ମନୋରଞ୍ଜନ ମିଶ୍ର
ପହଲଗାଁରେ ରକ୍ତ ବହିଲା । ଆଉ ଦୁବାଇରେ କ୍ରିକେଟ ଖେଳ ହେଲା । ଗତକାଲି ରାତିରେ ଯେଉଁମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ କ୍ରିକେଟର ମଜା ନେଇଥିବେ , ମ୍ୟାଚ ସରିଲା ବେଳକୁ ଦ୍ବନ୍ଦ୍ବରେ ପଡ଼ିଥିବେ । ଏସିଆ କପ୍ ଜିତିବା ପରେ ପାକିସ୍ତାନର ଗୃହମନ୍ତ୍ରୀଙ୍କ ହାତରୁ ଆମେ ଟ୍ରଫି ନେବୁ ନାହିଁ ବୋଲି ଟିମ୍ ଇଣ୍ଡିଆର ନିଷ୍ପତ୍ତି ଚଟୁ ଆମିଷ, ବେଂଟ ନିରାମିଷ ଭଳି ଜଣାପଡ଼ିଲା । ଗୋଟିଏ ଦଳ ସହିତ ଖେଳି ଜିତିବା ବା ହାରିଲା ବେଳକୁ ଏତେ କଥା ବାହାର କଲେ କିଏ ଏହାକୁ ସିରିୟସ ନେବ । ଯଦି ଟ୍ରଫି ଦେବା ଲୋକ ସହିତ ଆମର ବିବାଦ ରହିଛି ତାହେଲେ ସେହି ଦେଶର ଦଳ ସହିତ ଆମେ କ୍ରିକେଟ ଖେଳିଲେ କାହିଁକି ? କ୍ରିକେଟ ଯଦି ରାଜନୀତିରୁ ଉଦ୍ଧ୍ବରେ ତାହେଲେ ଟ୍ରଫି ଯେକୈାଣସି ବ୍ୟକ୍ତି ଠାରୁ ନେବାରେ କ୍ଷତି କଣ ? ଏଭଳି ଦ୍ବନ୍ଦ୍ବ କାଲି ଦୁବାଇ ଷ୍ଟାଡିୟମରେ ସୃଷ୍ଟି ହୋଇଥିଲା । ଖେଳ ସରିବା ପରେ ମଧ୍ୟ ଖେଳାଳିଙ୍କ ମଧ୍ୟରେ ଯେତିକି ଉତ୍କଣ୍ଠା ଥିଲା କୋଟି କୋଟି ଦର୍ଶକଙ୍କ ମଧ୍ୟରେ ଦ୍ବନ୍ଦ୍ବ ଥିଲା । କିଛି ସମୟ ପାଇଁ ମନେ ହେଉଥିଲା କ୍ରିକେଟ ପଛକୁ ପଳାଇ ଯାଇଛି ରାଜନୀତି ଆଗକୁ ଆସିଯାଇଛି ।
ମହାନ ଦାର୍ଶନିକ ପ୍ଲାଟୋ ତାଙ୍କର The Republic ପୁସ୍ତକରେ ଗୋଟେ ବଡ଼ କଥା କହିଛନ୍ତି । “ଖେଳ ହେଉଛି ସମାଜର ଆତ୍ମାର ଦର୍ପଣ, ଯେଉଁଠି ମାନବୀୟ ସମାନତା ଓ ସମ୍ମାନ ପ୍ରତିଫଳିତ ହେବା ଉଚିତ୍। ରାଜନୀତିର ବିଭେଦ ଯଦି ଖେଳର ପବିତ୍ରତାକୁ କଳଙ୍କିତ କରେ, ତେବେ ସମାଜର ନ୍ୟାୟପୂର୍ଣ୍ଣ ଆତ୍ମା ଦୁର୍ବଳ ହୁଏ।
