଗାର୍ଡ କାମ କରିଥିଲେ । କିନ୍ତୁ ନିଜ ଦୃଢ଼ ପରିଶ୍ରମ ଫଳରେ ସେ ନିଜର ଭାଗ୍ୟ ବଦଳାଇବା ସହ ଦୁଇ ହଜାର ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି । ସେ ଅନେକ କମ୍ପାନି ଚଲାଉଛନ୍ତି । ଚାରି ଶହ କୋଟି ଟଙ୍କାର ମାଲିକ ବନିଛନ୍ତି। ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ନୀରଜ କହିଛନ୍ତି ଦିନେ ସେ କାମ ପାଇଁ ଦିଲ୍ଲୀର ରାସ୍ତାରେ ବୁଲୁଥିଲେ । ରାତିରେ ସିକ୍ୟୁରିଟି ଗାର୍ଡ କାମ କରୁଥିଲେ । ବର୍ତ୍ତମାନ କିନ୍ତୁ ସେ ଅନେକ କମ୍ପାନିର ମାଲିକ । ସେ ଏବେ ସମାଜସେବୀ ହିସାବରେ ଅଧିକ ପରିଚିତ । ଦିନେ ଦାରିଦ୍ର୍ୟ ସହ ଲଢ଼େଇ କରୁଥିବା ନୀରଜ ଏବେ ୩୯ ବର୍ଷ ବୟସରେ ବିଧାନସଭା ପ୍ରାର୍ଥୀଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛି ।
କୁହାଯାଏ ଇଚ୍ଛାଥିଲେ ମଣିଷ ପାଇଁ ଅସମ୍ଭବ ବୋଲି କିଛି ନାହିଁ । ଯିଏ ପରିଶ୍ରମ କରେ ଧନ ଲକ୍ଷ୍ମୀ ତାଙ୍କ ଘରେ ବାସ କରନ୍ତି । ଏଭଳି ଏକ କାହାଣୀ ଦେଖିବାକୁ ମିଳିଛି ବିହାରରେ । ଦିନେ ଯେଉଁ ନୀରଜ ସିଂହ ଅଧାରୁ ପାଠ ଛାଡି କାମ ଖୋଜିବାକୁ ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟ ବୁଲୁଥିଲେ । ଶ୍ରମିକ ଭାବେ କାମ କରି ଗୋଟିଏ ଓଳି ଖାଇ ରାତିରେ ଯେଉଁଠି ପାରୁଥିଲେ ସେଠି ଶୋଇପଡ଼ୁଥିଲେ । ସେହି ନୀରଜଙ୍କ ଚର୍ଚା ଏବେ ଜାତୀୟ ଗଣମାଧ୍ୟମରେ ଚାଲିଛି ।
ଶିଓହର ଜିଲ୍ଲାର ମଥୁରାପୁର ଗ୍ରାମର ନୀରଜଙ୍କ କାହାଣୀ ଫିଲ୍ମ ଭଳି ଲାଗୁଛି । ନୀରଜ ସିଂହ, ୧୮ ବର୍ଷ ବୟସରୁ କାମ ପାଇଁ ଘର ଛାଡିଥିଲେ । କିଛି ଟଙ୍କା ରୋଜଗାର କରିବାକୁ ସେ ଦିଲ୍ଲୀରେ ସଂଘର୍ଷ କରିଥିଲେ । ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ମୁମ୍ବାଇ ଏବଂ ପୁଣେ ଯାଇ କାମ ଖୋଜିଥିଲେ । କିନ୍ତୁ କେଉଁଠି ତାଙ୍କୁ ମନ ଲାଗୁଥିବା କାମ ମିଳିନଥିଲା । ସେ କୁହନ୍ତି ଦିଲ୍ଲୀରେ ଥିବାବେଳେ କାମ ନମିଳିବାରୁ ସେ ସୁରକ୍ଷା ଗାର୍ଡ ଭାବରେ ବିଭିନ୍ନ ଶିଫ୍ଟରେ କାମ କରିଥିଲେ । ସେତେବେଳେ ତାଙ୍କୁ ପ୍ରତି ମାସରେ ୨,୨୦୦ ଟଙ୍କା ମିଳୁଥିଲା । ଏତେ କମ ବେତନ ତାଙ୍କୁ ଖୁସି ଦେଇପାରିନଥିଲା । ୨୦୦୪ରୁ ନୀରଜ ସିଂହ ୨୦୦୯ ସେ ବିଭିନ୍ନ ରାଜ୍ୟ ବୁଲି କାମ ସନ୍ଧାନରେ ଥିଲେ । ସେଷରେ ସେ ନିଜର ଜେଜେ ମାଙ୍କ ମୃତ୍ୟୁ ପରେ ବିହାରକୁ ଫେରିବା ପରେ ଆଉ ବାହାରକୁ ଯିବାକୁ ଚାହିଁନଥିଲେ ।
କମ୍ ବୟସ ଯୋଗୁଁ ରୋଜଗାର ପାଇବାରେ ଅଧିକ କଷ୍ଟ ମିଳିଥିଲା । ପରେ ସେ ଗାଁକୁ ଫେରିଆସିଥିଲେ । ଗାଁରେ ରହି ସେ କିଛି ବେପାର କରିବାକୁ ଚିନ୍ତା କରିଥିଲେ । ଗାଁ ନିକଟରେ ଥିବା ଏକ ସ୍ଥାନରେ ପେଟ୍ରୋଲ ଏବଂ ଡିଜଲ୍ ବିକ୍ରି ଆରମ୍ଭ କରିଥିଲେ। ନିଜ ପରିବାର, ବିଶେଷକରି ନିଜର ଛୋଟ ଭାଇମାନଙ୍କ ଶିକ୍ଷାର ଭରଣ-ପୋଷଣ କରିବାର ଦାୟିତ୍ବ ତାଙ୍କ ଉପରେ ଥିଲା ।
୨୦୧୦ରେ, ସେ ଏକ କମ ଦରମାରେ ମୋତିହାରୀରେ ଚାକିରି କଲେ । ସେଥିରେ ତାଙ୍କ ମନ ବୁଝୁନଥିଲା । ସେ କିଛି ବେପାର କରିବାକୁ ଚାହୁଁଥିଲେ , କିନ୍ତୁ ତାଙ୍କ ପାଖରେ ମୂଳ ଧନ ନଥିଲା । ଏହାରି ଭିତରେ ସେ ଏକ ଜମି ବିକ୍ରିକରିବାରେ ସାହାଯ୍ୟ କରିବାରୁ ୨୫,୦୦୦ ଟଙ୍କା କମିଶନ ଭାବରେ ରୋଜଗାର କରିଥିଲେ। ଏହି ଟଙ୍କାକୁ ସେ ଧାନ ବ୍ୟବସାୟରେ ଲଗାଇଥିଲେ । ଚାଷୀଙ୍କଠାରୁ ଧାନ କିଣି ସେ ଚାଉଳ ବେପାର କଲେ । ଯାହା ତାଙ୍କ ଆୟକୁ ଦୁଇଗୁଣ କଲା । ପରେ ସେ ଅଧିକରୁ ଅଧିକ ଧାନ କିଣି ଚାଉଳ କରି ବିକ୍ରିକଲେ । ଏଥିପାଇଁ ସେ ପିଲାଙ୍କୁ ନିଯୁକ୍ତି ଦେଲେ । ଏହି ବେପାର ତାଙ୍କ ରାସ୍ତା ଖୋଲିଦେଲା । ଟଙ୍କା ଅଧିକ ପାଖକୁ ଆସିବାରୁ ସେ ଅନ୍ୟ ବେପାରରେ ମନ ଦେଲେ । ଏହା ପରେ ସେ ଦୋକାନମାନଙ୍କରେ ବିଭିନ୍ନ ସାମଗ୍ରୀ ଯୋଗାଇଲେ । ଇଟା ବେପାର କଲେ । କିଛି ଦିନ ପରେ ତାଙ୍କ ବେପାର ବଢ଼ିବଢ଼ି ଚାଲିଲା । ବର୍ଷରେ ତାଙ୍କ ବେପାର ୨୦-୩୦ କୋଟି ଟଙ୍କା ଛୁଇଁଲା । ଏହା ପରେ ସେ ଏକ ପେଟ୍ରୋଲ ପମ୍ପ ଚଲାଇଲେ । ଏବେ ସେ ଟାଇଲ୍ ବିଜିନେସ ସହ ଫାଇବର୍ ବ୍ଲକ୍, ଫ୍ଲାଇ ଆଶ୍ ସହ ରାସ୍ତା ନିର୍ମାଣ କାମରେ ଶହ ଶହ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି । ପ୍ରତିଦିନ ତାଙ୍କୁ କାମ ମାଗିବାକୁ ଅନେକ ଯୁବକ,ଯୁବତି ତାଙ୍କ ଅଫିସକୁ ଆସୁଛନ୍ତି ଏବଂ ତାଙ୍କ ପାଖରେ କାମ କରୁଛନ୍ତି । ଏପରି ଦେଖୁ ଦେଖୁ 2000 ପିଲା ତାଙ୍କ ପାଖରେ କାମ କରୁଛନ୍ତି ।
