ଆଜି ଆରମ୍ଭ ହୋଇଥିବା ତିନିଦିନିଆ ବିଶେଷ ସଂସଦ ଅଧିବେଶନରେ ମହିଳା ସଂରକ୍ଷଣ ଉପରେ ସମ୍ବିଧାନ ସଂଶୋଧନ ବିଲ୍ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଜି ୧୨ ଘଣ୍ଟା ଧରି ଆଲୋଚନା ହେବ। ଏହି ବିଲ୍ଗୁଡ଼ିକର ଭୋଟିଂ କାଲି (ଅପ୍ରେଲ ୧୭) ଅପରାହ୍ନ ୪ଟା ସମୟରେ ହେବ ବୋଲି ନିର୍ଦ୍ଧାରିତ ହୋଇଛି।
ଏହି ବିଶେଷ ଅଧିବେଶନ ଏପ୍ରିଲ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଲୋକସଭାରେ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ୍ ମେଘୱାଲ ବିତର୍କ ଆରମ୍ଭ କରିଛନ୍ତି। ସରକାର ମହିଳା ସଂରକ୍ଷଣ ବିଲ୍ ସହିତ ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍, ୟୁନିୟନ୍ ଟେରିଟୋରି ଲଜ୍ ସଂଶୋଧନ ବିଲ୍ ଏବଂ ଡିଲିମିଟେସନ୍ ବିଲ୍ ଉପସ୍ଥାପନ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପଦକ୍ଷେପକୁ ମହିଳା ସଶକ୍ତିକରଣ ପାଇଁ ଏକ ‘ଐତିହାସିକ ପଦକ୍ଷେପ’ ବୋଲି ବର୍ଣ୍ଣନା କରିଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଦଳଗୁଡ଼ିକ ମହିଳା ସଂରକ୍ଷଣକୁ ସମର୍ଥନ କରୁଥିବା ସତ୍ତ୍ୱେ ଡିଲିମିଟେସନ୍ ବ୍ୟବସ୍ଥାକୁ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ବିରୋଧ କରୁଛନ୍ତି।
ଏନ୍ଡିଏର ୨୯୨ ଆସନ ଏବଂ ବିରୋଧୀଙ୍କ ୨୩୩ ଆସନ ଥିବାରୁ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ପାଇଁ ସଂଖ୍ୟା ଲଢ଼େଇ ଉପରେ ନଜର ରହିଛି। ଏହି ପ୍ରସଙ୍ଗ ସଂସଦ ଭିତରେ ଏବଂ ବାହାରେ ମଧ୍ୟ ବିବାଦ ସୃଷ୍ଟି କରିଛି। ତାମିଳନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଙ୍କ ନେତୃତ୍ୱରେ ବିରୋଧ ପ୍ରଦର୍ଶନ ହୋଇଛି। ଏହି ଅଧିବେଶନରେ ଆଜି ଦୀର୍ଘ ୧୨ ଘଣ୍ଟା ଧରି ଆଲୋଚନା ଚାଲିବ ଏବଂ କାଲି ୪ଟାରେ ଭୋଟିଂ ହେବ ବୋଲି ଜଣାପଡ଼ିଛି। ଉଭୟ ସଭାରେ ଚର୍ଚ୍ଚା ଜାରି ରହିଛି।










