ଭାରତରେ ପହଁଚିଲେ ପୁଟିନ- ମୋଦି ଏୟାରପୋର୍ଟ ଯାଇ କଲେ ସ୍ବାଗତ

by newsroom DEC-05-2025 8:36 AM IST in ଦେଶ ବିଦେଶ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଆସି  ଭାରତରେ  ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ପାଲମ୍‌ ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରିଛନ୍ତି। ସାଧାରଣତଃ ପ୍ରଧାନମନ୍ତ୍ରୀମାନେ ଅନ୍ୟ ରାଷ୍ଟ୍ରମୁଖ୍ୟଙ୍କୁ ବିମାନ ବନ୍ଦରରେ ପାଛୋଟି ଆଣିବାର କୌଣସି ନିୟମ ନ ଥିବାବେଳେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବିରଳ କୂଟନୈତିକ ସୌଜନ୍ୟତା ଭାରତ ଏବଂ ରୁଷ ମଧ୍ୟରେ ଥିବା ସମ୍ପର୍କର ଗୁରୁତ୍ୱକୁ ସ୍ପଷ୍ଟ ଭାବରେ ଦର୍ଶାଉଛି। ପ୍ରଧାନମନ୍ତ୍ରୀ ମୋଦି ପାଲମ୍ ବିମାନ ବନ୍ଦରରେ ପୁଟିନଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିବା ପରେ ଉଭୟ ନେତା ଏକାଠି ଗୋଟିଏ କାର୍‌ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଯାତ୍ରା କରିଥିଲେ। ଏହି ଦୃଶ୍ୟ ଉଭୟ ନେତାଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ବନ୍ଧୁତା ଏବଂ ସୁସମ୍ପର୍କକୁ ଦର୍ଶାଉଛି। ସାଂଘାଇ ସହଯୋଗ ସମ୍ମିଳନୀ (SCO) ସମୟରେ ଉଭୟ ନେତା ଚାଇନାର ତିଆନଜିନ୍‌ରେ ପୁଟିନଙ୍କ କାର୍‌ରେ ଏକାଠି ଯାତ୍ରା କରିଥିଲେ। ଏହା ଦ୍ୱିତୀୟ ଥର ପାଇଁ ଏଭଳି ଘଟଣା ଦେଖିବାକୁ ମିଳିଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଅସାଧାରଣ ସ୍ୱାଗତ ସମଗ୍ର ବିଶ୍ୱକୁ ଏକ ଦୃଢ଼ ବାର୍ତ୍ତା ଦେଉଛି ଯେ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କର ଚାପ ସତ୍ତ୍ୱେ ଭାରତ ରୁଷ ସହିତ ନିଜର ଦୀର୍ଘଦିନର ରଣନୀତିକ ସମ୍ପର୍କକୁ ଉଚ୍ଚ ସ୍ଥାନ ଦେଉଛି।

ଆଜି ସନ୍ଧ୍ୟାରେ ମୋଦି ଏବଂ ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ, ଯେଉଁଥିରେ ପ୍ରତିରକ୍ଷା, ଶକ୍ତି ଏବଂ ବୈଶ୍ୱିକ ପ୍ରସଙ୍ଗରେ ୨୫ରୁ ଅଧିକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି।