ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବଢ଼ିଛି। ଯୁକ୍ତରାଷ୍ଟ୍ର ଆମେରିକା ଆଜିଠାରୁ ଇରାନର ସମସ୍ତ ବନ୍ଦର ଓ ଉପକୂଳ ଅଞ୍ଚଳକୁ ଯାଉଥିବା ଜାହାଜର ଯାତାୟାତକୁ ଅବରୋଧ କରିବ ବୋଲି ଘୋଷଣା କରିଛି। ଆମେରିକା କେନ୍ଦ୍ରୀୟ କମାଣ୍ଡ (CENTCOM) ଏହି ନାକାବନ୍ଦୀ ଆଜି ସକାଳ ୧୦ଟା (ଇଷ୍ଟର୍ନ ଟାଇମ୍) ରୁ କାର୍ଯ୍ୟକାରୀ କରିବ ବୋଲି କହିଛି, ଯାହା ଭାରତୀୟ ସମୟ ଅନୁସାରେ ସଂଧ୍ୟା ସାଢେ ୭ଟା ହେବ।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରି କହିଥିଲେ ଯେ, ପାକିସ୍ତାନରେ ଇରାନ ସହ ହୋଇଥିବା ଶାନ୍ତି ଆଲୋଚନା ବିଫଳ ହେବା ପରେ ଆମେରିକା ନୌସେନା ହର୍ମୁଜ ପ୍ରଣାଳୀରେ ଇରାନ ବନ୍ଦରକୁ ଯାଉଥିବା ସମସ୍ତ ଜାହାଜକୁ ଅଟକାଇବ। କିନ୍ତୁ CENTCOM ସ୍ପଷ୍ଟ କରିଛି ଯେ, ହର୍ମୁଜ ପ୍ରଣାଳୀ ଦେଇ ଅନ୍ୟ ଦେଶର ବନ୍ଦରକୁ ଯାଉଥିବା ଜାହାଜଗୁଡ଼ିକୁ ଏହି ନାକାବନ୍ଦୀ ପ୍ରଭାବିତ କରିବ ନାହିଁ। କେବଳ ଇରାନ ବନ୍ଦର ଓ ଉପକୂଳ ଅଞ୍ଚଳକୁ ଆସୁଥିବା କିମ୍ବା ଯାଉଥିବା ଜାହାଜଗୁଡ଼ିକୁ ହିଁ ଅବରୋଧ କରାଯିବ।
ଏହି ନିଷ୍ପତ୍ତି ପରେ ବିଶ୍ୱ ତୈଳ ବଜାରରେ ଉତ୍ତେଜନା ବଢ଼ିଛି। ହର୍ମୁଜ ପ୍ରଣାଳୀ ଦେଇ ବିଶ୍ୱର ପ୍ରାୟ ଏକ ପଞ୍ଚମାଂଶ ତୈଳ ଓ ଏଲ୍ଏନ୍ଜି ଯାତାୟାତ ହୁଏ। ଭାରତ ମଧ୍ୟ ଏହି ପଥରେ ବହୁ ପରିମାଣରେ ତୈଳ ଆମଦାନି କରେ। ଯଦି ସଙ୍କଟ ବଢ଼େ ତେବେ ଭାରତର ତୈଳ ମୂଲ୍ୟ ବଢ଼ିପାରେ ଓ ଅର୍ଥନୈତିକ ପ୍ରଭାବ ପଡ଼ିପାରେ।
ସେପଟେ ଇରାନ ପକ୍ଷରୁ ଏହି ନାକାବନ୍ଦୀ ବିରୋଧରେ କଠୋର ଚେତାବନୀ ଦିଆଯାଇଛି। ପୂର୍ବରୁ ହର୍ମୁଜରେ ମାଇନ୍ ସ୍ଥାପନ ଓ ଜାହାଜ ଉପରେ ଆକ୍ରମଣର ଆଶଙ୍କା ଥିବାରୁ ଆମେରିକା ନୌସେନା ସେଠାରେ ମାଇନ୍ ସଫା କରିବାର କାର୍ଯ୍ୟ ଆରମ୍ଭ କରିଛି।ଏହି ପରିସ୍ଥିତିରେ ଆନ୍ତର୍ଜାତିକ ସମ୍ପ୍ରଦାୟ ଶାନ୍ତି ଆଲୋଚନା ପାଇଁ ଆହ୍ୱାନ ଦେଇଛି। ଯୁକ୍ତରାଷ୍ଟ୍ର ଏହି ନାକାବନ୍ଦୀକୁ ଇରାନ ଉପରେ ଚାପ ସୃଷ୍ଟି କରିବାର ଏକ ରଣନୀତି ବୋଲି ବିଶ୍ଳେଷକମାନେ କହୁଛନ୍ତି। ଆଗକୁ ପରିସ୍ଥିତି କେଉଁ ଦିଗରେ ମୋଡ଼ ନେବ ତାହା ଏବେ ଦେଖିବାକୁ ବାକି ରହିଛି।









/odishatv/media/media_files/2026/04/14/moquim-2026-04-14-16-04-29.jpg?w=607&resize=607,430&ssl=1)