କ୍ରିକେଟ୍ ଭାରତ ଓ ପାକିସ୍ତାନରେ କେବଳ ଏକ ଖେଳ ହୋଇ ଆଉ ନାହିଁ । ଏହାକୁ ଦୁଇ ଦେଶର କ୍ରିକେଟ ଓ୍ବାର କୁହାଯାଇପାରେ । ଏସିଆ କପ୍ ଫାଇନାଲରେ ଯାହା ସବୁ ଘଟିଲା । ସେଥିରେ ଏହା ହିଁ କୁହାଯାଇପାରେ । କ୍ରିକେଟ ଖେଳରେ ରାଜନୀତି ଅତ୍ୟଧିକ ପଶିବାରୁ ଖେଳର ମୂଳ ଉଦ୍ଦେଶ୍ୟ ନଷ୍ଟ ହୋଇଛି । ଫାଇନାଲ ମ୍ୟାଚ୍ରେ ଭାରତ-ପାକିସ୍ତାନ ମୁକାବିଲା ଦୁଇ ଦେଶର ପ୍ରଶଂସକଙ୍କ ମନରେ ଉତ୍ତେଜନା ସୃଷ୍ଟି କରିଥିଲା । ସତେ ଯେପରି ଦୁଇ ଦେଶ ଭିତରେ କ୍ରିକେଟ ଓ୍ବାର ଚାଲିଛି ଏହା ସୋସିଆଲ ମିଡିଆର ପୋଷ୍ଟ ଦେଖିଲେ ଲାଗୁଥିଲା । ଭାରତ ୧୪୭ ରନ୍ର ଲକ୍ଷ୍ୟକୁ ୫ ଓ୍ଵିକେଟ୍ରେ ହାସଲ କରି ପାକିସ୍ତାନକୁ ପରାସ୍ତ କରିଥିଲା। କିନ୍ତୁ ଏହି ବିଜୟ ପରେ ଟ୍ରଫି ଭାରତୀୟ ଖେଳାଳି ଗ୍ରହଣ କଲେ ନାହିଁ । ଯାହା ଏବେ ସବୁଠି ଚର୍ଚ୍ଚା ହେଉଛି । ଯଦି ଆମେ ଖେଳିବାକୁ ଯାଉଛେ । ତେବେ ବିଜୟ ପରାଜୟ ତ ହେବ । ଆଉ ବିଜୟ ଯଦି ହେଲା ତେବେ ଆମେ ଟ୍ରଫି ନେବାରେ ଅସୁବିଧା କେଉଁଠି ।
ଆପଣ ଦେଖିଥିବେ ଏସିଆ କପ୍ର ଗ୍ରୁପ୍ ପର୍ଯ୍ୟାୟରେ ଦୁଇ ଦେଶର ଅଧିନାୟକ ହ୍ୟାଣ୍ଡସେକ୍ କଲେ ନାହିଁ । ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଖେଳାଳିମାନେ, ପାକିସ୍ତାନ ବିରୁଦ୍ଧରେ “ପ୍ରତିବାଦ” ସ୍ୱରୂପ, ମ୍ୟାଚ୍ ପୂର୍ବରୁ ଓ ପରେ ହ୍ୟାଣ୍ଡସେକ୍ କରିବାକୁ ମନା କରିଦେଇଥିଲେ। ଏହାର ପ୍ରତିକ୍ରିୟାରେ ପାକିସ୍ତାନର ଅଧିନାୟକ ସଲମାନ ଆଲି ଆଘା, ପୋଷ୍ଟ-ମ୍ୟାଚ୍ ପୁରସ୍କାର ଉତ୍ସବ ବର୍ଜନ କରିଥିଲେ । ସେବେଠାରୁ ଏହାକୁ ନେଇ ବିତର୍କ ଲାଗି ରହିଛି ।
ଭାରତର ଏଭଳି ବ୍ୟବହାରକୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ,, ଏସିଆନ୍ କ୍ରିକେଟ୍ କାଉନସିଲ ଓ ଆନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ (ଆଇସିସି)ରେ ଅଭିଯୋଗ ଦାୟର କରିଥିଲା । ଖାଲି ସେତିକି ନୁହେଁ ମ୍ୟାଚ୍ ରେଫେରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବା ଦାବି କରିଥିଲା। କିନ୍ତୁ ଆଇସିସି କହିବା କଥା ମ୍ୟାଚ ପୂର୍ବରୁ ଏବଂ ପରେ ହ୍ୟାଣ୍ଡ ସେକ୍ କରିବା ନିୟମ ନାହିଁ । ଯଦି କୈାଣସି ଖେଳାଳି ଏପରି କରିବାକୁ ଚାହୁଁନାହାଁନ୍ତି ତେବେ ତାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ । ଏହା ସହ ମ୍ୟାଚ୍ ରେଫରିଙ୍କୁ ମଧ୍ୟ ହଟାଇବାକୁ ଆଇସିସି ସିଧା ସିଧା ମନା କରିଦେଇଥିଲା । ଏପରିକି ସୁପର ଫୋର ମ୍ୟାଚରେ ସାହିବଜାଦା ଫରହାନ ଫିପ୍ଟ ସେଲିବ୍ରେସନ ବେଳେ “ଏକେ-୪୭” ବନ୍ଧୁକ ଦେଖାଇ ଉତ୍ସବ ମନାଇଥିଲେ । ତାହାକୁ ନେଇ ବିବାଦ ହୋଇଥିଲା । ପଡ଼ିଆ ଭିତରେ ହାରିସ ରାଉଫଙ୍କ “୬-0” ଅଙ୍ଗୁଳି ଚିହ୍ନ ଦେଖାଇ ଦର୍ଶକଙ୍କୁ ଚିଡ଼ାଇଥିଲେ । ଯାହାକୁ ଭାରତ ପକ୍ଷରୁ ବିରୋଧ କରାଯାଇ ଆଇସିସି ନିକଟରେ ଅଭିଯୋଗ କରାଯାଇଥିଲା । ଯାହା ଫଳରେ ତାଙ୍କର 30 ପ୍ରତିଶତ ମ୍ୟାଚ୍ ଫି କଟିଥିଲା । ସୂର୍ଯ୍ୟକୁମାର ଯାଦବ ବିଜୟକୁ ପହଲଗାମରେ ଆତଙ୍କବାଦୀଙ୍କ ଦ୍ବାରା ନିହତ ଲୋକ ଏବଂ ସେନାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିବାରୁ ତାଙ୍କର ମଧ୍ୟ 30 ପ୍ରତିଶତ ମ୍ୟାଚ ଫି କଟିଥିଲା ।
ଏହା ପରେ ଫାଇନାଲରେ ଉଭୟ ଦଳ ପହଁଚିଥିଲେ । ଫାଇନାଲରେ ଭାରତୀୟ ଦଳ ପାକିସ୍ତାନର ସ୍ୱରାଷ୍ଟ୍ର ମନ୍ତ୍ରୀ ଥିବା ମହସିନ ନକବୀ ଯିଏକି ପିସିବି ଅଧ୍ୟକ୍ଷ ତଥା ଏସିସି ଅଧ୍ୟକ୍ଷ ମଧ୍ୟ ରହିଛନ୍ତି । ତାଙ୍କ ହାତରୁ ଟ୍ରଫି ଓ ମେଡାଲ ଗ୍ରହଣ କରିବାକୁ ମନା କରିଦେଇଥିଲେ । ଭାରତୀୟ ଖେଳାଳୀମାନେ କହିଥିଲେ ଯେହେତୁ ସେ ପାକିସ୍ତାନର ଗୃହମନ୍ତ୍ରୀ ଅଛନ୍ତି ତେଣୁ ଆମେ ଟ୍ରଫି ଗ୍ରହଣ କରିବୁ ନାହିଁ । ଏହା ପରେ ମହସିନ ନକବୀ ଟ୍ରଫି ନେଇ ହୋଟେଲ ଚାଲିଯାଇଥିଲେ । ଯାହାକୁ ରାଜନୈତିକ ଦୃଷ୍ଟିରୁ ସମାଲୋଚନା କରାଯାଇଥିଲା । ଭାରତୀୟ ଖେଳାଳିମାନେ ପ୍ରତୀକାତ୍ମକ ଭାବେ ଏକ “କାଳ୍ପନିକ ଟ୍ରଫି” ଉଠାଇ ଉତ୍ସବ ମନାଇଥିଲେ। ଅନ୍ୟପକ୍ଷେ, ପାକିସ୍ତାନୀ ଖେଳାଳିଙ୍କ ଅଙ୍ଗଭଙ୍ଗୀ, ବ୍ୟବହାର ବଦଳିଯାଇଥିବା ଦେଖାଯାଇଥିଲା ।
