ଆପଣମାନେ କୋକାକୋଲା ପିଉଥିବେ । କେଏଫସିକୁ ଯାଉଥିବେ । ପିଜା ହଟରୁ ପିଜା ଖାଉଥିବେ । ଆଉ ସବ୍ ଓ୍ବେରୁ ବର୍ଗରୁ କିଣି ପେପସି ପିଇ ଘରକୁ ଫେରୁଥିବେ । କିନ୍ତୁ ଆପଣ ହୁଏତ ଜାଣିନଥିବେ ଆପଣ ଖର୍ଚ କରୁଥିବା ଟଙ୍କାରୁ ଯେଉଁ ଲାଭ ମିଳିଲା ସେହି ଲାଭର ସିଂହଭାଗ ସିଧା ଆପଣଙ୍କ ପକେଟରୁ ଆମେରିକା ଚାଲିଯାଉଛି ।
ଟ୍ରମ୍ପ 50 ପ୍ରତିଶତ ଟାରିଫ ବୃଦ୍ଧି କଲାପରେ ଏବେ ସୋସିଆଲ ମିଡିଆରେ ଗୋଟିଏ ଦାବି ଜୋର ଧରିଛି । ଏହି ବିଦେଶୀ ଫୁଡ ଚେନକୁ ବୟକଟ କରାଯାଉ । ଏବେ ବିଦେଶୀ ନୁହେଁ ସ୍ବଦେଶୀ । ଏତିକି ବେଳେ ଆପଣଙ୍କୁ ପ୍ରଶ୍ନ ଆସିବ , ଆପଣ ସକାଳୁ ରାତି ପର୍ଯ୍ୟନ୍ତ ଯାହା ସବୁ ପିନ୍ଧୁଛନ୍ତି, ଯାହା ସବୁ ଖାଉଛନ୍ତି ଏସବୁ କାହା ଦ୍ବାରା ପ୍ରସ୍ତୁତ ।
ମୋଦି ବହୁଦିନରୁ କହିଲେଣି ଆତ୍ମନିର୍ଭର ଭାରତର କଥା । ଭୋକାଲ ଫର ଲୋକାଲ କଥା । ଅର୍ଥାତ ଦେଶୀ ଜିନିଷ ଉପରେ ଭରସା ରଖନ୍ତୁ । ବିଦେଶୀ ଅପେକ୍ଷା ଦେଶୀକୁ ଗୁରୁତ୍ବ ଦିଅନ୍ତୁ । ଭାରତର ବେପାରୀମାନଙ୍କ ପାଇଁ ଏବେ ଆମେରିକାର ଦ୍ବାର ବନ୍ଦ ହୋଇ ଯାଉଛି । କିନ୍ତୁ ଭାରତ ବର୍ଷରେ ଯେଉଁ ସାମଗ୍ରୀ ପ୍ରସ୍ତୁତ ହୁଏ ସେଥିରୁ 70 ଭାଗ ଦେଶ ଭିତରେ ଲୋକମାନଙ୍କ ଦ୍ବାରା ବ୍ୟବହୃତ ହୁଏ । ଅର୍ଥାତ ଭାରତର ମାର୍କେଟ ବହୁତ ବଡ଼ । କିନ୍ତୁ ଏଠି ଦେଶୀଠାରୁ ବିଦେଶୀ ସାମଗ୍ରୀର ଚାହିଦା ରହିଛି । ମୁଁ ଆପଣଙ୍କୁ ବରୋଲିନ ଆଉ ସୁଲେଖା କାଳିର ଉଦାହରଣ ଦେବି । ଆପଣ ପିଲାଦିନେ ସୁଲେଖା କାଳିରେ ଲେଖିଥିବେ, ଆଉ ମୁହଁରେ ବରୋଲିନ ଲଗାଇଥିବେ । ସ୍ବାଧୀନତା ପୂର୍ବରୁ ଦେଶରେ ପ୍ରସ୍ତୁତ ହେଉଥିବା ଏହି ଦେଶୀ ବ୍ରାଣ୍ଡ ସ୍ବଦେଶୀ ଆନ୍ଦୋଳନର ଗୁରୁତ୍ବକୁ ବୁଝାଇଥାଏ । ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ଦାଦାଭାଇ ନାରୋଜୀଙ୍କ ପର୍ଯ୍ୟନ୍ତ, ବ୍ରିଟିଶମାନଙ୍କ ଶୋଷଣରୁ ରକ୍ଷା ପାଇବା ପାଇଁ ଖଦୀ ଉପରେ ଗୁରୁତ୍ବ ଦେଇଥିଲେ । ଏବେ ସମୟ ଆସିଛି କି ସେହି ପୁରୁଣା କଥା ମନେପକାଇବା ପାଇଁ । ସେହି ବରୋଲିନ ଆଉ ସୁଲେଖା କାଳୀକୁ ଆମ ଅର୍ଥନୈତିକ ସ୍ବାଧୀନତାର ପ୍ରତୀକ ଭାବରେ ବ୍ୟବହାର କରିବା ପାଇଁ । ଦେଶରେ ଯେତେବେଳେ ଆମେରିକା କେଏଫସି ଚିକେନ କଥା ଚର୍ଚା ହେଉଛି, ସବଓ୍ବେ ର ବେକେରୀ ଆଇଟମ କଥା ଚର୍ଚା ହେଉଛି, ସେତିକି ବେଳେ ଆମ ଦେଶୀ ବ୍ରାଣ୍ଡ ହଳଦୀଗ୍ରାମ ଆଉ ପାତଞ୍ଜଳିର କଥା କମ ଆଲୋଚନା ହେଉଛି । ଆମ ଯୁବପିଢ଼ି ବିଦେଶୀ ବ୍ରାଣ୍ଡ ପ୍ରତି ଯେତେ ଆକୃଷ୍ଟ, ଦେଶୀ ବ୍ରାଣ୍ଡ ପ୍ରତି ସେତେ ଆକୃଷ୍ଣ ନୁହଁନ୍ତି । ଆମ ଭିତରେ ଧାରଣା ହେଉଛି ଆମେରିକାରୁ ଆସୁଥିବା ବା ବିଦେଶୀରୁ ଆମଦାନୀ ହେଉଥିବା ସବୁ ଜିନିଷରେ କ୍ବାଲିଟି ଅଛି । ଆଉ ଯିଏ କେଏଫସିରୁ ଚିକେନ ଖାଉଛି ବା ମ୍ୟାକ୍ ଡୋନାଲଡରୁ ଫ୍ରେଞ୍ଚ ଫ୍ରାଇଜ ଖାଇ କୋକାକୋଲା ପିଇ ଘରକୁ ଫେରୁଛି, ତାକୁ ଆଉ ଦେଶର କୈାଣସି ଫାଷ୍ଟଫୁଡ୍ ଭଲ ଲାଗୁନାହିଁ । ଲାଗୁଛି ସତେ ଯେମିତି ସେ ବିଦେଶୀ ଜିନିଷ ଖାଇଲେ ବା ବ୍ୟବହାର କଲେ, ତାର ଭାଉ ବଢ଼ିଯିବ । ତେଣୁ ଏସବୁକୁ ବୟକଟ୍ କରିବା ଜରୁରୀ କି ? । ବଡ଼ କଥା ହେଉଛି ଏସବୁ ସାମଗ୍ରୀର ସିଂହଭାଗ ଲାଭ ଆମେରିକା କଂପାନୀ କୁ ଯାଉଥିଲେ ବି ଏଥିରେ ଭାରତୀୟମାନେ କାମ କରନ୍ତି । ଆଉ ଏହି କଂପାନୀର ବ୍ରାଣ୍ଡଗୁଡ଼ିକ ଆମ ଦେଶର ଲୋକମାନେ ଫ୍ରାଞ୍ଚାଇଜ ଜରିଆରେ ଚଲାଉଛନ୍ତି । ତେଣୁ ଦେଶର ହଜାର ହଜାର ଛୋଟ ବ୍ୟବସାୟୀ, ଚାଷୀ, ଆଉ କାମ କରୁଥିବା ଯୁବକ, ଯୁବତୀଙ୍କ ଉପରେ ଏହି ବୟକଟ୍ ର ପ୍ରଭାବ ପଡ଼ିବ । ଆଉ ଏତିକି ବେଳେ ପ୍ରଶ୍ନ ଉଠୁଛି କେଏଫସି ଆଉ ମ୍ୟାକ୍ ଡୋନାଲ୍ଡର ଦେଶୀ ବିକଳ୍ପ କଣ ? । