ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ପୂରିଲା ୧୦ ବର୍ଷ : ଲୋକଙ୍କୁ ମିଳିଛି କେତେ ସୁବିଧା

by nwradmin APR-08-2025 12:17 PM IST in ବଡ଼ ଖବର

ମୁଦ୍ରା ଯୋଜନାରେ ସୁବିଧାରେ ମିଳିଛି ଋଣ । ଦେଶର ଋଣପ୍ରଦାନ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ମୁଦ୍ରା ଯୋଜନା । ଏହାର ଲାଭ ଅନେକ ଲୋକ ପାଇଛନ୍ତି । ଏହି ଯୋଜନା ମୋଦି ସରକାରଙ୍କ ଏକ ଏଭଳି ଯୋଜନା ଯାହା ମାଧ୍ୟମରେ 33 ଲକ୍ଷ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ଦିନ ଥିଲା ଯେତେବେଳେ ସାଧାରଣ ଲୋକଙ୍କୁ ଋଣ ମିଳୁନଥିଲା । ସାଧାରଣ ଲୋକମାନେ ସ୍ୱଳ୍ପ ପରିମାଣର ଋଣ ପାଇବାକୁ ବାରମ୍ବାର ବ୍ୟାଙ୍କକୁ ଦୌଡ଼ୁଥିଲେ। କ୍ଷୁଦ୍ର ଚାଷୀ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ଋଣ ପାଇବା ଲାଗି ଅନୌପଚାରିକ ଏବଂ ଶୋଷଣକାରୀ ସାହୁକାରଙ୍କ ଉପରେ ନିର୍ଭର କରୁଥିଲେ। ତେବେ ମୋଦୀ ସରକାରଙ୍କ ପିଏମ୍‌ ମୁଦ୍ରା ଯୋଜନା ଏହି ଧାରାକୁ ଭାଙ୍ଗିଥିଲା। ଏହି ଯୋଜନାର ସମାବେଶୀ ଦୃଷ୍ଟିକୋଣ ସମସ୍ତଙ୍କୁ ସଫଳ ହେବା ଲାଗି ଆବଶ୍ୟକ ଋଣ ପ୍ରଦାନକୁ ସହଜ କରିଥିଲା।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ଇତିମଧ୍ୟରେ ୧୦ ବର୍ଷ ପୂରଣ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନାରେ ପ୍ରସ୍ତୁତ ଏହି ମହତ୍ୱାକାଂକ୍ଷୀ ଯୋଜନା ଦେଶର ଋଣପ୍ରଦାନ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ୟୁପିଏ ଶାସନ କାଳରେ ଦେଶର ଆର୍ଥିକ ବ୍ୟବସ୍ଥା ସ୍ୱଚ୍ଛ ନଥିଲା। ପ୍ରଭାବଶାଳୀ ଲୋକଙ୍କୁ ମୋଟା ଅଙ୍କର ଋଣ ସହଜରେ ମିଳିଯାଉଥିଲା।

ମୁଦ୍ରା ଯୋଜନା ଏପ୍ରିଲ ୨୦୧୫ରେ ଆରମ୍ଭ ହୋଇଥିଲା। ଗତ ଏକ ଦଶନ୍ଧି ମଧ୍ୟରେ ଏହା ୩୩ ଲକ୍ଷ କୋଟି ଟଙ୍କାର ୫୨ କୋଟି ଋଣ ପ୍ରଦାନ କରି ଦେଶବ୍ୟାପୀ ଉଦ୍ୟୋଗ ପ୍ରତିଷ୍ଠାର ବିପ୍ଳବ ଆଣିଛି। ଏହି ଯୋଜନାର ପରିଣାମ ସ୍ୱରୂପ ଏବେ କେବଳ ବଡ଼ ସହର ନୁହେଁ ଛୋଟ ସହର ଓ ଗାଁରେ ମଧ୍ୟ ବ୍ୟବସାୟର ବିକାଶ ହେଉଛି। ପ୍ରଥମ ଥର ଉଦ୍ୟୋଗୀ ହୋଇଥିବା ଲୋକମାନେ ସେମାନଙ୍କର ଭାଗ୍ୟ ବଦଳାଇପାରୁଛନ୍ତି। ଏହା ଲୋକଙ୍କ ମାନସିକତାରେ ମଧ୍ୟ ପରିବର୍ତ୍ତନ ଆଣିଛି। ଲୋକମାନେ ଏବେ ଚାକିରି ଆଶାୟୀ ନୁହେଁ, ବରଂ ନିଯୁକ୍ତି ଦାତା ପାଲଟିଛନ୍ତି।