ନୂଆଦିଲ୍ଲୀ (ଭାରତ ମଣ୍ଡପମ୍): ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’ (AI) କ୍ଷେତ୍ରରେ ଭାରତ ଆଜି ବିଶ୍ୱର ନେତୃତ୍ୱ ନେବାକୁ ସଜବାଜ ହୋଇଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆୟୋଜିତ ବିଶ୍ୱର ସର୍ବବୃହତ୍ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଛନ୍ତି। ଫେବୃଆରୀ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହସଂଗମରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଏବଂ ଟେକ୍ ଜାରିଆଣ୍ଟମାନେ ଏକତ୍ରିତ ହୋଇଛନ୍ତି। ଅଷ୍ଟ୍ରେଲିଆ, ଜାପାନ, ରୁଷ୍, ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ ଓ ଇଟାଲୀ ଭଳି ୧୩ଟି ପ୍ରମୁଖ ଦେଶ ନିଜର ସ୍ୱତନ୍ତ୍ର ପାଭିଲିୟନ ସ୍ଥାପନ କରି ସେମାନଙ୍କ ଟେକ୍ନୋଲୋଜି ପ୍ରଦର୍ଶନ କରୁଛନ୍ତି। ଦେଶର ୬୦୦ଟି ଉଦୀୟମାନ ଷ୍ଟାର୍ଟଅପ୍ ସେମାନଙ୍କ ଅଭିନବ ଏଆଇ ଚିନ୍ତାଧାରା ଓ ସମାଧାନକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିଛନ୍ତି। ୭୦ ହଜାର ବର୍ଗମିଟର ପରିମିତ ସ୍ଥାନରେ ୧୦ଟି ଆରେନାରେ ଏହି ଏକ୍ସପୋ ଅନୁଷ୍ଠିତ ହେଉଛି। ଏଥିରେ ୩୨୫୦ରୁ ଅଧିକ ବକ୍ତା ୫୦୦ରୁ ଅଧିକ ଅଧିବେଶନରେ ନିଜର ମତ ରଖିବେ। ଏହି ସମ୍ମିଳନୀରେ ୨.୫ ଲକ୍ଷରୁ ଅଧିକ ପ୍ରତିନିଧି, ୨୦ଟି ରାଜ୍ୟର ମୁଖ୍ୟ ଏବଂ ୬୦ରୁ ଅଧିକ ମନ୍ତ୍ରୀ ସାମିଲ ହୋଇଛନ୍ତି। ସମ୍ମିଳନୀରେ ବିଶେଷ କରି ସ୍ୱାସ୍ଥ୍ୟସେବା, କୃଷି, ଗ୍ରାମୀଣ ଅର୍ଥନୀତି, ଶିକ୍ଷା ଏବଂ ପ୍ରଶାସନିକ ବ୍ୟବସ୍ଥାରେ ଏଆଇ କିଭଳି କାମ କରିବ ଏବଂ ସାଧାରଣ ଲୋକଙ୍କ ଜୀବନକୁ ସହଜ କରିବ, ତାହା ପ୍ରଦର୍ଶିତ କରାଯାଉଛି। ଆସନ୍ତାକାଲି (ବୁଧବାର) ଠାରୁ ଏହି ସମ୍ମିଳନୀ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ।












