ଭୁବନେଶ୍ୱର : ଓଡ଼ିଶାରେ ପୋଲିସ ସବ-ଇନିସପେକ୍ଟର ପରୀକ୍ଷାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ମାମଲାକୁ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ସିବିଆଇକୁ ହସ୍ତାନ୍ତର କରିବାକୁ ଘୋଷଣା କରିଛନ୍ତି । ବିରୋଧୀ ଦଳମାନେ ପୂର୍ବରୁ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରୁଥିଲେ । ଏବେ ସରକାର ସିବିଆଇକୁ ତଦନ୍ତ ଭାର ଦେଇଛନ୍ତି ।
ପୂର୍ବରୁ ଓଡ଼ିଶା ପୋଲିସ୍ ରିକ୍ରୁଟମେଣ୍ଟ୍ ବୋର୍ଡ (ଓପିଆର୍ବି) ପରୀକ୍ଷାକୁ ରଦ୍ଦ କରିଛି। ଏହି ମାମଲାକୁ ନେଇ ୩୦ ସେପ୍ଟେମ୍ବରରେ କ୍ରାଇମ୍ ବ୍ରାଞ୍ଚ୍ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଏକ ଆନ୍ତର୍ଜାତୀୟ ଆପରାଧୀ ସିଣ୍ଡିକେଟର ସମ୍ପୃକ୍ତି ରହିଥିବା ଜଣାପଡିଛି । ଏହି ସିଣ୍ଡିକେଟ୍ ପ୍ରଶ୍ନପତ୍ର ଲିକ୍ କରି ପ୍ରାର୍ଥୀମାନଙ୍କୁ ଚାକିରି ଦେଉଥିବା ଜଣାପଡିଛି ।
୫ ଅକ୍ଟୋବରରେ ସିଣ୍ଡିକେଟର ସଦସ୍ୟ ବିଶ୍ୱରଞ୍ଜନ ବେହେରାଙ୍କୁ ପୋଲିସ ଧରିଥିଲା । ଯିଏ ପ୍ରାର୍ଥୀମାନଙ୍କରୁ ଅର୍ଜିନାଲ୍ ସାର୍ଟିଫିକେଟ୍ ଏବଂ ଖାଲି ଚେକ୍ ନେଇ ପ୍ରଶ୍ନପତ୍ର ପ୍ରଦାନ କରୁଥିଲା। ପୋଲିସ ୧୧୮ ଜଣଙ୍କୁ ଧରିଛି । ଯାହାଙ୍କ ମଧ୍ୟରୁ ୧୧୪ ଜଣ ପ୍ରାର୍ଥୀ। ଏହି କାଣ୍ଡରେ ଓପିଆରବି ଦ୍ୱାରା ଆଉଟସୋର୍ସିଂର ମୁଖା ଖୋଲିଛି ।
ପରୀକ୍ଷା ପାଇଁ କେନ୍ଦ୍ରୀୟ ପିଏସୟୁ ଆଇଟିଆଇ ଲିମିଟେଡ୍କୁ ଟେଣ୍ଡର୍ ଦେଇଥିଲା । ଏହି ସଂସ୍ଥା ସିଲିକନ୍ ଟେକଲାବ୍କୁ ସବ୍-କଣ୍ଟ୍ରାକ୍ଟ୍ ଦେଇଥିଲା । ଏହି ସଂସ୍ଥା ପାଞ୍ଚସଫ୍ଟ୍ ପ୍ରାଇଭେଟ୍ ଲିମିଟେଡ୍କୁ ଆହୁରି ସବ୍-କଣ୍ଟ୍ରାକ୍ଟ ଦେଇଥିଲା। ଯାହାକୁ ନେଇ ଚାରିଆଡ଼ୁ ପ୍ରଶ୍ନ ଉଠୁଛି । ପଞ୍ଚସଫ୍ଟ୍ର ଡାଇରେକ୍ଟର ଶଙ୍କର ପ୍ରୁଷ୍ଟି ଲୁଚିଛନ୍ତି । ତାଙ୍କୁ ଜାମିନ ମିଳୁନାହିଁ । ତାଙ୍କର ସହଯୋଗୀ ମୁନ୍ନା ମହାନ୍ତି ଗିରଫ ହୋଇଛନ୍ତି ।
ତେବେ ସରକାରଙ୍କ ସିବିଆଇକୁ ହସ୍ତାନ୍ତର ଘୋଷଣା ପରେ ଏବେ ତଦନ୍ତ ପରିସର ବଢ଼ିବ । କେଉଁମାନେ ଏହି ସ୍କାମରେ ଜଡ଼ିତ ସେମାନଙ୍କୁ ସିବିଆଇ ଗିରଫ କରିବାର ସମ୍ଭାବନା ରହିଛି ।