ଆଉ ନାହିଁ ସମଦୂରତା…ଏବେ ଦୂରତା କମି କମି ଚାଲିଛି । ରାଜ୍ୟସଭା ନିର୍ବାଚନ ପରଠୁ ଏହି ଧାରା ଦେଖିବାକୁ ମିଳିଛି । ନିର୍ବାଚନ ପାଇଁ ବୁଝାମଣା ହୋଇଛି ଓ ପରେ ପୁଣି ସମଦୂରତା ଫର୍ମୁଲା ବଜାୟ ରହିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏବେ ଆଉ ସେଇ ପୁରୁଣା ଦିନକୁ କେହି ଫେରିବାକୁ ଚାହୁଁନାହାନ୍ତି। କଂଗ୍ରେସ – ବିଜେଡି ଏବେ ଭାଇ ଭାଇ । ଆଉ ଏଇ ଭାତୃଭାବ ଆଗକୁ ରହିବ ବୋଲି ମଧ୍ୟ ରାଜନୀତି ସମୀକ୍ଷକ କହୁଛନ୍ତି ।
ପ୍ରାୟ ୩ ଦଶନ୍ଧିର ତିକ୍ତତା, ସାପ ନେଉଳର ସମ୍ପର୍କ । ଜଣଙ୍କର ଛାଇ ପଡିଲେ ଅନ୍ୟ ଜଣଙ୍କର ନାହିଁ ଡିଏଁ । ହେଲେ ଇଏ ପରା ରାଜନୀତି । ସବୁ ନୀତି ଆଦର୍ଶକୁ ସମାଧି ଦେବାର କ୍ଷମତା ରଖିଛି । ଠିକ୍ ଯେମିତି ଏବେ ରାଜ୍ୟସଭା ନିର୍ବାଚନ ପରେ ବିଜେଡି-କଂଗ୍ରେସର ସମ୍ପର୍କ ଗଢି ଉଠିଛି । ଶତ୍ରୁ ପାଲଟିଯାଇଛି ଏବେ ପରମମିତ୍ର ।
ଆଉ ଲୁଚାଛପା କି ଗୁପ୍ତ ବୈଠକରେ ସୀମିତ ନାହାନ୍ତି ଉଭୟ ଦଳ । ଏବେ କଂଗ୍ରେସ ଓ ବିଜେଡିର ଖୁଲମଖୁଲ୍ଲା ସମ୍ପର୍କକୁ ପୁରା ରାଜ୍ୟ ଦେଖୁଛି । ବିଧାନସଭାରେ ଏସ୍ସିବି ଅଗ୍ନିକାଣ୍ଡକୁ ନେଇ ଏକମନ, ଏକସ୍ୱରରେ ବିରୋଧ କରୁଛନ୍ତି କଂଗ୍ରେସ ଓ ବିଜେଡି । କେତେବେଳେ କାନ୍ଧକୁ କାନ୍ଧ ମିଳାଇ କୋକେଇ ଉଠାଉଛନ୍ତି ତ ପୁଣି କେତେବେଳେ ସମାନ ପୋଷାକ ପିନ୍ଧି ଶାସକ ଦଳକୁ ଆକ୍ତାମାକ୍ତା କରୁଛନ୍ତି । ଗୃହ ଭିତରେ ଆହୁରି ନିକଟତର ହୋଇଛନ୍ତି ଏହି ଦୁଇ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ । ଏ ବିରଳ ଦୃଶ୍ୟ ହିଁ କହୁଛି, ସତେଯେପରି ଉଭୟ ଦଳ ମଧ୍ୟରେ ସମ୍ପର୍କ ଜନ୍ମଜନ୍ମର । ହେଲେ ଓଡ଼ିଶା ରାଜନୀତିରେ ଏ ସମ୍ପର୍କର ଆବଶ୍ୟକତା କାହିଁକି ପଡ଼ିଲା ?
ରାଜ୍ୟସଭା ନିର୍ବାଚନରେ ନୀତି, ନୈତିକତା ଓ ଓଡ଼ିଶାର ସ୍ୱାର୍ଥକୁ ଆଳ କରି ସମ୍ପର୍କ ଗଢିଥିଲେ ନବୀନ ଓ ଭକ୍ତ । ଲାଗୁଥିଲା ଏହି ସମ୍ପର୍କ ବେଶି ଦିନ ତିଷ୍ଠିବନି । କାରଣ ଏହି ସମ୍ପର୍କକୁ ବିରୋଧ କରିଥିଲେ ଉଭୟ ଦଳର କିଛି ବିଧାୟକ । ହେଲେ ସମ୍ପର୍କରେ ବାଧା ଦେଉଥିବା ବିଧାୟକଙ୍କୁ ନିଲମ୍ବିତ କରି ଉଭୟ ଦଳର ମୁଖିଆ ସଂକେତ ଦେଇଛନ୍ତି, ଏ ଦୋସ୍ତି ହମ୍ ନୈହିଁ ଛୋଡେଙ୍ଗେ । ଉଭୟ ଦଳର ଲକ୍ଷ୍ୟ ଗୋଟିଏ, ବିଜେପିକୁ ଚେକ୍ ଦେବା । ଏଥିପାଇଁ ସାଙ୍ଗ ହୋଇ ପଞ୍ଚାୟତ ପରୀକ୍ଷା ଦେବାକୁ ଉଭୟ ଦଳର ଶୀର୍ଷନେତୃତ୍ୱ କସରତ କରୁଥିବା ଚର୍ଚ୍ଚା ହେଉଛି ।
ରାଜନୈତିକ ବାଧ୍ୟବାଧ୍ୟକତା ଶୀର୍ଷ ନେତୃତ୍ବଙ୍କୁ ଏକାଠି କରିପାରେ । ହେଲେ ଗାଁ ଗାଁରେ କଂଗ୍ରେସ-ବିଜେଡି କନ୍ଦଳକୁ ନେଇ ହାତାହାତି ହୋଇଥିବା ଲୋକେ ପୁଣି ଥରେ ଏକାଠି ହୋଇପାରିବେ ତ ?









