ପଶ୍ଚିମ ଏସିଆରେ ଉତ୍ତେଜନା କମାଇବା ପାଇଁ ନୂତନ କୂଟନୈତିକ ପ୍ରୟାସ ମଧ୍ୟରେ ଯୁକ୍ତରାଷ୍ଟ୍ର ଓ ଇରାନ୍ ମଧ୍ୟରେ ଆଗାମୀ ଶାନ୍ତି ଆଲୋଚନା ସୋମବାର ଦିନ ଇସଲାମାବାଦ୍ରେ ହେବାର ସମ୍ଭାବନା ରହିଛି। ପାକିସ୍ତାନ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।
ପ୍ରଥମ ପାଳି ଆଲୋଚନା ଇସଲାମାବାଦ୍ରେ ହୋଇଥିଲା ଏବଂ କୌଣସି ବଡ଼ ସଫଳତା ମିଳି ନଥିଲା ଯଦିଓ ଏହା ଏକ ଦୁର୍ବଳ ଯୁଦ୍ଧବିରାମକୁ ସମର୍ଥନ କରିଥିଲା। ବର୍ତ୍ତମାନ ସାନି ଆଲୋଚନା ପାଇଁ ପାକିସ୍ତାନ ପୁନର୍ବାର ଆତିଥ୍ୟ ଦେବାକୁ ପ୍ରସ୍ତୁତ ହେଉଛି। ହ୍ୱାଇଟ୍ ହାଉସ୍ ମଧ୍ୟ ସୂଚନା ଦେଇଛି ଯେ ପରବର୍ତ୍ତୀ ଆଲୋଚନା ସମ୍ଭବତଃ ପ୍ରଥମ ପାଳି ପରି ଇସଲାମାବାଦ୍ରେ ହେବ।ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ୍ ଓ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ୍ ଆସିମ୍ ମୁନିର୍ ଏହି ଆଲୋଚନାରେ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି।
ସେନା ମୁଖ୍ୟ ସମ୍ପ୍ରତି ତେହରାନ୍ ଗସ୍ତ କରି ଇରାନ୍ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି। ପାକିସ୍ତାନ ସରକାର ଓ ସେନା ଉଭୟ ପକ୍ଷ ଯୁକ୍ତରାଷ୍ଟ୍ର ଓ ଇରାନ୍ ମଧ୍ୟରେ ସମ୍ପର୍କ ସୁଧାରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।ଏହି ଆଲୋଚନାର ମୁଖ୍ୟ ବିଷୟ ହେଉଛି ଇରାନର ପାରମାଣବିକ କାର୍ଯ୍ୟକ୍ରମ, ଇଉରାନିୟମ୍ ସମୃଦ୍ଧିକରଣ ସ୍ଥଗିତ ରଖିବା ଏବଂ ଯୁଦ୍ଧବିରାମକୁ ସ୍ଥାୟୀ କରିବା। ବର୍ତ୍ତମାନର ଯୁଦ୍ଧବିରାମ ଶୀଘ୍ର ସମାପ୍ତ ହେବାକୁ ଥିବାରୁ ଉଭୟ ପକ୍ଷ ଏକ ଚୁକ୍ତି ପାଇଁ ଚାପରେ ଅଛନ୍ତି।
ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ପାକିସ୍ତାନର ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ପାଇଁ ଆଶା ରହିଛି। ଯଦି ଚୁକ୍ତି ହୁଏ ତେବେ ସେ ପାକିସ୍ତାନ ଗସ୍ତ କରିପାରନ୍ତି ବୋଲି ମଧ୍ୟ ସୂଚନା ଦେଇଛନ୍ତି।ପାକିସ୍ତାନର ବିଦେଶ ମନ୍ତ୍ରାଳୟ କହିଛି ଯେ ଆଲୋଚନାର ବିବରଣୀ ଗୋପନୀୟ ରଖାଯିବ ଏବଂ ମଧ୍ୟସ୍ଥି ଏହାକୁ ପାଳନ କରିବା ଜରୁରୀ। ଇସଲାମାବାଦ୍ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।ଏହି ଆଲୋଚନା ସଫଳ ହେଲେ ପଶ୍ଚିମ ଏସିଆରେ ଶାନ୍ତି ସ୍ଥାପନ ହେବା ସହିତ ବିଶ୍ୱ ତୈଳ ଯୋଗାଣ ଓ ଅର୍ଥନୈତିକ ସ୍ଥିରତା ଉପରେ ସକାରାତ୍ମକ ପ୍ରଭାବ ପଡ଼ିପାରେ।








/odishatv/media/media_files/2025/10/10/shree-2025-10-10-13-26-37.jpg?w=640&resize=640,375&ssl=1)


