ଟାଟା କନ୍ସଲଟାନ୍ସି ସର୍ଭିସେସ୍ (ଟିସିଏସ୍) ନାସିକ୍ ଶାଖାରେ ଧର୍ମୀୟ ନିର୍ଯ୍ୟାତନା ଏବଂ ଯୌନ ଶୋଷଣର ଗମ୍ଭୀର ଅଭିଯୋଗ ଉଠିଛି। ଜଣେ ପୁରୁଷ କର୍ମଚାରୀ ଇଣ୍ଡିଆ ଟୁଡେକୁ ଦେଇଥିବା ବୟାନରେ ଦାବି କରିଛନ୍ତି ଯେ, ତାଙ୍କ ଟିମ୍ ଲିଡରମାନେ ତାଙ୍କୁ ନମାଜ୍ ପଢିବାକୁ, କଲମା ପଢିବାକୁ ଏବଂ ଟୋପି ପିନ୍ଧିବାକୁ ବାଧ୍ୟ କରୁଥିଲେ।
କର୍ମଚାରୀଙ୍କ କହିବା ଅନୁଯାୟୀ, ହଇରାଣ ସୀମା ଅତିକ୍ରମ କରିଥିଲା ଯେତେବେଳେ ଜଣେ ଅଭିଯୁକ୍ତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବ୍ୟଙ୍ଗ କରି କହିଥିଲେ, “ ଯଦି ପିଲା ଚାହୁଁଛ ତେବେ ତୁମର ସ୍ତ୍ରୀକୁ ମୋ ପାଖକୁ ପଠାଇଦିଅ”। ସେ ଚିକିତ୍ସା ସତ୍ତ୍ୱେ ପିଲା ହେବାରେ ଅସମର୍ଥ ଥିବାରୁ ଏହି ମନ୍ତବ୍ୟ ଦେଇ ତାଙ୍କୁ ଅପମାନିତ କରାଯାଇଥିଲା। ଏହି କର୍ମଚାରୀ ତାଙ୍କ ଅନୁଭବ ବର୍ଣ୍ଣନା କରି କହିଛନ୍ତି ଯେ, ଟିମ୍ ଲିଡରମାନଙ୍କ ଦ୍ୱାରା ଧର୍ମ ପରିବର୍ତ୍ତନ ପାଇଁ ଚାପ ପ୍ରୟୋଗ କରାଯାଉଥିଲା।
ନମାଜ୍ ପଢିବା ଏବଂ ମୁସଲିମ୍ ଧର୍ମୀୟ ପରିଚ୍ଛଦ ପରିଧାନ କରିବାକୁ ବାରମ୍ବାର ଜୋର୍ ଦିଆଯାଉଥିଲା। ପୋଲିସ୍ ଏହି ମାମଲାରେ ଏକାଧିକ ଏଫ୍ଆଇଆର୍ ରୁଜୁ କରି ତଦନ୍ତ ଚଳାଉଛି ଏବଂ କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଟିସିଏସ୍ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଗମ୍ଭୀରତାର ସହ ନେଇ ଅଭିଯୁକ୍ତ କର୍ମଚାରୀଙ୍କୁ ସସ୍ପେଣ୍ଡ୍ କରିଛନ୍ତି ଏବଂ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଛନ୍ତି। ଏହି ଘଟଣା ଆଇଟି ଭଳି କର୍ମକ୍ଷେତ୍ରର ସୁରକ୍ଷା ଏବଂ ଧର୍ମୀୟ ସ୍ୱାଧୀନତା ପ୍ରସଙ୍ଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲିସ୍ ତଦନ୍ତ ଜାରି ରହିଛି।











