ରାୟଗଡ଼ (ଛତିଶଗଡ଼):ଜୀବନର ଯେଉଁ ସମୟରେ ବଡ଼ ମଣିଷ ହେବାର ସ୍ୱପ୍ନ ଦେଖିବା କଥା, ସେହି ସମୟରେ ମାନସିକ ଚାପ ଆଗରେ ହାର ମାନିଛି ଜଣେ ୨୦ ବର୍ଷୀୟା ଛାତ୍ରୀଙ୍କ ଜୀବନ। ଛତିଶଗଡ଼ର ରାୟଗଡ଼ ଜିଲ୍ଲାରେ ଘଟିଥିବା ଏହି ଦୁଃଖଦ ଘଟଣା ଏବେ ଶିକ୍ଷା ବ୍ୟବସ୍ଥା ଏବଂ ମାନସିକ ସ୍ୱାସ୍ଥ୍ୟକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପାଠପଢ଼ା ଚାପ ସହ ପରିବାରର ଆର୍ଥିକ ବୋଝ ସହି ନପାରି ଶେଷରେ ମୃତ୍ୟୁକୁ ଆପଣେଇ ନେଇଛନ୍ତି ଇଞ୍ଜିନିୟରିଂ ଛାତ୍ରୀ ପ୍ରିନ୍ସି କୁମାରୀ।ପୋଲିସ ଜବତ କରିଥିବା ସୁଇସାଇଡ୍ ନୋଟ୍ ପ୍ରିନ୍ସିଙ୍କ ମନର କଷ୍ଟକୁ ବୟାନ କରୁଛି। ସେଥିରେ ସେ ଲେଖିଛନ୍ତି, “ସରି ମମି, ପାପା.. ମୁଁ ତୁମର ଆଶା ପୂରଣ କରିପାରିଲି ନାହିଁ।”
ଘଟଣା ଅନୁସାରେ ଛତିଶଗଡ଼ ରାୟଗଡ଼ ଜିଲ୍ଲାର ପୁଞ୍ଜିପଥରା ସ୍ଥିତ ଏକ ବିଶ୍ୱବିଦ୍ୟାଳୟରେ ଶନିବାର ବିଳମ୍ବିତ ରାତିରେ ଜଣେ ବି.ଟେକ୍ ଦ୍ୱିତୀୟ ବର୍ଷର ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରୀଙ୍କ ନାମ ପ୍ରିନ୍ସି କୁମାରୀ ଏବଂ ସେ ଝାଡ଼ଖଣ୍ଡର ଜାମସେଦପୁରର ବାସିନ୍ଦା ବୋଲି ଜଣାପଡ଼ିଛି। ସେ କମ୍ପ୍ୟୁଟର ସାଇନ୍ସ ବିଭାଗରେ ପଢ଼ୁଥିଲେ।
ଶନିବାର ରାତି ପ୍ରାୟ ୮:୩୦ ସମୟରେ ପ୍ରିନ୍ସିଙ୍କ ପରିବାର ଲୋକେ ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ସେ ଉଠାଇ ନଥିଲେ। କିଛି ଅଘଟଣ ଆଶଙ୍କା କରି ପରିବାର ଲୋକେ ହଷ୍ଟେଲ୍ ଓ୍ୱାର୍ଡେନଙ୍କୁ ଯୋଗାଯୋଗ କରିଥିଲେ। ଓ୍ୱାର୍ଡେନ ରୁମ୍ ପାଖରେ ପହଞ୍ଚି ଦେଖିଲେ ଯେ କବାଟ ଭିତରୁ ବନ୍ଦ ରହିଛି। ପରେ ଝରକା ବାଟେ ଦେଖିବା ପରେ ପ୍ରିନ୍ସି ଫ୍ୟାନ୍ରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ପୋଲିସ ରୁମ୍ରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି। ସେଥିରେ ପ୍ରିନ୍ସି ଲେଖିଛନ୍ତି ଯେ, ସେ ତାଙ୍କ ପିତାମାତାଙ୍କ ଆଶା ପୂରଣ କରିପାରିଲେ ନାହିଁ। ପଢ଼ାପଢ଼ିରେ ଖରାପ ପ୍ରଦର୍ଶନ ଏବଂ ପରିବାର ଉପରେ ପଡ଼ୁଥିବା ଆର୍ଥିକ ବୋଝ ପାଇଁ ସେ ନିଜକୁ ଦାୟୀ କରିଛନ୍ତି। ନୋଟ୍ରେ ସେ ତାଙ୍କ ମାଆ ଓ ବାପାଙ୍କୁ କ୍ଷମା ମାଗିବା ସହ ଲେଖିଛନ୍ତି, “Sorry Mummy, Papa, I couldn’t meet your expectations.” ନିଜ ପାଠପଢ଼ା ପାଇଁ ବାପାମାଆଙ୍କ ସଞ୍ଚିତ ଅର୍ଥ ଖର୍ଚ୍ଚ ହେଉଥିବାରୁ ସେ ଅତି ମର୍ମାହତ ଥିଲେ।
ପରିବାର ଲୋକଙ୍କ ସୂଚନା ଅନୁସାରେ, ପ୍ରିନ୍ସିଙ୍କର ପ୍ରଥମ ସେମିଷ୍ଟରରେ ୫ଟି ବିଷୟରେ ‘ବ୍ୟାକ୍’ (Backlog) ଥିଲା। ସେ ଦ୍ୱିତୀୟ ବର୍ଷର ପରୀକ୍ଷା ସହ ଏହି ପୁରୁଣା ପେପରଗୁଡ଼ିକ ପାଇଁ ପ୍ରସ୍ତୁତ ହେଉଥିଲେ। ଏଥିସହ ସେମିଷ୍ଟର ଫି’ ବାବଦକୁ ସେ ନିକଟରେ ପ୍ରାୟ ୧ ଲକ୍ଷ ଟଙ୍କା ମଧ୍ୟ ମାଗିଥିଲେ। ଏହି ମାନସିକ ଚାପ ଯୋଗୁଁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ପୋଲିସ ବର୍ତ୍ତମାନ ହଷ୍ଟେଲର ଅନ୍ତେବାସୀ ଏବଂ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ବୟାନ ରେକର୍ଡ କରୁଛି ଏବଂ ପୋଷ୍ଟ-ମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି।
















