ଲୋକସେବା ଭବନରେ ‘ବନ୍ଦେ ମାତରମ୍‌’ ଗାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

by newsroom NOV-07-2025 3:15 PM IST in ବଡ଼ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ‘ବନ୍ଦେ ମାତରମ୍‌’ ଗାନ କରିଛନ୍ତି । ତାଙ୍କ ସହିତ ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ବିଭିନ୍ନ ବିଭାଗର ସଚିବ ମଧ୍ୟ ଏହି ବିଶେଷ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ‘ବନ୍ଦେ ମାତରମ୍‌’ ଗାନ କରିଛନ୍ତି। ଏହାଛଡ଼ା ଲୋକସେବା ଭବନର କର୍ମଚାରୀମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ।

ଏହା ସହିତ ଆଜି ରାଜ୍ୟର ସମସ୍ତ ବିଦ୍ୟାଳୟମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ‘ବନ୍ଦେ ମାତରମ୍‌’ ଗାଇବେ। ଏନେଇ ଓଡ଼ିଆ ଭାଷାସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଥିଲା। ‘ବନ୍ଦେ ମାତରମ୍‌’ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଆମର ଜାତୀୟ ଗୀତି ଭାବେ ସ୍ୱୀକୃତ ‘ବନ୍ଦେ ମାତରମ୍‌’ ଗୀତଟିର ରଚୟିତା ହେଉଛନ୍ତି ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ। ଏହି ଗୀତଟି ତାଙ୍କ ଲିଖିତ ‘ଆନନ୍ଦ ମଠ’ ପୁସ୍ତକରେ ସଂଯୋଜିତ ଥିଲା। ଏହି ପ୍ରସିଦ୍ଧ ଗୀତଟି ୧୮୭୫ ମସିହା ସେପ୍ଟେମ୍ବର ୭ ତାରିଖରେ ଲେଖା ଯାଇଥିଲା। ୧୮୮୨ ମସିହାରେ ଗୀତଟି ପ୍ରକାଶ ପାଇଥିଲା। ୧୯୫୦ ମସିହା ଜାନୁଆରି ୨୪ ତାରିଖରେ ଗୀତଟିକୁ ଜାତୀୟ ଗୀତି ଭାବେ ଚୟନ କରାଯାଇଥିଲା।