ପାଞ୍ଚ ରାଜ୍ୟରେ ନିର୍ବାଚନ ଶେଷ ହେଉ ହେଉ ସାଧାରଣ ଜନତାଙ୍କୁ ଲାଗିଛି ବଡ଼ ମହଙ୍ଗା ମାଡ଼। ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଅଶାନ୍ତି ମଧ୍ୟରେ ଦେଶରେ ପୁଣି ଥରେ ବୃଦ୍ଧି ପାଇଛି LPG ସିଲିଣ୍ଡର ଦର। ଆଜିଠାରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ବାଣିଜ୍ୟିକ ବ୍ୟବହାର ପାଇଁ ଉଦ୍ଦିଷ୍ଟ (Commercial) ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ ଆଖିଦୃଶିଆ ବୃଦ୍ଧି କରିଛନ୍ତି।
ଏକାଥରକେ ବଢ଼ିଲା ପ୍ରାୟ ହଜାରେ ଟଙ୍କା
ସାନି ଦର ବୃଦ୍ଧି ପରେ ୧୯ କେଜିଆ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ପିଛା ୯୯୩ ଟଙ୍କା ବୃଦ୍ଧି ପାଇଛି। ଏହି ବୃଦ୍ଧି ପରେ ଦେଶର ବିଭିନ୍ନ ପ୍ରମୁଖ ସହରରେ ନୂଆ ଦର ନିମ୍ନଲିଖିତ ଅନୁଯାୟୀ ରହିଛି:
- ଦିଲ୍ଲୀ: ସିଲିଣ୍ଡର ପିଛା ଦର ୩୦୭୧.୫୦ ଟଙ୍କାକୁ ବୃଦ୍ଧି।
- କୋଲକାତା: ପୂର୍ବରୁ ୨୨୦୮ ଟଙ୍କା ଥିବା ବେଳେ ଏବେ ଏହା ୩୨୦୨ ଟଙ୍କାରେ ପହଞ୍ଚିଛି।
- ମୁମ୍ବାଇ: ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୩୦୨୪ ଟଙ୍କାକୁ ବୃଦ୍ଧି ପାଇଛି।
୫ କେଜିଆ ସିଲିଣ୍ଡର ବି ମହଙ୍ଗା
କେବଳ ୧୯ କେଜିଆ ସିଲିଣ୍ଡର ନୁହେଁ, ଛୋଟ ୫ କେଜିଆ ସିଲିଣ୍ଡର ବ୍ୟବହାରକାରୀଙ୍କୁ ମଧ୍ୟ ଝଟକା ଲାଗିଛି। ୫ କେଜିଆ ଗ୍ୟାସ୍ ରେଟ୍ରେ ୨୬୧ ଟଙ୍କା ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ସିଲିଣ୍ଡର ମୂଲ୍ୟ ୫୪୯ ଟଙ୍କା ଥିବା ବେଳେ ଏବେ ଏଥିପାଇଁ ୮୧୦ ଟଙ୍କା ଗଣିବାକୁ ପଡ଼ିବ।
ଘରୋଇ ଗ୍ୟାସ୍ ଦର ଅପରିବର୍ତ୍ତିତ
ବାଣିଜ୍ୟିକ ସିଲିଣ୍ଡର ଦର ଆକାଶଛୁଆଁ ହୋଇଥିବା ବେଳେ ସାଧାରଣ ଖାଉଟିଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତିକର ଖବର ହେଉଛି ଯେ, ଘରୋଇ ରନ୍ଧନ ଗ୍ୟାସ (Domestic) ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହାର ଦର ସ୍ଥିର ରହିଛି।
ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୧ ତାରିଖରେ ମଧ୍ୟ ବିଭିନ୍ନ କମ୍ପାନୀ ପକ୍ଷରୁ ସିଲିଣ୍ଡର ପିଛା ୧୯୫ ଟଙ୍କା ବୃଦ୍ଧି କରାଯାଇଥିଲା। କିନ୍ତୁ ଆଜିର ଏହି ବୃହତ ଦର ବୃଦ୍ଧି ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟ ଉପରେ ବଡ଼ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଉଛି।










