ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକା ଓ ଇରାନ୍ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାକୁ ପ୍ରଶମିତ କରିବା ପାଇଁ ତେହେରାନ୍ ପକ୍ଷରୁ ଏକ ‘ଶାନ୍ତି ପ୍ରସ୍ତାବ’ (Peace Offer) ଦିଆଯାଇଛି। ଇରାନ୍ ଏବେ ଆଲୋଚନା ପାଇଁ ‘ଥ୍ରୀ-ଫେଜ୍ ଫର୍ମୁଲା’ ଆପଣାଇଥିବା ବେଳେ ଏହାକୁ ନେଇ ବିଶ୍ୱ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି।
କ’ଣ ଏହି ‘ଥ୍ରୀ-ଫେଜ୍ ଫର୍ମୁଲା’?
ଇରାନ୍ ପକ୍ଷରୁ ପାକିସ୍ତାନ ଜରିଆରେ ଆମେରିକାକୁ ଦିଆଯାଇଥିବା ଏହି ପ୍ରସ୍ତାବରେ ତିନୋଟି ମୁଖ୍ୟ ସର୍ତ୍ତ ରହିଛି:
- ଆକ୍ରମଣ ବନ୍ଦ: ପ୍ରଥମ ପର୍ଯ୍ୟାୟରେ ତୁରନ୍ତ ସମସ୍ତ ସାମରିକ ଆକ୍ରମଣ ବନ୍ଦ କରିବା।
- ହର୍ମୁଜ୍ ପ୍ରଣାଳୀ ଖୋଲିବା: ଦ୍ୱିତୀୟ ପର୍ଯ୍ୟାୟରେ ବାଣିଜ୍ୟିକ କାରବାର ପାଇଁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ଜଳପଥକୁ ମୁକ୍ତ ରଖିବା।
- ପରମାଣୁ କଥାବାର୍ତ୍ତା: ଶେଷ ପର୍ଯ୍ୟାୟରେ ପରମାଣୁ ଅସ୍ତ୍ରଶସ୍ତ୍ରକୁ ନେଇ ଦୁଇ ଦେଶ ମଧ୍ୟରେ ବିସ୍ତୃତ ଆଲୋଚନା କରିବା।
ପଛରେ ରହି ଗୋଟି ଚଳାଉଛନ୍ତି ପୁଟିନ୍:
ଇରାନର ଏହି ନୂଆ କୂଟନୀତି ପଛରେ ଋଷର ବଡ଼ ହାତ ଥିବା ସନ୍ଦେହ କରାଯାଉଛି। ଇରାନ୍ ବୈଦେଶିକ ମନ୍ତ୍ରୀ ଆରାଘଚି ଗତ ତିନି ଦିନ ଧରି ପାକିସ୍ତାନ, ଓମାନ ଏବଂ ଋଷ ଗସ୍ତ କରିଛନ୍ତି। ମସ୍କୋରେ ସେ ଭ୍ଲାଦିମିର୍ ପୁଟିନଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ପୂରା ଘଟଣାକ୍ରମରେ ପୁଟିନ୍ ପଛରେ ରହି ଗୋଟି ଚଳାଉଥିବା ବେଳେ ଚୀନ୍ ମଧ୍ୟ ନିଜର କୂଟନୈତିକ ଚାଲ୍ ଜାରି ରଖିଛି।
ଚାପରେ ଟ୍ରମ୍ପ୍:
ଇରାନର ଏହି ଅଫର ଏବେ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି। ଇରାନ୍ ଶାନ୍ତିର କଥା କହୁଥିଲେ ମଧ୍ୟ ପରମାଣୁ କାର୍ଯ୍ୟକ୍ରମକୁ ନେଇ ରଖିଥିବା ସର୍ତ୍ତ ଟ୍ରମ୍ପଙ୍କ ପାଇଁ ‘ନ୍ୟୁକ୍ଲିୟର କଣ୍ଟା’ ସଦୃଶ ହୋଇଛି। ଟ୍ରମ୍ପ ପୂର୍ବରୁ ଇରାନକୁ ନାଲି ଆଖି ଦେଖାଇବା ସହ କଡ଼ା ଚେତାବନୀ ଦେଇ ସାରିଛନ୍ତି, ମାତ୍ର ଏହି ନୂଆ ‘ପିସ୍ ଟକ୍’ ଅଫର ତାଙ୍କୁ ଚାପରେ ରଖିଛି।
ମଧ୍ୟପ୍ରାଚ୍ୟରେ ଏହି ଫର୍ମୁଲା ଯୁଦ୍ଧରେ ଯବନିକା ପକାଇବ ନା ଉତ୍ତେଜନା ଆହୁରି ବଢ଼ିବ, ତାହା ଆଗାମୀ ସମୟ କହିବ।




:max_bytes(150000):strip_icc()/Health-Stocksy_txp3d0ecc80Mrw300_Medium_663260-32aabbea1b5746eb860666d69a624204.jpg?w=1920&resize=1920,1295&ssl=1)
/odishatv/media/media_files/2026/04/28/puri-2026-04-28-08-47-54.jpg?w=1200&resize=1200,601&ssl=1)