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଦେଶୀ ବ୍ରାଣ୍ଡର ପ୍ରଚାର ଆଉ ପ୍ରସାର । ଏଥିପାଇଁ ସରକାର ସବସିଡ ଦେବା ଜରୁରୀ । ସ୍ଥାନୀୟ ବ୍ୟବସାୟୀଙ୍କୁ ଉତ୍ସାହିତ କରିବା ଜରୁରୀ । ଯାହା ଫଳରେ ଏମାନେ ବିଦେଶୀ ବ୍ରାଣ୍ଡର ବିକଳ୍ପ ହୋଇ ସାମନାକୁ ଆସିବେ । ଆରଏସଏସର ମୁଖ୍ୟ ମୋହନ ଭାଗବତ ମଧ୍ୟ ସେହି କଥା କହିଥିଲେ । ବିଦେଶରୁ ଆସୁଥିବା ସାମଗ୍ରୀକୁ ବୟକଟ୍ ନକରି, ଦେଶର ଉତ୍ପାଦିତ ସାମଗ୍ରୀ ଉପରେ ଆମେ ଅଧିକ ଗୁରୁତ୍ବ ଦେବା । ତେଣୁ ଆମେରିକାର କେଏଫସି ଓ ମ୍ୟାକଡୋନାଲଡକୁ ବୟକଟ୍ କରି ଅର୍ଥନୈତିକ ଜାତୀୟତାବାଦର କଥା କହିପାରୁ , କିନ୍ତୁ ଏହାଦ୍ବାରା ଅନେକ ଭାରତୀୟ ବେକାର ହୋଇପାରନ୍ତି । ଏହି ବ୍ୟବସାୟ ସହ ସଂଶ୍ଲିଷ୍ଟ ଅନେକ ବ୍ୟକ୍ତି ନିଜର କାମ ଆଉ ବ୍ୟବସାୟ ହରାଇପାରନ୍ତି । ଏସବୁ ସତ୍ବେ ଆମର ଅର୍ଥନୈତିକ ସଫଳତା ସେତିକିବେଳେ ସଂଭବ, ଯେତେବେଳେ ଆମେ ଦେଶ ଭିତରେ ଆମ ବ୍ରାଣ୍ଡ ଗୁଡ଼ିକୁ ବିଦେଶୀ ବ୍ରାଣ୍ଡ ସହିତ ସମକକ୍ଷ କରିପାରିବୁ, ଯାହାର କ୍ବାଲିଟି ଉଚ୍ଚମାନର ଥିବ । ଫଳରେ ବିଦେଶୀ ବ୍ରାଣ୍ହ ଗୁଡ଼ିକ ଦେଶୀ ବ୍ରାଣ୍ଡକୁ ଟପି ପାରିବେ ନାହିଁ । ସ୍ବଦେଶୀ ସରକାରଙ୍କ ନୀତି ହେବ । ସବୁ ଜନସାଧାରଣଙ୍କୁ ଦେଶୀ ବ୍ରାଣ୍ଡ ବ୍ୟବହାର କରିବା ପାଇଁ ଉତ୍ସାହିତ କରାଯିବ । କିନ୍ତୁ ପୃଥିବୀର ବିଭିନ୍ନ ଦେଶ ସହ ଥିବା ବାଣିଜ୍ୟ ସଂପର୍କକୁ ସଂପୂର୍ଣ୍ଣ ବନ୍ଦ କରାଯିବ ନାହିଁ । ଏହା ଭାରତର ସାଂସ୍କୃତିକ , ଅର୍ଥନୈତିକ ପରିଚୟକୁ ଅଧିକ ସୁଦୃଢ଼ କରିବ । ଯା ହେଉ ଟ୍ରମ୍ପଙ୍କ ଟାରିଫ ବଢ଼ାଇବା ଘୋଷଣା ଆମ ଦେଶୀ ବ୍ରାଣ୍ଡକୁ ମନେ ପକାଇବା ପାଇଁ ଏବେ ଆମକୁ ବାଧ୍ୟ କରୁଛି । ଏହା ଆମର ସ୍ବଦେଶୀ ଆନ୍ଦୋଳନ ପାଇଁ ସବୁଠାରୁ ବଡ଼ ସଫଳତା ।