ତାମିଲନାଡୁ ରାଜନୀତିରେ ପୁଣି ହଲଚଲ; ଇସ୍ତଫା ଦେଲେ AIADMKର ୩ ବିଧାୟକ, ଖୁବଶୀଘ୍ର TVK ରେ ମିଶିବା ଚର୍ଚ୍ଚା

by newsroom MAY-25-2026 1:59 PM IST in ଦେଶ ବିଦେଶ

ତାମିଲନାଡୁ ରାଜନୀତିରେ ପୁଣି ଏକ ବଡ଼ ହଲଚଲ ଦେଖିବାକୁ ମିଳିଛି। ତାମିଲନାଡୁରେ ପୁଣିଥରେ AIADMK ଦଳକୁ ବଡ଼ ଝଟକା ଲାଗିଛି। ନିକଟରେ ହୋଇଥିବା ନିର୍ବାଚନ ପରେ ଦଳ ଭିତରେ ଅସନ୍ତୋଷ ଓ ଗୋଷ୍ଠୀକନ୍ଦଳ ଦେଖିବାକୁ ମିଲିଥିଲା। ଏହାରି ମଧ୍ୟରେ AIADMKର ୩ ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ଇସ୍ତଫା ଦେଇଥିବା ବିଧାୟକମାନେ ହେଲେ ଏମ୍ କୁମାରଭେଲ, ସତ୍ୟଭାମା ଓ ଜୟକୁମାର। ସେମାନେ ତାମିଳନାଡୁ ବିଧାନସଭା ସ୍ପିକର ଜେସିଡି ପ୍ରଭାକରଙ୍କୁ ଭେଟି ନିଜ ଇସ୍ତଫାପତ୍ର ଦାଖଲ କରିଛନ୍ତି। ସ୍ପିକର ମଧ୍ୟ ସେମାନଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି।

ଫ୍ଲୋର ଟେଷ୍ଟରେ ବିଜୟ ସରକାରକୁ ସମର୍ଥନ
ଏହି ୩ ଜଣ ବିଧାୟକ ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ସରକାର ପକ୍ଷରେ ଭୋଟ ଦେଇଥିଲେ। ଦଳର ନିର୍ଦ୍ଦେଶ ଅମାନ୍ୟ କରି ସେମାନେ ଫ୍ଲୋର ଟେଷ୍ଟ ସମୟରେ TVK ସରକାରକୁ ସମର୍ଥନ କରିଥିଲେ। ଏହା ପରେ ସେମାନଙ୍କ ଦଳ ଛାଡ଼ିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଇସ୍ତଫା ପରେ ୩ ଜଣ ବିଧାୟକ TVK ସରକାରର ମନ୍ତ୍ରୀ ଆଧବ ଅର୍ଜୁନଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିଥିଲେ।

TVKରେ ଯୋଗ ଦେଇପାରନ୍ତି
ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି ଯେ, ଏହି ୩ ଜଣ ବିଧାୟକ ଶୀଘ୍ର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ TVK ଦଳରେ ଯୋଗ ଦେଇପାରନ୍ତି।

ଏପଟେ AIADMK ଭିତରେ ଆଉ ଏକ ବଡ଼ ପରିବର୍ତ୍ତନ ଦେଖାଯାଇଛି। ପୂର୍ବରୁ ସିଭି ଷଣମୁଗମ-ଏସପି ଭେଲୁମଣି ଗୋଷ୍ଠୀରେ ଥିବା ୫ ଜଣ ବିଧାୟକ ପୁଣିଥରେ ଦଳ ନେତା ଇ.କେ. ପଲାନିସ୍ୱାମୀଙ୍କ ଶିବିରକୁ ଫେରିଆସିଛନ୍ତି। ଏହା ପରେ ପଳାନିସ୍ୱାମୀଙ୍କ ସମର୍ଥକ ବିଧାୟକ ସଂଖ୍ୟା ୨୭କୁ ବଢ଼ିଛି। ଅନ୍ୟପଟେ ବିଦ୍ରୋହୀ ଗୋଷ୍ଠୀର ସଂଖ୍ୟା ୨୫ରୁ କମି ୧୭କୁ ହୋଇଯାଇଛି।