Strait of Hormuzକୁ ନେଇ ବଡ ଘୋଷଣା କରିଛି ଇରାନ । ଇରାନର ବିଦେଶ ମନ୍ତ୍ରୀ ଆବ୍ବାସ୍ ଆରାଘଚି ଘୋଷଣା କରିଛନ୍ତି ଯେ, ଯୁଦ୍ଧବିରାମ ସମୟରେ ହର୍ମୁଜ୍ ପ୍ରଣାଳୀ (Strait of Hormuz) ସମ୍ପୂର୍ଣ୍ଣ ଭାବେ ଖୋଲା ରହିବ ଏବଂ ସମସ୍ତ ବାଣିଜ୍ୟିକ ଜାହାଜଗୁଡ଼ିକ ପାଇଁ ଏହା ଉପଲବ୍ଧ ହେବ। ଇରାନ୍-ଯୁକ୍ତରାଷ୍ଟ୍ର-ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଘୋଷିତ ଦୁଇ ସପ୍ତାହର ଯୁଦ୍ଧବିରାମ ଚୁକ୍ତି ଅନୁଯାୟୀ ଇରାନ୍ ଏହି ନିଷ୍ପତ୍ତି ନେଇଛି।
ବିଦେଶ ମନ୍ତ୍ରୀ ଆରାଘଚି କହିଛନ୍ତି ଯେ, ଇରାନର ସଶସ୍ତ୍ର ବାହିନୀ ସହ ସମନ୍ୱୟ ରଖି ଏବଂ କେତେକ ସୀମାର ବିଚାର କରି ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ଦୁଇ ସପ୍ତାହ ପାଇଁ ନିରାପଦ ପରିବହନ ସମ୍ଭବ ହେବ।ହର୍ମୁଜ୍ ପ୍ରଣାଳୀ ବିଶ୍ୱର ତୈଳ ବାଣିଜ୍ୟର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜଳପଥ। ବିଶ୍ୱର ପ୍ରାୟ ଏକ ପଞ୍ଚମାଂଶ ତୈଳ ଏହି ପ୍ରଣାଳୀ ଦେଇ ପରିବହନ କରାଯାଏ। ସମ୍ପ୍ରତି ଯୁଦ୍ଧ ଉତ୍ତେଜନା ଯୋଗୁଁ ଏହି ଜଳପଥ ବନ୍ଦ ହୋଇଥିବା ଆଶଙ୍କା ସୃଷ୍ଟି ହୋଇଥିଲା, ଯାହା ବିଶ୍ୱ ଅର୍ଥନୀତି ଉପରେ ବଡ଼ ପ୍ରଭାବ ପକାଇଥିଲା।
ଆରାଘଚି କହିଛନ୍ତି ଯେ, ଯଦି ଇରାନ୍ ଉପରେ ଆକ୍ରମଣ ବନ୍ଦ ହୁଏ ତେବେ ଇରାନର ଶକ୍ତିଶାଳୀ ସଶସ୍ତ୍ର ବାହିନୀ ତା’ର ଆତ୍ମରକ୍ଷାମୂଳକ କାର୍ଯ୍ୟାନୁଷ୍ଠାନ ସ୍ଥଗିତ ରଖିବ। ଏହି ଯୁଦ୍ଧବିରାମ ସମୟରେ ହର୍ମୁଜ୍ ପ୍ରଣାଳୀ ସମସ୍ତ ବାଣିଜ୍ୟିକ ଜାହାଜଗୁଡ଼ିକ ପାଇଁ ଖୋଲା ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଯୁଦ୍ଧବିରାମ ଘୋଷଣା କରିବା ପରେ ଇରାନ୍ ପକ୍ଷରୁ ଏହି ପ୍ରତିକ୍ରିୟା ଆସିଛି।
ପାକିସ୍ତାନର ମଧ୍ୟସ୍ଥତାରେ ଏହି ଚୁକ୍ତି ହୋଇଥିବା କୁହାଯାଉଛି। ତଥାପି ଇରାନ୍ କହିଛି ଯେ, ଏହି ଖୋଲା ବ୍ୟବସ୍ଥା କେବଳ ଦୁଇ ସପ୍ତାହ ପାଇଁ ଏବଂ ସଶସ୍ତ୍ର ବାହିନୀର ନିର୍ଦ୍ଦେଶ ଅନୁଯାୟୀ ହେବ। ଏହି ଘୋଷଣା ପରେ ବିଶ୍ୱ ବଜାରରେ ତୈଳ ମୂଲ୍ୟ ସ୍ଥିର ହେବାର ଆଶା କରାଯାଉଛି। ବିଭିନ୍ନ ଦେଶର ଅର୍ଥନୀତି ଏବଂ ଇନ୍ଧନ ଯୋଗାଣ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି ଆଶା କରାଯାଉଛି।




/odishatv/media/media_files/2025/10/10/shree-2025-10-10-13-26-37.jpg?w=640&resize=640,375&ssl=1)






