ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

by newsroom NOV-16-2025 10:06 AM IST in ରାଜନୀତି
ବିଜେଡିରୁ ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର ଗୋଟିଏ ପରେ ଗୋଟିଏ ବାଣ ଛାଡୁଛନ୍ତି ସୋସିଆଲ ମିଡିଆରେ  । ନୂଆପଡ଼ା ଉପନିର୍ବାଚନ ପରାଜୟ ପରେ ସେ ଏମିତି ଲେଖିଛନ୍ତି –
କାହାର ରହିଛି କେତେ ଜୋର୍
ଶକ୍ତି ନାନୀ ନା ବସ୍ କଣ୍ଡକ୍ଟର
ବରିଷ୍ଠ ରହିଯିବେ ମୁଣ୍ଡ ଆଉଁସି
ପୁଣି ନିଷ୍ପତ୍ତି ନେବେ ଭଣ୍ଡ ସନ୍ୟାସୀ
ଦଳୀୟ ସଂଗଠନ ପାଇଁ କିଛି ଅବଦାନ ଓ ରାଜନୀତିକ ଅଭିଜ୍ଞତା ନଥାଇ ଯେଉଁ ବ୍ୟକ୍ତିଙ୍କୁ କଟକ ଭଳି ପ୍ରତିଷ୍ଠିତ ଲୋକସଭା ଆସନରୁ ଲଢ଼ିବାକୁ ଦିଆଗଲା ଓ ସେ ବୃହତ୍ ଭୋଟ ବ୍ୟବଧାନରେ ହାରିଲେ, ଆଉ ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ନବୀନବାବୁଙ୍କ ବସ୍ କଣ୍ଡକ୍ଟର ବି ହେଲେ। ସେହି ଅତୃପ୍ତ ଏବେ ରାଜ୍ୟସଭା ଆଶାୟୀ।
ଦେଖାଯାଉ, ଶକ୍ତି ନାନୀର ଶକ୍ତି ବେଶୀ ନା ବସ୍ କଣ୍ଡକ୍ଟର ନିଜ ପାଇଁ Berth Secure କରିବାରେ ସଫଳ ହେଉଛନ୍ତି..? ଏହାର ଅର୍ଥ କଣ ତାହା ସମସ୍ତେ ଜାଣନ୍ତି । ନାମ ନନେଇ ଶ୍ରୀମୟୀ ପୂର୍ବରୁ ଏମିତି ଅନେକ କଟାକ୍ଷ କରିଛନ୍ତି  । ବିଜେଡି ଭିତରେ କଣ ସବୁ ଚାଲିଛି ସେ ସୋସିଆଲ ମିଡିଆରେ ମତ ରଖୁଛନ୍ତି । ବିଜେଡିକୁ ଟାର୍ଗେଟ କରୁଛନ୍ତି ।
ଗତକାଲି ଲେଖିଥିଲେ-
ହୁତୁହୁତୁ ହୋଇ ଜଳିବା ଆରମ୍ଭ ହେଲାଣି ବିପ୍ଳବର ବହ୍ନି।
ହାରିଲ ତ ନିର୍ବାଚନ, ଆଉ କେତେ କାହାକୁ କରିବ ନିଲମ୍ବନ।
ଖାଲି କ’ଣ ସେହିମାନଙ୍କୁ ମିଳିବ ଆରିସା
ଯେଉଁମାନେ ଜପିବେ ତାମିଲ ଚାଳିଶା।
ନୂଆପଡ଼ା ଭୋଟ୍ ସରିବା ଯାଏଁ
ସୁରକ୍ଷିତ ସ୍ଥାନ ଥିଲା ପଳାସପଲ୍ଲୀ ଘର
ଆମେରିକା ଗସ୍ତର ମିଛ ପ୍ରଚାର
କରୁଥିଲେ ତାଙ୍କ ଚାଟୁକାର ,
ହାରିଲା ପରେ
ଏବେ Team Virus ନେତାଏ ,
ମାଡୁନାହାନ୍ତି ଶଙ୍ଖଭବନ
କି କରୁନାହାନ୍ତି ସମୀକ୍ଷା
ଖୋଜୁଛନ୍ତି ନିଜ ତ୍ରାଣ
କେମିତି କରିବେ ଆତ୍ମରକ୍ଷା
ଭଣ୍ଡଙ୍କ ପାଇଁ କଲେଣି ଓକିଲାତିର ଫନ୍ଦିଫିକର,
କେଜାଣି ଦଳକୁ ଲାଗିଲା କାହା ନଜର

