ଇରାନ୍ ସହ ଚାଲିଥିବା ଯୁଦ୍ଧରେ ଚୀନ୍ ଏପର୍ଯ୍ୟନ୍ତ ନୀରବ ଦର୍ଶକ ଭାବେ ରହିଥିଲା। କିନ୍ତୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀରେ ବ୍ଲକେଡ୍ ଆରମ୍ଭ କରିବା ପରେ ପରିସ୍ଥିତି ପୂରା ବଦଳିଯାଇଛି। ଚୀନର ତୈଳ ଓ ଗ୍ୟାସ୍ ଆମଦାନୀର ଏକ ବଡ଼ ଅଂଶ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥ ମାଧ୍ୟମରେ ଆସେ। ଫଳରେ ଚୀନ୍ ଏଠାରେ ତା’ର ଶକ୍ତିଶାଳୀ ନୌସେନାକୁ ମୁତୟନ କରିବାକୁ ବାଧ୍ୟ ହେବ ବୋଲି କୁହାଯାଉଛି ।
ଆମେରିକା କେନ୍ଦ୍ରୀୟ କମାଣ୍ଡ (CENTCOM) ଅନୁଯାୟୀ, ହର୍ମୁଜ୍ ପ୍ରଣାଳୀରେ ଇରାନ୍ ବନ୍ଦରଗୁଡ଼ିକୁ ଯାଉଥିବା କିମ୍ବା ସେଠାରୁ ଆସୁଥିବା ସମସ୍ତ ଜାହାଜକୁ ଅଟକାଇବା ପାଇଁ ଯୁକ୍ତରାଷ୍ଟ୍ର ନୌସେନା ଏବେ ସକ୍ରିୟ ହୋଇଛି। ଏହି ଅପରେସନ୍ରେ ୧୦,୦୦୦ରୁ ଅଧିକ ଆମେରିକୀୟ ସୈନ୍ୟ, ଡଜନ୍ ଯୁଦ୍ଧଜାହାଜ ଏବଂ ବହୁ ବିମାନ ମୁତୟନ କରାଯାଇଛି। ପ୍ରଥମ ୨୪ ଘଣ୍ଟାରେ କୌଣସି ଜାହାଜ ବ୍ଲକେଡ୍ ଭାଙ୍ଗି ପାରିନଥିବା ବେଳେ, କେତେକ ଇରାନ ଜାହାଜ ଫେରିଯାଇଛି।
ଚୀନ୍ ଏହି ବ୍ଲକେଡ୍କୁ ‘ବିପଜ୍ଜନକ ଏବଂ ଦାୟିତ୍ୱହୀନ’ ବୋଲି କଠୋର ଭାଷାରେ ସମାଲୋଚନା କରିଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନ୍ କହିଛନ୍ତି ଯେ, ଏହି ଅବରୋଧ ଦୁର୍ବଳ ଯୁଦ୍ଧବିରାମକୁ ଆହୁରି ଖରାପ କରିବ ଏବଂ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳର ସୁରକ୍ଷାକୁ ବିପନ୍ନ କରିବ। ଚୀନ୍ର ରାଷ୍ଟ୍ରପତି ଶି ଜିନପିଙ୍ଗ୍ ମଧ୍ୟ ବିଶ୍ୱକୁ ଆଉ ‘ଜଙ୍ଗଲି ନିୟମ’ ଭିତରକୁ ନଫେରିବାକୁ ଆହ୍ୱାନ ଦେଇଛନ୍ତି। ଚୀନ୍ ଇରାନର ସବୁଠୁ ବଡ଼ ତୈଳ କ୍ରେତା ହୋଇଥିବାରୁ ଏହି ବ୍ଲକେଡ୍ ତା’ର ଶକ୍ତି ଓ ଅର୍ଥନୀତିକୁ ସିଧାସଳଖ ପ୍ରଭାବିତ କରୁଛି।
ଆମେରିକୀୟ ନିଷେଧାଜ୍ଞା ସତ୍ୱେ ଏକ ଚୀନ୍ ଟ୍ୟାଙ୍କର ହର୍ମୁଜ୍ ପାର କରିଥିବା ରିପୋର୍ଟ ଆସିଛି, ଯାହା ପରିସ୍ଥିତିକୁ ଆହୁରି ଜଟିଳ କରିଛି। ବିଶ୍ଳେଷକମାନେ କହୁଛନ୍ତି ଯେ, ଯଦି ଆମେରିକା ଚୀନ୍ ଜାହାଜଗୁଡ଼ିକୁ ଅଟକାଇବାକୁ ଚେଷ୍ଟା କରେ ତେବେ ଏହା ଏକ ବଡ଼ ଆନ୍ତର୍ଜାତିକ ଘଟଣାରେ ପରିଣତ ହୋଇପାରେ। ଚୀନ୍ ତା’ର ନୌସେନାକୁ ମୁତୟନ କରି ତା’ର ଟ୍ୟାଙ୍କରଗୁଡ଼ିକୁ ସୁରକ୍ଷା ଦେବାର ସମ୍ଭାବନା ଏବେ ଆଲୋଚନାର ବିଷୟ ହୋଇଛି। ତଥାପି ଏପର୍ଯ୍ୟନ୍ତ ବେଜିଂ କୌଣସି ସେନା ମୁତୟନର ଘୋଷଣା କରିନାହିଁ ଏବଂ କେବଳ କୂଟନୀତିକ ସ୍ତରରେ ବିରୋଧ ଜଣାଇଛି। ଏହି ପରିସ୍ଥିତି ବିଶ୍ୱ ଅର୍ଥନୀତି ଉପରେ ବଡ଼ ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରାଯାଉଛି।










