ମୁମ୍ବାଇ: ମୁମ୍ବାଇର ପୋୱାଇ ଅଞ୍ଚଳରେ ଥିବା ‘ଆର୍ଏ ଷ୍ଟୁଡିଓ’ରେ ଏକ ବଡ଼ଧରଣର ପଣବନ୍ଦୀ କାଣ୍ଡ ଆତଙ୍କ ସୃଷ୍ଟି କରିଥିଲା। ରୋହିତ ଆର୍ଯ୍ୟ ନାମକ ଜଣେ କର୍ମଚାରୀ ୧୭ ଜଣ ଶିଶୁ ଏବଂ ଅନ୍ୟ ଦୁଇ ଜଣ ବ୍ୟକ୍ତିଙ୍କୁ ପଣବନ୍ଦୀ ରଖିଥିବା ଜଣାପଡ଼ିବା ପରେ ସହରରେ ଗୁରବାର ଆତଙ୍କ ଖେଳିଯାଇଥିଲା।
ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ୍ର ଏକାଧିକ ଟିମ୍ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲେ। ଅଭିଯୁକ୍ତ ରୋହିତ ଆର୍ଯ୍ୟ ଏକ ଭିଡିଓ ମାଧ୍ୟମରେ କହିଥିଲା ଯେ ଆତ୍ମହତ୍ୟା କରିବା ପରିବର୍ତ୍ତେ ସେ କିଛି ଯୁକ୍ତିଯୁକ୍ତ ପ୍ରଶ୍ନର ଉତ୍ତର ପାଇଁ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇବାକୁ ଏହି କାଣ୍ଡ ଘଟାଇଛି।
ତେବେ, ରୋହିତ ଆଲୋଚନା ପାଇଁ ରାଜି ନ ହେବାରୁ ପୁଲିସ୍ ଏକ ରଣନୀତି ପ୍ରସ୍ତୁତ କରିଥିଲା। ପୁଲିସର ସାହସିକ ଓ ସଫଳ ଉଦ୍ଧାର ଅଭିଯାନରେ ଷ୍ଟୁଡିଓର ବାଥରୁମ୍ ଝରକା ଦେଇ ଭିତରକୁ ପ୍ରବେଶ କରାଯାଇଥିଲା। ୩୫ ମିନିଟ୍ ର ଏକ ଜଟିଳ ଅପରେସନ୍ ପରେ ସମସ୍ତ ୧୯ ଜଣ ବନ୍ଧକଙ୍କୁ ନିରାପଦରେ ମୁକ୍ତ କରାଯାଇଛି।
ଉଦ୍ଧାର ଅଭିଯାନ ସମୟରେ ରୋହିତ ପୁଲିସକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ଏବଂ ପୁଲିସ ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଭିଯୁକ୍ତ ରୋହିତ ଆର୍ଯ୍ୟର ମୃତ୍ୟୁ ଘଟିଛି। ଜୋନ୍ ୧୦ର ଡେପୁଟି କମିସନର ଦତ୍ତା ନଳବଡେ ଅପରେସନ୍ର ସଫଳତା ବିଷୟରେ ଜଣାଇଛନ୍ତି।
ରୋହିତ ଆର୍ଯ୍ୟ ଥିଲା ଷ୍ଟୁଡିଓର ଜଣେ କର୍ମଚାରୀ, ଯିଏ ଶିଶୁମାନଙ୍କୁ ପଣବନ୍ଦୀ କରି ତା’ର କିଛି “ସାଧାରଣ ଦାବି ଏବଂ ପ୍ରଶ୍ନ” ପୂରଣ କରିବାକୁ ଚାହୁଁଥିଲା। ଘଟଣା ପୂର୍ବରୁ ରୋହିତ ଏକ ଭିଡିଓ ଜାରି କରିଥିଲା, ଯେଉଁଥିରେ ସେ କହିଥିଲା ଯେ, “ଆତ୍ମହତ୍ୟା କରିବା ପରିବର୍ତ୍ତେ ମୁଁ ଏହି ଯୋଜନା କରିଛି ଏବଂ ମୁଁ ଜଣେ ଆତଙ୍କବାଦୀ ନୁହେଁ କି ପଇସା ମାଗୁ ନାହିଁ। ମୁଁ କେବଳ କିଛି ସରଳ ଦାବି ପାଇଁ ଚାପ ପକାଉଛି।” ତେବେ ତାର ଦାବି ବିଷୟରେ କିଛି କହିନଥିଲା ।
ଗୁରବାର ଦିନ ପ୍ରାୟ ୧.୪୫ ବେଳେ ପୁଲିସକୁ ଏହି ଘଟଣା ବିଷୟରେ ସୂଚନା ମିଳିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ, ଯେତେବେଳେ ରୋହିତ ଶିଶୁମାନଙ୍କୁ କ୍ଷତି ପହଞ୍ଚାଇବାକୁ ଧମକ ଦେଲା, ପୁଲିସ୍ ବାଧ୍ୟ ହୋଇ ଜୋର ଜବରଦସ୍ତ ଷ୍ଟୁଡିଓ ଭିତରେ ପ୍ରବେଶ କରିଥିଲା। ପୁଲିସ୍ର ସାହସିକ କାର୍ଯ୍ୟାନୁଷ୍ଠାନରେ ସମସ୍ତ ୧୭ ଜଣ ଶିଶୁଙ୍କୁ ନିରାପଦରେ ଉଦ୍ଧାର କରାଯାଇଛି। ଉଦ୍ଧାର ଅଭିଯାନ ସମୟରେ ପୁଲିସ୍ ଗୁଳିମାଡ଼ରେ ଅଭିଯୁକ୍ତ ରୋହିତ ଆର୍ଯ୍ୟ ଗୁରୁତର ଆହତ ହୋଇଥିଲା। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି।
ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ପୁଲିସର ସାହସିକ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ପୁଲିସ ପ୍ରାଥମିକ ତଦନ୍ତରେ ରୋହିତର ମାନସିକ ଅସ୍ଥିରତା ଥିବା ସନ୍ଦେହ କରୁଛି। ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ ଜାରି ରହିଛି ଏବଂ ପ୍ରଭାବିତ ପରିବାରଙ୍କ ପାଇଁ କାଉନସେଲିଙ୍ଗ ବ୍ୟବସ୍ଥା କରାଯାଇଛି।










 
			 
                                 
 
							