ଧାନ ବେପାରରୁ ଆରମ୍ଭ କରିଥିବା ନୀରଜ ଏବେ ରାସ୍ତା ନିର୍ମାଣ ସାମଗ୍ରୀ, ଅଟା କଳ, ଇଟା ନିର୍ମାଣ ସମେତ ଅନେକ ବେପାରରେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ତାଙ୍କର କମ୍ପାନୀ ବିହାରରେ ଏତେ ଟ୍ୟାକ୍ସ ଦେଉଛି ଯାହା ବଡ଼ ବଡ଼ କମ୍ପାନି ଦେଇପାରୁନାହାଁନ୍ତି । ସେ ତାଙ୍କ ମା ଉଷାଙ୍କ ନାମରେ କମ୍ପାନି କରି ଅନେକ ଲୋକଙ୍କ ପରିବାର ଚଳାଉଛନ୍ତି । ଏବେ ପ୍ରତିଦିନ ତାଙ୍କ ପାଖକୁ ଶତାଧିକ ଲୋକ କାମ ପାଇବା ଆଶାରେ ଆସୁଛନ୍ତି । ତାଙ୍କର ସାନ ଭାଇକୁ ମଧ୍ୟ ସେ ପାଖରେ ରହି କମ୍ପାନି କାମରେ ଲଗାଇଛନ୍ତି । ଗାଁ ଲୋକମାନେ ବାହାରକୁ ନଯାଇ ନୀରଜଙ୍କ କମ୍ପାନିରେ ଭଲ ଟଙ୍କା ପାଇ ଚାକିରି କରିଛନ୍ତି । ତାଙ୍କ କମ୍ପାନି କର୍ମଚାରୀମାନଙ୍କୁ ସମସ୍ତ ସୁବିଧା ଯୋଗାଉଛି । ଯାହା ଫଳରେ ନୀରଜ ସିଂହ ସେହି ଅଞ୍ଚଳରେ ବେଶ ପରିଚୟ ସୃଷ୍ଟି କରିଛନ୍ତି । ଖାଲି ସେତିକି ନୁହେଁ । ସେ ଅନେକ ଜନହିତକର କାର୍ଯ୍ୟରେ ଟଙ୍କା ସହଯୋଗ କରୁଛନ୍ତି । ଗରିବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେଉ କି ଗରିବ ଯୁବକ ଯୁବତୀଙ୍କ ବିବାହ ପାଇଁ ସେ ଖୋଲା ହାତରେ ଦାନ କରୁଛନ୍ତି । କାହାର ସୁବିଧା ଅସୁବିଧାରେ ସହଯୋଗ କରୁଥିବାରୁ ତାଙ୍କୁ ସମସ୍ତେ ସମାଜସେବୀ ବୋଲି ସମ୍ମାନ ଦେଉଛନ୍ତି । ଏସବୁ ଭିତରେ ସେ ଏବେ ଜନସୁରାଜ ପାର୍ଟିରୁ ଟିକେଟ ପାଇ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ।
ଦିନେ ବାହାରକୁ ଶ୍ରମିକ ଭାବେ କାମ ଖୋଜିବାକୁ ଯାଉଥିବା ନୀରଜ ସିଂହ ୨,୦୦୦ରୁ ଅଧିକ ଲୋକଙ୍କୁ କାମ ଦେଇ ଚର୍ଚାରେ ଅଛନ୍ତି । ତାଙ୍କର କମ୍ପାନୀର ମୋଟ ବ୍ୟବସାୟ ୪୦୦ କୋଟି ଟପିଛି । ତାଙ୍କର କାହାଣୀ ବିହାରର ଯୁବକମାନଙ୍କ ନିକଟରେ ଲୁଚି ରହିଥିବା ଆତ୍ମବିଶ୍ୱାସ, ଦୃଢ଼ତା ଏବଂ କଠିନ ପରିଶ୍ରମକୁ ଦର୍ଶାଉଛି ।