ଓଡ଼ିଶା ପାଇଁ ଗୌରବ…CBSE ରେ ୫ ଶହରୁ ୫ ଶହ ମାର୍କ ରଖିଲେ ଟିନା

by newsroom APR-16-2026 12:02 PM IST in ଶିକ୍ଷା

ଏଥର ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ଓଡ଼ିଶାର ଗୌରବ ବଢ଼ାଇଛନ୍ତି ଟିନା ରଥ। ସେ ସମୁଦାୟ ୫୦୦ ମାର୍କରୁ ୫୦୦ ରଖି ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଛନ୍ତି। ବିଭିନ୍ନ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଟିନା ତାଙ୍କ ସଫଳତାର ରହସ୍ୟ ଖୋଲି କହିଛନ୍ତି।

ସେ କହିଛନ୍ତି ଯେ, ପରୀକ୍ଷା ପ୍ରସ୍ତୁତି ସମୟରେ ତାଙ୍କ ଅଧ୍ୟୟନ ରୁଟିନ୍ ଅତ୍ୟନ୍ତ ନିୟମିତ ଏବଂ ଅନୁଶାସିତ ଥିଲା। ତେବେ ସେ 500 ରୁ 500 ରଖିବେ ବୋଲି ଆଶା କରିନଥିଲେ । ଦିନକୁ ସେ ନିୟମିତ ଭାବେ 8 ଘଣ୍ଟା ଧରି ପଢ଼ାପଢି କରୁଥିଲେ। ପ୍ରତ୍ୟେକ ବିଷୟକୁ ଗଭୀରତାର ସହିତ ବୁଝିବା ଏବଂ ସମୟର ଯଥାଯଥ ବ୍ୟବହାର ହିଁ ତାଙ୍କ ସଫଳତାର ମୂଳ କାରଣ ବୋଲି ସେ ଉଲ୍ଲେଖ କରିଛନ୍ତି।

ଟିନାଙ୍କ ଏହି ଅଭୂତପୂର୍ବ ସଫଳତା ଓଡ଼ିଶାର ଛାତ୍ର-ଛାତ୍ରୀଙ୍କ ପାଇଁ ଏକ ଉଜ୍ଜ୍ୱଳ ଉଦାହରଣ ସାଜିଛି। ତାଙ୍କ ପରିବାର, ଶିକ୍ଷକ ଏବଂ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଟିନାଙ୍କୁ ଅଗଣିତ ଶୁଭେଚ୍ଛା ଏବଂ ଅଭିନନ୍ଦନ ମିଳୁଛି।ଟିନା

ଆଗକୁ ମଧ୍ୟ ନିଜର ଲକ୍ଷ୍ୟ ପ୍ରତି ସମର୍ପିତ ରହିବାର ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଅନ୍ୟ ଛାତ୍ରଛାତ୍ରୀଙ୍କୁ ନିୟମିତ ଅଧ୍ୟୟନ ଏବଂ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଛନ୍ତି। ସେ ଆଗାମୀ ଦିନରେ ଜଣେ ହାର୍ଟ ଡାକ୍ତର ହେବେ ବୋଲି ଆଶା ରଖିଛନ୍ତି।