ହର୍ମୁଜ୍ ପ୍ରଣାଳୀ ଖୋଲିବାର କିଛି ଘଣ୍ଟା ପରେ ପୁଣି ନୂଆ ସର୍ତ୍ତ ଲଗାଇଛି ଇରାନର IRGC…। ଏହି ସର୍ତ୍ତ ପରେ ବିଶ୍ଵବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଇରାନ୍ ବିଦେଶ ମନ୍ତ୍ରୀ ଆବାସ୍ ଆରାଘ୍ଚି ଘୋଷଣା କରିଥିଲେ ଯେ ଲେବାନନ୍ ଯୁଦ୍ଧବିରାମ ସମୟରେ ହର୍ମୁଜ୍ ପ୍ରଣାଳୀ ସମସ୍ତ ବାଣିଜ୍ୟିକ ଜାହାଜ ପାଇଁ ‘ସମ୍ପୂର୍ଣ୍ଣ ଖୋଲା’ ରହିବ। କିନ୍ତୁ ଇରାନ୍ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ୍ କର୍ପସ୍ (IRGC) ନୌସେନା ଏହାର କିଛି ଘଣ୍ଟା ପରେ ନୂତନ ସର୍ତ୍ତ ଲଗାଇ ପରିସ୍ଥିତିକୁ ଜଟିଳ କରିଦେଇଛି। ଇରାନ୍ ବିଦେଶ ମନ୍ତ୍ରୀ ଆରାଘ୍ଚି ଏକ୍ସ (ପୂର୍ବରୁ ଟ୍ୱିଟର୍)ରେ ପୋଷ୍ଟ କରି କହିଥିଲେ, “ଲେବାନନ୍ ଯୁଦ୍ଧବିରାମ ଅନୁଯାୟୀ, ହର୍ମୁଜ୍ ପ୍ରଣାଳୀ ଦେଇ ସମସ୍ତ ବାଣିଜ୍ୟିକ ଜାହାଜ ପାଇଁ ପଥ ସମ୍ପୂର୍ଣ୍ଣ ଖୋଲା ଘୋଷଣା କରାଯାଉଛି। ଏହା ଇରାନ୍ ପୋର୍ଟ୍ସ ଆଣ୍ଡ୍ ମାରିଟାଇମ୍ ଅର୍ଗାନାଇଜେସନ୍ ଦ୍ୱାରା ପୂର୍ବରୁ ଘୋଷିତ ରୁଟ୍ ଅନୁସାରେ ହେବ।”କିନ୍ତୁ IRGC ନୌସେନା ନିଜର ବିବୃତ୍ତିରେ କହିଛି ଯେ:
- ସମସ୍ତ ଜାହାଜ ପାର ହେବା ପାଇଁ IRGC ନୌସେନାର ଅନୁମତି ଆବଶ୍ୟକ,
- ସାଧାରଣ ବାଣିଜ୍ୟିକ ଜାହାଜଗୁଡ଼ିକ କେବଳ ଇରାନ୍ ନିର୍ଦ୍ଧାରିତ ରୁଟ୍ ଦେଇ ଯାତ୍ରା କରିପାରିବେ,
- ସେନା ଜାହାଜଗୁଡ଼ିକ ପାଇଁ ପ୍ରଣାଳୀ ଏପର୍ଯ୍ୟନ୍ତ ନିଷିଦ୍ଧ ରହିବ।
ବିଦେଶ ମନ୍ତ୍ରୀ ଆରାଘ୍ଚିଙ୍କ ଘୋଷଣାରେ ଏହି ସର୍ତ୍ତଗୁଡ଼ିକୁ ସ୍ପଷ୍ଟ କରାଯାଇ ନଥିଲା। ଏହା ଫଳରେ ପରିସ୍ଥିତି ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ଏବଂ ଅନେକ ଜାହାଜ କମ୍ପାନୀ ସତର୍କତା ଅବଲମ୍ବନ କରୁଛନ୍ତି।ହର୍ମୁଜ୍ ପ୍ରଣାଳୀ ବିଶ୍ୱର ପ୍ରାୟ ଏକ ପଞ୍ଚମାଂଶ ତୈଳ ଓ ଏଲ୍ଏନ୍ଜି ପରିବହନ କରେ। ଏହା ବନ୍ଦ ହେବା ଫଳରେ ବିଶ୍ୱ ତୈଳ ମୂଲ୍ୟ ବହୁତ ପ୍ରଭାବିତ ହୋଇଥିଲା। ଯୁଦ୍ଧବିରାମ ପରେ ତୈଳ ମୂଲ୍ୟ କିଛି ପରିମାଣରେ ହ୍ରାସ ପାଇଛି।
ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଇରାନର ଘୋଷଣାକୁ ସ୍ୱାଗତ କରିଥିଲେ, କିନ୍ତୁ ସେ ସ୍ପଷ୍ଟ କରିଛନ୍ତି ଯେ ଇରାନ୍ ବିରୋଧରେ ନୌସେନା ଅବରୋଧ ଜାରି ରହିବ ଯେପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଚୁକ୍ତି ସମ୍ପୂର୍ଣ୍ଣ ହୋଇନାହିଁ। ଇରାନ ଏହି ନୂତନ ସର୍ତ୍ତ ଲଗାଇବା ଫଳରେ ହର୍ମୁଜ୍ ପ୍ରଣାଳୀ ପୂର୍ଣ୍ଣ ସ୍ୱାଭାବିକ ହେବାକୁ ସମୟ ଲାଗିପାରେ ବୋଲି ବିଶ୍ଲେଷକମାନେ କହୁଛନ୍ତି।








/odishatv/media/media_files/2025/10/10/shree-2025-10-10-13-26-37.jpg?w=640&resize=640,375&ssl=1)


