ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆସନ୍ତା ୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଏହି ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶା ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ପାଗରେ ପରିବର୍ତ୍ତନ ହେବାର ଆଶଙ୍କା ରହିଛି। ପାଣିପାଗ ବିଭାଗ ଏହାକୁ ନୀରିକ୍ଷଣ କରୁଛି ଏବଂ ଆଗାମୀ ଦିନରେ ଅଧିକ ସୂଚନା ପ୍ରଦାନ କରିବ।
ରାଜ୍ୟ ତଥା ଦେଶରୁ ଆଜି ବିଦାୟ ନେଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏ ବର୍ଷ ପାଖାପାଖି ୧୭ ଦିନ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁଥିଲା। ୨୬ ମେ’ରେ ଓଡ଼ିଶା ଛୁଇଁଥିବା ମୌସୁମୀ ୧୧୭ ଦିନର ରହଣି ପରେ ଆଜି ଓଡ଼ିଶାରୁ ବିଦାୟ ନେଇଛି। ଏହି ୧୧୭ ଦିନ ମଧ୍ୟରେ ରାଜ୍ୟରେ ୧୧୫୦.୯ ମିମି ବର୍ଷା ହୋଇଯାଇଛି। ଯାହାକି ସ୍ବାଭାବିକ ବର୍ଷା।
ସାଧାରଣତଃ ଏହି ସମୟ ଅବଧି ମଧ୍ୟରେ ରାଜ୍ୟରେ ୧୧୫୦.୫ ମିମି ବର୍ଷା ହେବା କଥା। ଏହି ମୌସୁମୀ ଋତୁରେ ୧୧ଟି ଲଘୁଚାପ, ୫ଟି ଅବପାତ ଓ ଗଭୀର ଅବପାତ ଦ୍ବାରା ରାଜ୍ୟ ପ୍ରଭାବିତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଆଜି ମୌସୁମୀ ଓଡ଼ିଶା ସହ ସାରା ଦେଶରୁ ବିଦାୟ ନେଇଥିବା ବେଳେ ତାମିଲନାଡୁ, ପୁଡୁଚେରୀ, କରାଇକାଲ୍, ଉପକୂଳ ଆନ୍ଧ୍ରପ୍ରଦେଶ, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ, କେରଳର କିଛି ଅଂଶରେ ଆଜି ଉତ୍ତର-ପୂର୍ବ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ରାଜ୍ୟରେ ଏବେ ପାଗ ଖରାଟିଆ ଓ ଶୁଖିଲା ରହିବ। ରାତି ତାପମାତ୍ରାରେ ପରିବର୍ତ୍ତନ ସମ୍ଭାବନା ନାହିଁ। ରାତି ଓ ପାହାନ୍ତାରେ କୁହୁଡ଼ି ପଡ଼ିପାରେ। ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତାକାଲି ଖରା ହେବ। ପାହାନ୍ତାରୁ କୁହୁଡ଼ି ପଡ଼ିବ।