ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ବିଶାଳ ପ୍ରତିବାଦ ଆରମ୍ଭ ହୋଇଛି। ମୁଖ୍ୟତଃ ଇରାନ୍ ସହ ଚାଲିଥିବା ଯୁଦ୍ଧ ଏବଂ ଅନ୍ୟାନ୍ୟ ନୀତିର ବିରୋଧରେ ଲକ୍ଷ ଲକ୍ଷ ଆମେରିକୀୟ ନାଗରିକ ରାସ୍ତାକୁ ଓହ୍ଲାଇଛନ୍ତି।
ମାର୍ଚ୍ଚ ୨୮ ତାରିଖରେ ଦେଶର ସମସ୍ତ ୫୦ଟି ରାଜ୍ୟରେ ଏକସଙ୍ଗରେ ‘ନୋ କିଙ୍ଗ୍ସ’ (No Kings) ନାମକ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିବାଦରେ ପ୍ରାୟ ୮୦ ଲକ୍ଷରୁ ଅଧିକ ଲୋକ ଯୋଗ ଦେଇଥିଲେ ଏବଂ ତାହା ଆମେରିକା ଇତିହାସରେ ସବୁଠାରୁ ବଡ଼ ପ୍ରତିବାଦ ବୋଲି କୁହାଯାଉଛି। ଦେଶର ବଡ଼ ବଡ଼ ସହର ଯଥା ୱାସିଂଟନ୍, ନ୍ୟୁୟର୍କ, ଲସ୍ ଏଞ୍ଜେଲ୍ସ, ମିନିଆପୋଲିସ୍ ସମେତ ଛୋଟ ଛୋଟ ସହର ଓ ଗ୍ରାମାଞ୍ଚଳରେ ମଧ୍ୟ ପ୍ରତିବାଦ ଦେଖାଦେଇଥିଲା।
ପ୍ରତିବାଦକାରୀମାନେ ମୁଖ୍ୟତଃ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଇରାନ୍ ଉପରେ କରାଯାଇଥିବା ବୋମ୍ବାମାଡ଼ ଓ ଯୁଦ୍ଧକୁ ‘ଅର୍ଥହୀନ ଓ ଅନ୍ୟାୟ ଯୁଦ୍ଧ’ ବୋଲି କୁହାଯାଇ ନିନ୍ଦା କରାଯାଉଛି। ସେମାନେ କହୁଛନ୍ତି ଯେ ଏହି ଯୁଦ୍ଧ ଆମେରିକାର ଅର୍ଥନୀତିକୁ କ୍ଷତି ପହଞ୍ଚାଉଛି ଏବଂ ଅନାବଶ୍ୟକ ରକ୍ତପାତ ଘଟାଉଛି। ଏହା ସହିତ ଅତି କଠୋର ଇମିଗ୍ରେସନ୍ ନୀତି, ମାସ୍ ଡିପୋର୍ଟେସନ୍ ଓ ଅନ୍ୟାନ୍ୟ ପ୍ରଶାସନିକ ନିଷ୍ପତ୍ତିର ମଧ୍ୟ ବିରୋଧ କରାଯାଇଛି।
ପ୍ରତିବାଦକାରୀଙ୍କ ମଧ୍ୟରେ ଜଣେ ମହିଳା କହିଛନ୍ତି, “ଟ୍ରମ୍ପଙ୍କ ଏହି ଯୁଦ୍ଧ ଏକ ମୂର୍ଖାମି ପୂର୍ଣ୍ଣ ନିଷ୍ପତ୍ତି। ଏହା ଆମର ଟ୍ୟାକ୍ସ ଟଙ୍କା ଓ ଯୁବକଙ୍କ ଜୀବନ ନଷ୍ଟ କରୁଛି।” ଅନେକ ସ୍ଥାନରେ ପ୍ରତିବାଦକାରୀମାନେ ପ୍ଲାକାର୍ଡ୍ ଧରି “ଯୁଦ୍ଧ ବନ୍ଦ କରନ୍ତୁ”, “ଟ୍ରମ୍ପ ନୋ ମୋର୍ ୱାର୍” ଆଦି ସ୍ଲୋଗାନ୍ ଦେଇଛନ୍ତି।ଏହି ‘ନୋ କିଙ୍ଗ୍ସ’ ପ୍ରତିବାଦ ତୃତୀୟ ପର୍ଯ୍ୟାୟରେ ପହଁଚିଛି । ପୂର୍ବରୁ ହୋଇଥିବା ପ୍ରତିବାଦରେ ମଧ୍ୟ ଲକ୍ଷ ଲକ୍ଷ ଲୋକ ଯୋଗ ଦେଇଥିଲେ।
ସଂଗଠକମାନେ କହୁଛନ୍ତି ଯେ ଏହି ଆନ୍ଦୋଳନ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳର ବିଭିନ୍ନ ନୀତି ବିରୋଧରେ ଜାରି ରହିବ। ପ୍ରଶାସନ ପକ୍ଷରୁ ଏ ବିଷୟରେ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ଆସି ନାହିଁ। ତଥାପି ଅନେକ ବିଶ୍ଳେଷକ କହୁଛନ୍ତି ଯେ ଇରାନ୍ ସହ ଯୁଦ୍ଧ ନୀତି କାରଣରୁ ଟ୍ରମ୍ପଙ୍କ ଲୋକପ୍ରିୟତା ହ୍ରାସ ପାଇବାର ଆଶଙ୍କା ରହିଛି।ଏହି ପ୍ରତିବାଦ ଆମେରିକାର ରାଜନୈତିକ ପରିସ୍ଥିତିକୁ ଆହୁରି ଉତ୍ତେଜନାପୂର୍ଣ୍ଣ କରିଛି। ଆଗାମୀ ଦିନରେ ଆହୁରି ବଡ଼ ଆନ୍ଦୋଳନ ହେବାର ଆଶଙ୍କା କରାଯାଉଛି।









