ଶ୍ରୀମୟୀଙ୍କ ପରେ ଆଉ କିଏ ?

by newsroom SEP-24-2025 9:27 AM IST in ବଡ଼ ଖବର

ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ବିଦା କରିବା ପରେ ଶ୍ରୀମୟୀ ମିଶ୍ର ଏବେ ବିଜେଡିର ଅନେକ ଅକୁହା କଥାକୁ ପ୍ରକାଶ କରୁଛନ୍ତି । ଯଦିଓ ଏସବୁ ସେ ସୋସିଆଲ ମିଡିଆରେ ଲେଖାମାଧ୍ୟମରେ ପ୍ରକାଶ କରୁଛନ୍ତି , ତାକୁ ନେଇ ରାଜନୀତି ମହଲରେ ଅନେକ ଚର୍ଚା ହେଉଛି । ଆଜି ଶ୍ରୀମୟୀ ମିଶ୍ର ଦଳରେ ଗଣତନ୍ତ୍ର ନଥିବା କଥା କହିଛନ୍ତି । ସଭାପତି ନିର୍ବାଚନକୁ ନେଇ ସେ ଅଙ୍ଗୁଳି ଉଠାଇଛନ୍ତି । ତେବେ ତାଙ୍କୁ ସିଧା ସିଧା ଜବାବ ଦେଇଛନ୍ତି ପ୍ରମିଳା ମଲ୍ଲିକ । ସେ କହିଛନ୍ତି ଯେତେଦିନ ଦଳରେ ଥିଲେ କ୍ଷମତା ଉପଭୋଗ କରୁଥିଲେ । ଏବେ ଦଳ କ୍ଷମତାରେ ନଥିବାରୁ ସେ ଏପରି କହୁଛନ୍ତି । ପ୍ରମିଳା ଆଉ ଏକ ବଡ଼ କଥା କହିଛନ୍ତି ଯେ ଯେଉଁମାନେ ଦଳ ବିରୋଧରେ ପ୍ରଶ୍ନ କରିବେ ସେମାନଙ୍କୁ ଦଳରୁ ବାହାର କରାଯିବ । ଯଦି ତାହା ହୁଏ ଶ୍ରୀମୟୀଙ୍କ ପରେ ଦେବାଶିଷଙ୍କ ପାଳି ମଧ୍ୟ ପଡ଼ିପାରେ । ଦେବାଶିଷ କିଛି ଦିନ ପୂର୍ବରୁ ଶ୍ରୀମୟୀ ମିଶ୍ରଙ୍କୁ ସମର୍ଥନ କରି ବୟାନବାଜି କରିଥିଲେ ।  ନବୀନ ପଟ୍ଟନାୟକ ବି ହାରିଛନ୍ତି ବୋଲି କହି ବିଜେଡିକୁ ଉପହାସ କରିଥିଲେ । ତେଣୁ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଦଳ ନିଲମ୍ବନ କରିବ କି ନାହିଁ ତାହା ସମୟ କହିବ ।

ଶ୍ରୀମୟୀ ମିଶ୍ର ଯାହା କହିଥିଲେ ତାହା ଦଳର ନେତୃତ୍ବଙ୍କୁ ପ୍ରବଳ ବାଧିଲିଲା ବୋଧହୁଏ । ସେଥିପାଇଁ ଶ୍ରୀମୟୀଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା ।  ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ତ ଗଣମାଧ୍ୟମକୁ ବାଇଟ୍‌ ଦେଇ ଯାହା କହିଛନ୍ତି, ତାହା ସମସ୍ତଙ୍କୁ ଜଣା। ସେ କେବଳ ଶ୍ରୀମୟୀ ମିଶ୍ରଙ୍କୁ ସମର୍ଥନ କରିଥିଲେ, ତାହା ନୁହେଁ, ବରଂ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ନିଲମ୍ବିତ କରାଯିବା ଠିକ୍ ହୋଇନାହିଁ ବୋଲି କହିଥିଲେ। ନବୀନ ପଟ୍ଟନାୟକ ବି ହାରିଛନ୍ତି ବୋଲି କହିଥିଲେ। ଏପରିକି ଯେଉଁ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦସ୍ତଖତରେ ନିଲମ୍ବନ ଆଦେଶ ହୋଇଥିଲା, ତାଙ୍କୁ ବି ଛାଡ଼ି ନଥିଲେ।

ଦେବାଶିଷ ସାମନ୍ତରାୟଙ୍କ ଏହି ଟିପ୍ପଣୀ ଉପରେ ବି ବିଜେଡି ନେତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକ ଚେତାବନୀ ଦେବା ଢଙ୍ଗରେ କହିଥିଲେ ଶୃଙ୍ଖଳା କମିଟି ସବୁ ଦେଖୁଛି। ତେବେ ଦେବାଶିଷ ସାମନ୍ତରାୟଙ୍କୁ  ଦଳ ନିଲମ୍ବନ କରିନାହିଁ  । ଆଗକୁ ଆଉ କିଏ ଦଳରୁ ନିଲମ୍ବନ ହେଉଛି ସମୟ କହିବ ।