ଶ୍ରୀମନ୍ଦିରରେ ପୁଣି ନୀତି ବିଶୃଙ୍ଖଳା; ରାତି ସାରା ଅନିଦ୍ରା ରହିଲେ ମହାପ୍ରଭୁ

by newsroom MAY-17-2026 1:50 PM IST in ବଡ଼ ଖବର

ଶ୍ରୀମନ୍ଦିରରେ ପୁଣି ସାମ୍ନାକୁ ଆସିଛି ବଡ଼ଧରଣର ନୀତି ବିଶୃଙ୍ଖଳା। ଚନ୍ଦନ ଯାତ୍ରାର ଏକ ଗୁରୁତ୍ଵପୂର୍ଣ୍ଣ ଦିନରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ନୀତି ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି, ଯାହାଫଳରେ ଶ୍ରୀଜିଉମାନେ ରାତି ସାରା ଅନିଦ୍ରା ରହିଛନ୍ତି। ଏହି ପ୍ରଶାସନିକ ଅବହେଳାକୁ ନେଇ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଗକୁ ରଥଯାତ୍ରା ଆସୁଥିବାରୁ, ଏଭଳି ବିଶୃଙ୍ଖଳା ଉପରେ ରୋକ୍ ଲଗାଇବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ତୁରନ୍ତ ହସ୍ତକ୍ଷେପ ଲୋଡ଼ିଛନ୍ତି ବରିଷ୍ଠ ସେବାୟତ।

ଗତକାଲି ପବିତ୍ର ସାବିତ୍ରୀ ଅମାବାସ୍ୟା ଓ ସାଗର ବିଜେ ନୀତି ସହ ଭିତର ଚନ୍ଦନ ଯାତ୍ରାର ଜଳକ୍ରୀଡା ଅନୁଷ୍ଠିତ ହୋଇଥିଲା। ରାତି ୮ଟା ୫ ମିନିଟ୍ ସୁଦ୍ଧା ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ଜଳକ୍ରୀଡା ସାରି ଶ୍ରୀମନ୍ଦିରକୁ ବିଜେ କରିଥିଲେ। ମାତ୍ର ଏହାପରେ ପ୍ରଶାସନିକ ସମନ୍ୱୟ ଅଭାବରୁ ନୀତିକାନ୍ତି ଅସ୍ଵାଭାବିକ ଭାବେ ବିଳମ୍ବ ହୋଇଥିଲା। ଏହାପରେ ପଣା ଭୋଗ ଏବଂ ଚନ୍ଦନ ଲାଗି ନୀତି ବଢ଼ି ବଡ଼ ସିଂହାର ବେଶ ବେଳକୁ ଭୋର୍ ୪ଟା ୨୪ ମିନିଟ୍ ହୋଇଯାଇଥିଲା। ସମୟ ଅଭାବରୁ ଶେଷରେ ମହାପ୍ରଭୁଙ୍କ ପହୁଡ଼ ନୀତି କରାଯାଇ ନପାରି, ସେହିପରି ଭାବେ ଆଗାମୀ ଦିନର ନୀତିକୁ ତ୍ଵରାନ୍ୱିତ କରାଯାଇ ମଙ୍ଗଳ ଆଳତୀ କରାଯାଇଥିଲା।

ବରିଷ୍ଠ ସେବାୟତଙ୍କ କହିବା ଅନୁଯାୟୀ, ଗତ କିଛି ଦିନ ହେବ ଶ୍ରୀମନ୍ଦିର ନୀତି ପ୍ରକ୍ରିୟା ଠିକ୍‌ ଭାବେ ଚାଲୁନାହିଁ। ପୂର୍ବରୁ ବାହାର ଚନ୍ଦନ ଯାତ୍ରା ସମୟରେ ଚାପ ଉପରେ କେତେ ଜଣ ସେବକ ରହିବେ, ତାକୁ ନେଇ ବିବାଦ ଦେଖାଦେଇଥିଲା। ଏବେ ଭିତର ଚନ୍ଦନ ଯାତ୍ରା ସମୟରେ ମଧ୍ୟ ସମାନ ଅବହେଳା ସାମ୍ନାକୁ ଆସିଛି। ବିଗତ ୪ ଦିନ ଧରି ମହାପ୍ରଭୁଙ୍କ ପହୁଡ଼ ରାତି ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ହେଉଥିବା ବେଳେ ଗତକାଲି ତାହା ସମ୍ପୂର୍ଣ୍ଣ ବନ୍ଦ ରହିଲା। ଯଦି ବର୍ତ୍ତମାନଠାରୁ ଏହି ନୀତି ବିଶୃଙ୍ଖଳାକୁ ସୁଧାରା ନଯାଏ, ତେବେ ଆଗକୁ ଆସୁଥିବା ରଥଯାତ୍ରାର ସମସ୍ତ ଗୁରୁତ୍ଵପୂର୍ଣ୍ଣ ନୀତିକାନ୍ତି ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବ। ବୋଲି ବରିଷ୍ଠ ସେବାୟତ କହିଛନ୍ତି ।