ସୂର୍ଯ୍ୟକୁମାର ଗ୍ରୁପ୍ ପର୍ଯ୍ୟାୟରେ ପାକିସ୍ତାନଠାରୁ ବିଜୟକୁ ଭାରତୀୟ ସୈନ୍ୟ ଓ ସନ୍ତ୍ରାସର ଶିକାର ପରିବାରଙ୍କୁ ଉତ୍ସର୍ଗ କରିଥିଲେ। ସେହିପରି, ଟ୍ରଫି ଗ୍ରହଣ ନକରିବା ଦେଶର ସମ୍ମାନ ରକ୍ଷା ପାଇଁ କରିଥିବା କହିଥିଲେ । ତେବେ ଯେତେବେଳେ ଭାରତ ଏସିଆ କପ୍ ଖେଳିବାକୁ ନିଷ୍ପତ୍ତି ଗ୍ରହଣ କଲା । ସେତେବେଳେ ଏହା ସ୍ପଷ୍ଟ ଥିଲା ଯେ ପାକିସ୍ତାନ ସହ ମ୍ୟାଚ୍ ଖେଳାଯିବ । ମ୍ୟାଚରେ ଭାରତ ହାରିପାରେ ଜିତିବି ପାରେ । ଜିତିଲେ ଟ୍ରଫି ମଧ୍ୟ ଗ୍ରହଣ କରିପାରେ । ଯେତେବେଳେ ଭାରତ ପାକିସ୍ତାନ ଖେଳାଳିମାନଙ୍କ ସହ ଖେଳୁଛି । ସେତେବେଳେ ଟ୍ରଫି ଗ୍ରହଣ ନକରିବାର ମାନେ ବୁଝିହେଲା ନାହିଁ । ଏହା ଦ୍ବାରା କଣ ମେସେଜ କଲା ।
ଇତିହାସ ଦେଖିଲେ ଏହା ଜଣାପଡେ କ୍ରିକେଟ୍ ଐତିହାସିକ ଭାବେ ଭାରତ-ପାକିସ୍ତାନ ମଧ୍ୟରେ ସୌହାର୍ଦ୍ୟ ବଢ଼ାଇଛି । ଏବେ କ୍ରିକେଟ ଖେଳରେ ଏଭଳି ପ୍ରତିବାଦଗୁଡ଼ିକ ଏହାକୁ କଳଙ୍କିତ କରିଛି। ଏହା ଖେଳର “ମନୋଭାବ”କୁ ଆଘାତ ଦେଇଛି ଓ ନିରପେକ୍ଷ ପ୍ରଶଂସକଙ୍କୁ କଷ୍ଟ ଦେଉଛି । ଟ୍ରଫି ମନା କରିବା କିମ୍ବା ଉତ୍ସବ ବର୍ଜନ ଭଳି ପ୍ରତିବାଦ ହେଉଛି ଖେଳର ପ୍ରତୀକାତ୍ମକ ଅପମାନ । ଯାହା ସଂଳାପ ବଦଳରେ ବିଭେଦକୁ ଗଭୀର କରେ। ସାମାଜିକ ଗଣମାଧ୍ୟମରେ ଏବେ ଭାରତ-ପାକିସ୍ତାନ ବିବାଦକୁ ଆହୁରି ଜଟିଳ କରିଛି ।
ଆଉ ଏକ କଥା ହେଉଛି ଖେଳାଳିମାନେ ରାଜନୀତିଜ୍ଞ ନୁହନ୍ତି । ତେଣୁ ରାଜନେତାମାନେ ଖେଳରେ କାହିଁକି ବଡ଼ ପଦରେ ଦାୟିତ୍ବ ନେଉଛନ୍ତି । ଯେତେବେଳେ ତୁମେ ରାଜନେତା ଭଳି କହିବ, ସେତେବେଳେ ଖେଳର ମାନସିକତା ଚାହିଁବ କିପରି । ପୁରା ଏସିଆ କପରେ ପାକିସ୍ତାନ ଅଧିନାୟକ ସଲମାନ ଆଘା,ଏବଂ ତାଙ୍କ ସାଥୀ ଖେଳାଳିଙ୍କ ଆଚରଣ ବ୍ୟକ୍ତିଗତ ଆକ୍ରମଣ ଭଳି ହୋଇଛି । ଯାହା ଭବିଷ୍ୟତ ଦ୍ୱିପାକ୍ଷିକ ମ୍ୟାଚ୍କୁ ବାଧା ସୃଷ୍ଟି କରିପାରେ।
