ବନାରସ : ଭାରତର ବୈଦିକ ପରମ୍ପରା ମହାନ । ଭାରତୀୟ ମୁନୀ,ଋଷିମାନେ ଏକ ଅଦ୍ୱିତୀୟ ସିଦ୍ଧି ହାସଲ କରିଥାନ୍ତି। ତେବେ ୧୯ ବର୍ଷ ବୟସ୍କ ଦେବବ୍ରତ ମହେଶ ରେଖେ ଯଜୁର୍ବେଦର ସବୁଠାରୁ କଠିନ ମନ୍ତ୍ରୀ ପାଠ ଶୈଳୀ ଦଣ୍ଡକ୍ରମ ପାରାୟଣ କୁ ସଫଳତାର ସହ ସମ୍ପୂର୍ଣ୍ଣ ଗାନ କରି ଇତିହାସ ସୃଷ୍ଟି କରିଛନ୍ତି। ବିଦ୍ୱାନମାନଙ୍କ ଅନୁଯାୟୀ, ଏହି ମନ୍ତ୍ର ପାଠ ଉଚ୍ଚାରଣ ୨୦୦ ବର୍ଷ ପରେ ପୁନରାବୃତ୍ତି ହୋଇଛି। ତାଙ୍କର ଏହି ମହାନ୍ ଉପଲବ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେବବ୍ରତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଦେବବ୍ରତ ରେଖେ ମହାରାଷ୍ଟ୍ରର ଅହିଲ୍ୟାନଗରର ବାସିନ୍ଦା। ସେ ବର୍ତ୍ତମାନ କାଶୀର ପ୍ରତିଷ୍ଠିତ ବଲ୍ଲଭରାମ ଶାଳିଗ୍ରାମ ସାଙ୍ଗବେଦ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ସେ ଯଜୁର୍ବେଦର ମାଧ୍ୟନ୍ଦିନୀ ଶାଖାର ପ୍ରାୟ ୨୦୦୦ ମନ୍ତ୍ରକୁ ବିନା କୌଣସି ତ୍ରୁଟିରେ ମାତ୍ର ୫୦ ଦିନ ଅଧ୍ୟୟନ କରି ‘ଦଣ୍ଡକ୍ରମ’ ଶୈଳୀରେ ଆବୃତ୍ତି କରି ଶୁଣାଇଛନ୍ତି।ତାଙ୍କର ଏହି ଅଦ୍ଭୁତ ସ୍ମରଣ ଶକ୍ତି ଏବଂ ସମର୍ପଣ ପାଇଁ ତାଙ୍କୁ ବିଦ୍ୱାନମାନେ ‘ବେଦମୂର୍ତ୍ତି’ ଉପାଧିରେ ସମ୍ମାନିତ କରିଛନ୍ତି।
‘ଦଣ୍ଡକ୍ରମ ପାରାୟଣ’ର କଠିନତା
ଦଣ୍ଡକ୍ରମକୁ ବୈଦିକ ପାଠର ସର୍ବୋଚ୍ଚ ଏବଂ ଅତି କଠିନ ବିଧି ଭାବରେ ବିବେଚନା କରାଯାଏ, ଯାହାକୁ ‘ବେଦ ପାଠର ମୁକୁଟ’ ମଧ୍ୟ କୁହାଯାଏ। ଏଥିରେ ମନ୍ତ୍ରର ପଦଗୁଡ଼ିକୁ କେବଳ ସିଧା ନୁହେଁ, ବରଂ ଏକ ସୁନିର୍ଦ୍ଦିଷ୍ଟ ଜଟିଳ ଢାଞ୍ଚାରେ ସିଧା ଓ ଓଲଟା କ୍ରମରେ ବାରମ୍ବାର ଆବୃତ୍ତି କରିବାକୁ ପଡ଼ିଥାଏ। ଏଥିରେ ସ୍ୱର, ମାତ୍ରା ଏବଂ ଧ୍ୱନିର ସାମାନ୍ୟତମ ତ୍ରୁଟି ମଧ୍ୟ ଗ୍ରହଣୀୟ ନୁହେଁ। ୫୦ ଦିନ ଧରି ଏହି ତ୍ରୁଟିହୀନତା ବଜାୟ ରଖିବା ପାଇଁ ତୀବ୍ର ମାନସିକ ଏକାଗ୍ରତା ଆବଶ୍ୟକ ହୋଇଥାଏ। ଦେବବ୍ରତ ରେଖେଙ୍କ ଏହି ସିଦ୍ଧି ଆଧୁନିକ ଯୁଗରେ ଭାରତୀୟ ସଂସ୍କୃତି ଓ ବେଦଜ୍ଞାନର ଗୌରବକୁ ପୁନଃ ପ୍ରତିଷ୍ଠିତ କରିଛି।

