ନୂଆପଡ଼ା ଉପନିର୍ବାଚନରେ ବିଜେଡିର ପରାଜୟ ପରେ ଦଳ ଭିତରୁ ବରିଷ୍ଠ ନେତାଙ୍କୁ ତୀବ୍ର ସମାଲୋଚନା କରାଯାଉଛି। ସୋସିଆଲ୍ ମିଡିଆରେ ‘ଶଙ୍ଖ’ ଶୁଭିଲାନି ବୋଲି ସୃଷ୍ଟି ହୋଇଥିବା ଆଲୋଚନା ପରେ, ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର ଏବଂ ଦଳୀୟ ନେତ୍ରୀ ଏଲିନା ଦାସ ଖୋଲାଖୋଲି ଭାବେ ନେତୃତ୍ୱକୁ କଟାକ୍ଷ କରିଛନ୍ତି। ଏହା ରାଜ୍ୟ ରାଜନୀତିକୁ ପୂରାପୂରି ଉଷ୍ମ କରିଦେଇଛି। ବଡ଼କଥା ହେଉଛି, ଦଳୀୟ ଏବଂ ନିଲମ୍ବିତ ନେତ୍ରୀଙ୍କ ଏହି ସମାଲୋଚନାକୁ ସୋସିଆଲ୍ ମିଡିଆରେ ବ୍ୟାପକ ସମର୍ଥନ ମିଳିବାରେ ଲାଗିଛି, ଯାହା ଦଳ ଭିତରେ ଥିବା ଗଭୀର ଅସନ୍ତୋଷକୁ ପଦାରେ ପକାଇଛି ଏବଂ ରାଜ୍ୟ ରାଜନୀତିକୁ ପୁଣି ଥରେ ଉଷ୍ମ କରିଛି। ବିଜେଡିରୁ ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର ନିଜର ସମାଲୋଚନାକୁ ଆହୁରି କଡ଼ା କରି ଲେଖିଛନ୍ତି ଯେ, “ଭଣ୍ଡ ସନ୍ନ୍ୟାସୀଙ୍କ ‘ଚକ୍ରାନ୍ତ’ ପ୍ରମାଣିତ ହେଲା।”

ସେ ଅଭିଯୋଗ କରିଛନ୍ତି ଯେ ନୂଆପଡ଼ାରେ ଯେଉଁ ପ୍ରାର୍ଥୀଙ୍କୁ ‘ନିଜ ମାଟିର ଲୋକେ ୩୦ ହଜାର ଭୋଟ ବ୍ୟବଧାନରେ ପ୍ରତ୍ୟାଖ୍ୟାନ କରିଥିଲେ’, ତାଙ୍କୁ ହିଁ ପ୍ରାର୍ଥୀ ଭାବେ ଲଦି ଦିଆଗଲା। ଏହା “ଅନାମ ବାବୁଙ୍କ ମାନମହତକୁ ପୁଣିଥରେ ତଳେ ପକାଇଦେଇଛନ୍ତି ଘରଜ୍ୱାଇଁ” ବୋଲି ସେ କଟାକ୍ଷ କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି, “ଆଉ କେତେଦିନ ଏମିତି ମାନମହତକୁ ନିଲାମ କରିବେ ନିଜର ଟିକେଟ ଖଣ୍ଡେ ସୁରକ୍ଷିତ ରଖିବା ପାଇଁ?” ଏହି ସମାଲୋଚନା ନିର୍ବାଚନ ପରିଚାଳନା କରୁଥିବା ବରିଷ୍ଠ ନେତାଙ୍କୁ ସିଧାସଳଖ ଟାର୍ଗେଟ୍ କରିଛି।

ଦଳୀୟ ନେତ୍ରୀ ତଥା ଅଭିନେତ୍ରୀ ଏଲିନା ଦାସ ମଧ୍ୟ ସୋସିଆଲ୍ ମିଡିଆରେ ଏକ ଭିଡିଓ ଛାଡି ବରିଷ୍ଠ ନେତାଙ୍କ ଉପରେ ବର୍ଷିଛନ୍ତି। ଏହି ଭିଡିଓରେ ସେ ବରିଷ୍ଠ ନେତା ବବି ଦାସ, ଦେବୀ ମିଶ୍ରଙ୍କ କୋଳାକୋଳି ଏବଂ ଅରୁଣ ସାହୁ ରୋଷେଇ କରୁଥିବା ଦୃଶ୍ୟ ପୋଷ୍ଟ କରିଛନ୍ତି।

ଏଲିନା ଲେଖିଛନ୍ତି: “ଏ କୋଳାକୋଳି ଥିଲା କଣ ପାଇଁ… ଜିତେଇବା ପାଇଁ ନା ହରେଇବା ପାଇଁ। ଜାଣିଥିଲ ନା ଜାଣି ଅଜଣା ହଉଥିଲ।” ସେ ଆହୁରି କହିଛନ୍ତି ଯେ, “ନିଜ ରାଜନୈତିକ ଅସ୍ତିତ୍ୱକୁ ବଞ୍ଚାଇବା ପାଇଁ ଜଣେ ଜନନାୟକ ତଥା ଅଭୁଲା ବ୍ୟକ୍ତିତ୍ୱଙ୍କୁ ପ୍ରଚାର ପଡ଼ିଆକୁ ଓହ୍ଲେଇ ଲୋକହସା କଲ, ଏହି ବୟସରେ ଜଣେ ବିଶେଷ ବ୍ୟକ୍ତିତ୍ୱଙ୍କୁ ମାନସିକ ଓ ଶାରୀରିକ ଚାପ ଦେଇ କି ଲାଭ ପାଇଲ?”—ଏହା ପରୋକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉଲ୍ଲେଖ କରି ବରିଷ୍ଠ ନେତାଙ୍କୁ ଦୋଷାରୋପ କରିଛି।