କ୍ରିକେଟ୍କୁ -ରାଜନୀତିରୁ ଅଲଗା କରିବା ଆବଶ୍ୟକ । କିନ୍ତୁ ଏହା ସହଜ କି ? ଭାରତ ଓ ପାକିସ୍ତାନରେ କ୍ରିକେଟ୍ର ସାଂସ୍କୃତିକ ଓ ଭାବନାତ୍ମକ ମହତ୍ତ୍ୱ ରହିଛି । ଏହାକୁ ରାଜନୈତିକ ନେତାମାନେ ନିଜ ଅଭିବ୍ୟକ୍ତିର ଏକ ମଞ୍ଚ କରିଛନ୍ତି। ଭାରତ ଭଳି ପାକିସ୍ତାନରେ ଖେଳ ସହ ଜଡ଼ିତ ସଂସ୍ଥା ରାଜନେତାମାନଙ୍କ ସମର୍ଥନରେ ପରିଚାଳିତ ହେଉଛି । ଏସିଆ କପ୍ ୨୦୨୫ରେ ଦେଖାଯାଇଥିବା ଅଘଟଣ ଦର୍ଶାଏ ଯେ ରାଜନୀତି ଖେଳର ଆତ୍ମାକୁ ନଷ୍ଟ କରୁଛି।
ଆଗାମୀ ଦିନରେ ଏଭଳି ବିବାଦ ସମାଧାନ କରିବା ନିରପେକ୍ଷ ନିୟମ ପ୍ରଣୟନ କରାଯାଇପାରେ । ରାଜନୈତିକ ବ୍ୟକ୍ତିଙ୍କ ଦ୍ୱାରା ପୁରସ୍କାର ପ୍ରଦାନକୁ ନେଇ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ । ଖେଳାଳିମାନେ ମଧ୍ୟ ମ୍ୟାଚ୍ ପରେ ଏକତା, ସମ୍ମାନର ଆଚରଣ ଦେଖାଇ ଉଦାହରଣ ସୃଷ୍ଟି କରିବା ଉଚିତ ।
ଚଳିତ ବର୍ଷର ଏସିଆ କପ୍ ଦର୍ଶାଇଛି, କ୍ରିକେଟ୍ ଏବେ ଭାରତ-ପାକିସ୍ତାନ ମଧ୍ୟରେ ବିଭେଦର କ୍ଷେତ୍ର ହୋଇଛି । ଖେଳାଳିଙ୍କ ପ୍ରତିବାଦ ଏବେ ଜାତୀୟ ଭାବନା ପ୍ରକାଶ କରୁଛି । ଯାହା ଖେଳର ମୁଖ୍ୟ ଉଦ୍ଦେଶ୍ୟକୁ ଆଘାତ ଦେଉଛି। କ୍ରିକେଟ୍କୁ ଏକ ନିରପେକ୍ଷ ଓ ଆନନ୍ଦଦାୟୀ ଖେଳ ଭାବେ କିପରି ରକ୍ଷା କରାଯାଇପାରିବ । ସେଥିପାଇଁ ଭାବିବାର ବେଳ ଆସିଛି । ଖେଳାଳି, ବୋର୍ଡ ଓ ଆୟୋଜକଙ୍କୁ ଏନେଇ ଏକାଠି ବସି କାମ କରିବାକୁ ହେବ। କ୍ରିକେଟ୍ ହେଉଛି ଏକ ଖେଳ, ଯେଉଁଥିରେ କୋଟି କୋଟି ଲୋକଙ୍କ ଭାବନା ଜଡ଼ିତ ରହିଛି । ଏହାକୁ ରାଜନୀତିର ବିଷ ଦ୍ୱାରା ନଷ୍ଟ ହେବାକୁ ଦେବା ଉଚିତ୍ ନୁହେଁ।