ପଶ୍ଚିମ ଏସିଆରେ ଯୁକ୍ତରାଷ୍ଟ୍ର ଓ ଇରାନ୍ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଭାରତୀୟ ଜନତାଙ୍କ ଉପରେ ନପଡ଼ୁ। ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ସେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଓ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଯୁଦ୍ଧର ଫଳସ୍ୱରୂପ ହେଉଥିବା ମୂଲ୍ୟବୃଦ୍ଧି, ଯୋଗାଣ ସଙ୍କଟ ଏବଂ ଅନ୍ୟାନ୍ୟ ପ୍ରଭାବରୁ ସାଧାରଣ ଜନତା, କୃଷକ ଓ ଉପଭୋକ୍ତାଙ୍କୁ ସମ୍ପୂର୍ଣ୍ଣ ରକ୍ଷା କରାଯାଉ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଆମ ସରକାରର ପ୍ରଥମ ଲକ୍ଷ୍ୟ ହେଉଛି ଜନତାଙ୍କ ଉପରେ ଯୁଦ୍ଧର କୌଣସି ବୋଝ ନପଡ଼ିବା । କୋଭିଡ୍ ମହାମାରୀ ସମୟରେ ଯେପରି ଦେଶ ଏକତାର ସହିତ ଲଢ଼ି ଜୟଲାଭ କରିଥିଲା, ସେହିପରି ବର୍ତ୍ତମାନର ଏହି ଆନ୍ତର୍ଜାତିକ ସଙ୍କଟରେ ମଧ୍ୟ ଜନତାଙ୍କ ସ୍ୱାର୍ଥ ଓ କଲ୍ୟାଣକୁ ସର୍ବୋପରି ପ୍ରାଧାନ୍ୟ ଦିଆଯିବ।”
ସେ ରାଜ୍ୟସଭାରେ ମଧ୍ୟ ଏ ବିଷୟରେ କହିଥିଲେ ଯେ, ଯୁଦ୍ଧର ପ୍ରଭାବ ଦୀର୍ଘକାଳୀନ ହୋଇପାରେ ଏବଂ ଏଥିରୁ ରକ୍ଷା ପାଇବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି। ସରକାର ଏହି ପରିସ୍ଥିତିରେ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ଏକ୍ସାଇଜ୍ ଡ୍ୟୁଟି କମ୍ କରାଯାଇଛି ଯାହା ଫଳରେ ମୂଲ୍ୟ ସ୍ଥିର ରହିପାରିଛି। କୃଷକଙ୍କ ପାଇଁ ଇଉରିଆ ଓ ଅନ୍ୟାନ୍ୟ ସାରର ଯୋଗାଣ ନିଶ୍ଚିତ କରାଯାଇଛି।
ସରକାର ଅଶୋଧିତ ତୈଳର ଭଣ୍ଡାର ବଢ଼ାଇବା ସହ ରୁଷିଆ ଓ ଅନ୍ୟାନ୍ୟ ଦେଶରୁ ତୈଳ ଆମଦାନି କରୁଛି। ଏଥି ସହିତ ଭାରତରେ ରହିଥିବା ପ୍ରାୟ ଏକ କୋଟି ଭାରତୀୟଙ୍କ ସୁରକ୍ଷା ପାଇଁ ବିଦେଶ ମନ୍ତ୍ରଣାଳୟ ଓ ଦୂତାବାସଗୁଡ଼ିକ ସକ୍ରିୟ ରହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଯୁଦ୍ଧ ଯୋଗୁଁ ଅନ୍ତର୍ଜାତିକ ବଜାରରେ ତୈଳ ମୂଲ୍ୟ ବୃଦ୍ଧି ପାଇଥିଲେ ମଧ୍ୟ ଘରୋଇ ସ୍ତରରେ ଏହାର ପ୍ରଭାବ ଯଥାସମ୍ଭବ କମ୍ ରଖାଯିବ। ସେ କଂଗ୍ରେସ ଓ ବିରୋଧୀ ଦଳଙ୍କୁ ମଧ୍ୟ ସତର୍କ କରାଇ କହିଛନ୍ତି ଯେ, ଏହି ସମୟରେ ରାଜନୈତିକ ଲାଭ ପାଇଁ ଏପରି ବିବୃତ୍ତି ଦିଆନଯାଉ, ଯାହା ଭାରତୀୟଙ୍କ ଜୀବନକୁ ବିପଦରେ ପକାଇପାରେ। ବର୍ତ୍ତମାନ ପରିସ୍ଥିତିରେ ସରକାର ପେଟ୍ରୋଲିୟମ୍ ଉତ୍ପାଦନ ରପ୍ତାନି ଉପରେ ନିୟନ୍ତ୍ରଣ ଲଗାଇଛନ୍ତି ଏବଂ ଘରୋଇ ଯୋଗାଣ ନିଶ୍ଚିତ କରୁଛନ୍ତି । ବିଶେଷଜ୍ଞମାନେ କହୁଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ଜନତାଙ୍କ ଆର୍ଥିକ ସୁରକ୍ଷାକୁ ମଜବୁତ୍ କରିବ।


/odishatv/media/media_files/2025/11/06/3-siblings-swept-away-2025-11-06-22-04-49.jpeg?w=640&resize=640,400&ssl=1)








