ଇରାନ୍ ଓ ଆମେରିକା ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧର ପ୍ରଭାବ ବିଶ୍ୱ ତେଲ ବଜାରରେ ସ୍ପଷ୍ଟ ଦେଖାଯାଉଛି। ଏହି ଉତ୍ତେଜନା ଯୋଗୁଁ ଅଶୋଧିତ ତେଲର ଦର ବ୍ୟାପକ ଭାବେ ବଢ଼ିବାରେ ଲାଗିଛି, ଯାହାର ପ୍ରତ୍ୟକ୍ଷ ପ୍ରଭାବ ନେପାଳର ପେଟ୍ରୋଲ ଓ ଡିଜେଲ ଦାମ୍ ଉପରେ ପଡ଼ିଛି।
ନୂଆ ମୂଲ୍ୟ ତାଲିକା ଅନୁଯାୟୀ, ନେପାଳରେ ଡିଜେଲର ଦର ପ୍ରତି ଲିଟର ୨୩୪.୫୦ ନେପାଳୀ ଟଙ୍କା ଏବଂ ପେଟ୍ରୋଲର ଦର ୨୧୬.୫୦ ଟଙ୍କାରେ ପହଞ୍ଚିଛି। ଏହା ନେପାଳର ସାଧାରଣ ଲୋକଙ୍କ ଉପରେ ଭାରି ଅର୍ଥନୈତିକ ଚାପ ସୃଷ୍ଟି କରିଛି। ଯାତାୟାତ, ପରିବହନ ଏବଂ ଦୈନନ୍ଦିନ ଜୀବନ ଖର୍ଚ୍ଚ ବଢ଼ିବାରେ ଲାଗିଛି।ବିଶେଷଜ୍ଞମାନେ କହୁଛନ୍ତି ଯେ, ହର୍ମୁଜ୍ ପ୍ରଣାଳୀରେ ଯୁଦ୍ଧର ପ୍ରଭାବ ଯୋଗୁଁ ତେଲ ସରବରାହ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।
ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ପ୍ରତି ବ୍ୟାରେଲ ୧୦୦ ଡଲାର୍ ଉପରେ ପହଞ୍ଚିଥିବା ବେଳେ ନେପାଳ ପରି ଆମଦାନି ଉପରେ ନିର୍ଭର କରୁଥିବା ଦେଶରେ ଏହାର ପ୍ରଭାବ ଅଧିକ ପଡ଼ୁଛି। ନେପାଳର ତେଲ ବଜାର ସମ୍ପୂର୍ଣ୍ଣ ଭାବେ ଭାରତୀୟ ତେଲ କମ୍ପାନୀଗୁଡ଼ିକ ଉପରେ ନିର୍ଭରଶୀଳ ଥିବାରୁ ଆନ୍ତର୍ଜାତିକ ଦର ବୃଦ୍ଧି ସଙ୍ଗେ ସଙ୍ଗେ ସ୍ଥାନୀୟ ଦାମ୍ ବଢ଼ୁଛି।
ଏହା ଫଳରେ ନେପାଳର ସାଧାରଣ ଜନତା, ବ୍ୟବସାୟୀ ଏବଂ ପରିବହନ କ୍ଷେତ୍ର ପ୍ରଭାବିତ ହେଉଛନ୍ତି।ନେପାଳ ସରକାର ଏହି ଦର ବୃଦ୍ଧିକୁ ଉପରେ ନଜର ରଖିଛି ଏବଂ ପରିସ୍ଥିତି ଅନୁଯାୟୀ ପଦକ୍ଷେପ ନେବାକୁ ଆଶ୍ୱାସନା ଦେଇଛି। ତଥାପି ସାଧାରଣ ଲୋକଙ୍କ ମଧ୍ୟରେ ଦୈନନ୍ଦିନ ଜୀବନ ଯାପନ ଗଭୀର ଭାବେ ପ୍ରଭାବିତ ହୋଇଛି।











