ଭୁବନେଶ୍ବର: ବାବା ପ୍ରସନ୍ନ ପାଟ୍ଟଶାଣୀଙ୍କୁ ବିଜେଡିରୁ ଟିକେଟ ମିଳିନି । ଏବେ ବାବା ଦିଲ୍ଲୀରେ ଅଛନ୍ତି । ବିଜେପିରେ ଯୋଗ ଦେବା ନେଇ ଆଲୋଚନା କରୁଛନ୍ତି । ସେପଟେ ସୌମ୍ୟରଞ୍ଜନ ପଟ୍ଟନାୟକ ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ମଧ୍ୟ ଚର୍ଚା ହେଉଛି । ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏଥର ବିଧାୟକ ଭାବେ ଠିଆ ହେବେ କି ନାହିଁ ସେ ନେଇ ସ୍ପଷ୍ଟ କରିନାହାଁନ୍ତି । ଗତ ବର୍ଷ ବିଜେଡିରୁ ନିଲମ୍ବିତ ହୋଇଥିଲେ ସୌମ୍ୟରଞ୍ଜନ । ଏବେ ସୌମ୍ୟ ଭାଜପାରେ ଯୋଗ ଦେଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ବାବା କିଛିଦିନ ତଳେ ସେ ଚିଲିକା ଆସନରୁ ଲଢ଼ିବେ କହିଥିଲେ । ଲଗାତାର ୫ ଥର ଏମପି ହୋଇଥିବା ପାଟ୍ଟଶାଣୀଙ୍କୁ ୨୦୧୯ରେ ବିଜେଡି ଟିକେଟ ମିଳି ନ ଥିଲା। ପରେ ତାଙ୍କୁ ରାଜ୍ୟ ସଭା ଟିକେଟ୍ ଦିଆଯିବ ବୋଲି ସେ କହିଥିଲେ । ପାଟ୍ଟଶାଣୀଙ୍କ ଜ୍ୱାଇଁ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ନିକଟରେ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି। ଉତ୍ତର ଭୁବନେଶ୍ୱରରୁ ପ୍ରିୟଦର୍ଶୀଙ୍କୁ ଭାଜପା ପ୍ରାର୍ଥୀ କରିଛି। ତେଣୁ ପାଟ୍ଟଶାଣୀ ମଧ୍ୟ ଭାଜପାକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଭାଜପା ପ୍ରଭାରୀ ବିଜୟପାଲ ସିଂହ ତୋମାରଙ୍କ ଏକ ବୟାନ ଏଭଳି ଚର୍ଚ୍ଚା ଲାଗି ଖୋରାକ ଯୋଗାଇଛି । ଗତକାଲି ବିଜୟ ପାଲ ସିଂ ତୋମାରଙ୍କୁ ସାମ୍ବାଦିକ ମାନେ ପ୍ରଶ୍ନ କରିଥିଲେ କେଉଁ କେଉଁ ନେତା ଭାଜପାରେ ଯୋଗ ଦେଉଛନ୍ତି? ଏହାର ଉତ୍ତରରେ ସେ କହିଥିଲେ, ଅନେକ ବଡ଼ ନେତା ଯୋଗାଯୋଗରେ ଅଛନ୍ତି । ବିଜେଡିରୁ ନିଲମ୍ବିତ ହେବା ପରେ ସୈାମ୍ୟ କହିଥିଲେ ‘ବର୍ତ୍ତମାନ ମୁଁ କୌଣସି ଦଳରେ ନାହିଁ । ରାଜନୀତି କେବଳ କୌଣସି ଦଳରେ ରହି ନିର୍ବାଚନ ଲଢ଼ିବା ନୁହେଁ । ମୁଁ ଅନ୍ୟ ଉପାୟରେ ରାଜନୀତିକୁ ବ୍ୟବହାର କରି ଲୋକଙ୍କ ସେବା କରି ପାରିବି’ । ତେବେ ବିଧାୟକ ହେବେ କି ନାହିଁ ସୈାମ୍ୟ ସ୍ପଷ୍ଟ କରିନାହାଁନ୍ତି । ଆସନ୍ତାକାଲି ସ୍ପଷ୍ଟ ହୋଇଯିବ ବାବା ପାଟ୍ଟଶାଣୀ ବିଜେପିରେ ଯୋଗ ଦେଉଛନ୍ତି ନା ନାହିଁ ।