‘ଅଷ୍ଟ୍ରେଲିଆନ୍’ ଓପନ୍‌ 2026: ପ୍ରଥମ ରାଉଣ୍ଡ୍‌ରୁ ନୈରାଶ୍ୟଜନକ ଭାବେ ବିଦାୟ ନେଇଛନ୍ତି ଭାରତର ନିକି ପୁନାଚା

by newsroom JAN-20-2026 11:27 PM IST in ଖେଳ

ବହୁବର୍ଷର ସଂଘର୍ଷ ପରେ ୩୦ବର୍ଷ ବୟସରେ ଅଷ୍ଟ୍ରେଲିଆନ୍ ଓପନ୍‌ ପଦାର୍ପଣ କରିଥିବା ଭାରତର ନିକି ପୁନାଚା ପ୍ରଥମ ରାଉଣ୍ଡ୍‌ରୁ ନୈରାଶ୍ୟଜନକ ଭାବେ ବିଦାୟ ନେଇଛନ୍ତି । ମଙ୍ଗଳବାର ପୁରୁଷ ଯୁଗଳର ପ୍ରଥମ ରାଉଣ୍ଡ୍‌ରେ ପୁନାଚା ଓ ତାଙ୍କ ଥାଇଲାଣ୍ଡ ସାଥୀ ପ୍ରୁଚୟ ଇସାରୋ ସ୍ପେନ୍‌ର ପେଡ୍ରୋ ମାର୍ଟିନେଜ୍ ଓ ଜୁମେ ମୁନାରଙ୍କଠାରୁ ୬-୭ (୩), ୫-୭ରେ ହାରିଯାଇଛନ୍ତି । ଏହି ଭାରତ-ଥାଇଲାଣ୍ଡ ଯୋଡ଼ି ଏକ ଘଣ୍ଟା ୫୧ ମିନିଟ୍‌ କାଳ ଲଢ଼ିଥିଲେ ମଧ୍ୟ ବିଜୟର ମିଠା ସ୍ୱାଦ ଚାଖି ପାରି ନଥି‌ଲେ ।ପୁନାଚାଙ୍କ ପରାଜୟ ପରେ ଭାରତୀୟ ଅଭିଯାନ ଏବେ ୟୁକି ଭାମ୍ବ୍ରିଙ୍କ ଉପରେ ନିର୍ଭର କରୁଛି । ଭାମ୍ବ୍ରି ପୁରୁଷ ଯୁଗଳରେ ସ୍ୱିଡେନ୍‌ର ଆନ୍ଦ୍ରେ ଗୋରାନସନ୍‌ଙ୍କୁ ସାଥୀ କରି ‌ଖେଳୁଛନ୍ତି । ଉଭୟ ଦଶମ ସିଡ୍‌ର ମାନ୍ୟତା ଲାଭ କରିଛନ୍ତି । ଚଳିତ ବର୍ଷ ପୁରୁଷ ଓ ମହିଳା ଏକକ ବର୍ଗ ଖେଳିବାକୁ କୌଣସି ଭାରତୀୟ ଯୋଗ୍ୟତା ଅର୍ଜନ କରି ନାହାନ୍ତି ।