ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ

by newsroom OCT-22-2025 9:39 AM IST in ବଡ଼ ଖବର

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୁଲିସ କିଛି ରାଜନେତାଙ୍କୁ ଜେରା କରିଥିବା ସୂଚନା ମିଳିଛି । ତେବେ ସବୁଠୁ ବଡ଼ କଥା ହେଲା ପୋଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ ଏବେ ରହିଛି । ପୁଲିସ ତାକୁ ଅଟକ ରଖିଥିବା ସୂଚନା ରହିଛି। ମୁଖ୍ୟ ସାର୍ପସୁଟର ଚିଣ୍ଟୁକୁ ବେଙ୍ଗାଲୁରୁରୁ ଉଠାଇ ଆଣିଥିଲା ପୁଲିସ। ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ବି ଜବତ ହୋଇଛି। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ପଚରାଉଚରା କରିଥିବା ଚର୍ଚା ହେଉଛି । ତେବେ ସେ କଣ କହିଛନ୍ତି ତାହା ଜଣାପଡିନାହିଁ । ପୋଲିସ ତାଙ୍କଠାରୁ କି ତଥ୍ୟ ପାଇଛି ତାହା ବି ପ୍ରକାଶ କରିନାହିଁ । ବିକ୍ରମ ପଣ୍ଡାଙ୍କୁ ତାଙ୍କ ବାସଭବନରୁ ଗତକାଲି ମଧ୍ୟରାତ୍ରିରେ ପୋଲିସ ଉଠାଇନେଥିବା ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ପୋଲିସ ଏହା ଉପରୁ ପର୍ଦା ଉଠାଇନାହିଁ ।  ଗତକାଲି  ବିକ୍ରମ ପଣ୍ଡାଙ୍କୁ  ପଚରାଉଚରା କରିବା ପାଇଁ ପୁଲିସ ଡାକିଥିଲା।  ତେବେ ତାଙ୍କର ଏଥିରେ କିଛି ସଂପୃକ୍ତି ଅଛି କି ନାହିଁ ତାହା ପୋଲିସ ସ୍ପଷ୍ଟ କରିନାହିଁ ।  ସବିଶେଷ ସୂଚନା ଅନୁଯାୟୀ ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ତାଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜେରା କରିଛି। ହତ୍ୟା ମାମଲାରେ ପୂର୍ବରୁ ପୂର୍ବତନ ମେୟର ଶିବଶଙ୍କର ଦାସଙ୍କୁ ମଧ୍ୟ ପୋଲିସ ଉଠାଇ ନେଇ ଅଟକ ରଖିଛି । ଏହି ମାମଲାରେ ଜଣେ କର୍ପୋରେଟର୍‌, ବରିଷ୍ଠ ନେତାଙ୍କ ସହ ୧୨ ଜଣଙ୍କୁ ଅଟକ ରଖି ପୁଲିସ ତଦନ୍ତ କରୁଥିଲେ ସୁଦ୍ଧା ଏହି ହାଇପ୍ରୋଫାଇଲ୍‌ ହତ୍ୟାକାଣ୍ଡର ରହସ୍ୟ ଉପରେ ଏ ଯାଏଁ କିଛି ପୋଲିସ କହିନାହିଁ । ଏହାରି ଭିତରେ ପୂର୍ବତନ ବିଧାୟକ ଶ୍ରୀ ପଣ୍ଡାଙ୍କୁ ପୁଲିସର ପଚରାଉଚୁରା ଚର୍ଚ୍ଚାର ବିଷୟ ହୋଇଛି। ସୂଚନାଯୋଗ୍ୟ ଏହି ମାମଲାରେ ଦକ୍ଷିଣାଞ୍ଚଳ ପୁଲିସ ଆଇଜି ନିତିଶେଖର  ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କହିଥିଲେ। ଗିରଫ ହୋଇଥବା ଜଣେ ଅପରାଧୀର ବୟାନକୁ ଭିତ୍ତି କରି ପୁରୀ ବେଳାଭୂମି ବାଲିରୁ ଏକ ବନ୍ଧୁକ ଜବତ ହୋଇଥିବା ସୂଚନା ମିଳିଛି । କୁହାଯାଉଛି ଏହି ବନ୍ଧୁକ ହତ୍ୟାରେ ବ୍ୟବହୃତ ହୋଇଥିଲା । ତେବେ ସବୁକିଛି ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।